ଭୁବନେଶ୍ବର: ଓଡ଼ିଶା ବୁଣାକାର ମହାସଂଘର ବାର୍ଷିକ ସମ୍ମିଳନୀ ଓ ବୁଣାକାର ପ୍ରତିଭା ସମ୍ମାନ ଉତ୍ସବ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉଦ୍ଘାଟକ ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ବୁଣାକାର ମହାସଂଘର ରହିଥିବା ଦାବି ବାବଦରେ ଆଲୋଚନା ସହିତ ହସ୍ତତନ୍ତ ଉପରୁ ଜିଏସ୍ଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଓଡ଼ିଶା ବୁଣାକାର ମହାସଂଘର ବାର୍ଷିକ ସମ୍ମିଳନୀ
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସାଂସଦ ରବି ନାରାୟଣ ବେହେରା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଗୁହା ପୁନମ ତାପସ କୁମାର, ସମବାୟବିତ୍ ଯଜ୍ଞେଶ୍ବର ବାବୁ ଓ ଅକ୍ଷୟ କୁମାର ମହାନ୍ତି, ବିଜେପି ସମବାୟ ସେଲ୍ର ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୁଣାକାରମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହାସହିତ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରମୁଖ ଶାସନ ସଚିବଙ୍କୁ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା। ପରେ ଦାବିଗୁଡ଼ିକର ସମାଧାନ ପାଇଁ ସଚିବ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ଦୁର୍ଗାମାଧବ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଞ୍ଜୟ କୁମାର ମେହେର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମହାସଂଘର କର୍ମକର୍ତ୍ତା ହରି ମେହେର, ପ୍ରତାପ ଚନ୍ଦ୍ର ଦାସ, ହୃଦାନନ୍ଦ ରାଉତ, କିଶୋର ଦାସ, ନରେନ୍ଦ୍ର କୁମାର ବେହେରା, ଜୟକୃଷ୍ଣ ଗୁଇଁ, ଧ୍ରୁବଚରଣ ଦାସ, ଗୋବିନ୍ଦ୍ର ଚନ୍ଦ୍ର ଦାସ, ନିତ୍ୟାନନ୍ଦ ମେହେର, କୁଞ୍ଜ ମେହେର ପ୍ରମୁଖ ସହଯୋଗ କରିଥିଲେ।