ଦରକାର ପଡ଼ିଲେ ସ୍ମାର୍ଟଫୋନ ତିଆରି କରିବି

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର୍ କିଣି ସାରା ବିଶ୍ବରେ ଚର୍ଚ୍ଚାରେ ଥିବା ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ସ୍ମାର୍ଟଫୋନ ତିଆରି କରିବାକୁ ଅଣ୍ଟା ଭିଡ଼ିଲେଣି । ଯଦି ଗୁଗୁଲ ଓ ଆପଲ ପକ୍ଷରୁ ନିଜ ନିଜ ଆପ ଷ୍ଟୋରରୁ ଟ୍ବିଟରକୁ ହଟାଇ ଦିଅନ୍ତି ତେବେ ବିକଳ୍ପ ଉପାୟ ସ୍ବରୂପ ସେ ସ୍ମାର୍ଟଫୋନ ନିର୍ମାଣ କରିବେ ବୋଲି କହିଛନ୍ତି ।

ଟ୍ବିଟର ଉପରେ ଗୁଗୁଲ ଓ ଆପଲ ତୀକ୍ଷଣ ନଜର ରଖିଛନ୍ତି । ଏହି କାରଣରୁ ମସ୍କ ଆଶଙ୍କା କରୁଛନ୍ତି ଯେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଟ୍ବିଟର ଆପକୁ କାଢିଦିଆଯିବ ।

ଏହି ପ୍ରସଙ୍ଗକୁ ନେଇ ଜଣେ ବ୍ୟକ୍ତି ଏକ ଟ୍ବିଟ କରି ଲେଖିଛନ୍ତି, “ଯଦି ଆପଲ ଓ ଗୁଗୁଲ ସେମାନଙ୍କ ଆପ ଷ୍ଟୋରରୁ ଟ୍ବିଟରକୁ କାଢି ଦିଅନ୍ତି, ତେବେ ଏଲନ ମସ୍କ ନିଜର ସ୍ମାର୍ଟଫୋନ ତିଆରି କରିବା ଉଚିତ୍ । ଲୋକମାନେ ଆଣ୍ଡ୍ରଏଡ୍ ଓ ଆଇଫୋନକୁ ତ୍ୟାଗ କରିବାକୁ ପଛଘୁଞ୍ଚା ଦେବେ ନାହିଁ । ଏହି ବ୍ୟକ୍ତି (ମସ୍କ) ରକେଟ୍ ତିଆରି କରୁଛି, ଏକ ଛୋଟିଆ ସ୍ମାର୍ଟଫୋନ ତାଙ୍କ ପାଇଁ ସହଜ ହେବ, ନୁହେଁ କି ?”

ଏହାର ଜବାବରେ ମସ୍କ ଲେଖିଛନ୍ତି, “ମୁଁ ଆଶା କରୁଛି, ଏପରି କିଛି ହେବ ନାହିଁ । କିନ୍ତୁ ଯଦି ଏପରି ହେଲା ତେବେ ମୁଁ ଏକ ବିକଳ୍ପ ଫୋନ ତିଆରି କରିବି ।“

ମସ୍କଙ୍କ ଏହି ଜବାବକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି । ଜଣେ ୟୁଜର ଲେଖିଛନ୍ତି, ଯଦି ମସ୍କ ସ୍ମାର୍ଟଫୋନ ତିଆରି କରନ୍ତି, ତାହା ସ୍ମାର୍ଟଫୋନ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଆଉ ଜଣେ ଲେଖିଛନ୍ତି, ବୋଧହୁଏ କାମ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର