କଙ୍ଗନା ବିବାଦ ପରେ ଇଣ୍ଡିଗୋ ସମେତ ଅନ୍ୟ ଏୟାର୍‌ଲାଇନ୍‌ମାନଙ୍କୁ ‘ଡିଜିସିଏ’ ଚେତାବନୀ: ଦୁଇ ସପ୍ତାହ ଲାଗି ବିମାନ ଚଳାଚଳ ବନ୍ଦ କରିଦେବୁ

ନୂଆଦିଲ୍ଲୀ: କଙ୍ଗନା ରଣାୱତ୍‌ ଯାତ୍ରା କରିଥିବା ଚଣ୍ଡିଗଡ଼-ମୁମ୍ବାଇ ବିମାନରେ ହୋଇଥିବା ନିୟମ ଉଲ୍ଲଂଘନ ପ୍ରସଙ୍ଗ ଉଲ୍ଲେଖ କରି ଇଣ୍ଡିଗୋ ସିଇଓ ଉଲ୍‌ଫ୍‌ଗ୍ୟାଙ୍ଗ୍ ପ୍ରୋକ୍-ସାଉର୍‌ଙ୍କୁ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍ ଅଫ୍ ସିଭିଲ୍‌ ଏଭିଏସନ୍’ (ଡିଜିସିଏ) କଡ଼ା ଶବ୍ଦ ପ୍ରୟୋଗ କରି ଚିଠି ଲେଖିଛି। କଙ୍ଗନା ଯାତ୍ରା କରୁଥିବା ବିମାନରେ କେତେକ ଗଣମାଧ୍ୟମ ପ୍ରତିନିଧି ନିରାପତ୍ତା ଓ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ଯଦି କୌଣସି ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼େ ତେବେ ଦୁଇ ସପ୍ତାହ ଲାଗି ବିମାନ ଚଳାଚଳ ବନ୍ଦ କରି ଦିଆଯିବ ବୋଲି ଇଣ୍ଡିଗୋ ସମେତ ‘ଡିଜିସିଏ’ ସମସ୍ତ ଘରୋଇ ଏୟାର୍‌ଲାଇନ୍‌ଙ୍କୁ ଚେତାବନୀ ଦେଇଛି।

Image Courtesy of The Times of India

ଗାଇଡ୍‌ଲାଇନ୍ ଓ ‘ଏସ୍ଓପି’ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ‘ଡିଜିସିଏ’ ଇଣ୍ଡିଗୋକୁ ନିର୍ଦେଶ ଦେଇଛି। ରିପୋର୍ଟ ଦାଖଲ ନ କଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ‘ଡିଜିସିଏ’ ସତର୍କ କରାଇ ଦେଇଛି।

‘ଡିଜିସିଏ’ ଆଜି ଜାରି କରିଥିବା ନିର୍ଦେଶାବଳୀରେ ଉଲ୍ଲେଖ ଅଛି ଯେ, ଯଦି ନିର୍ଦ୍ଧାରିତ ପଥରେ ଚଳାଚଳ କରୁଥିବା କୌଣସି ଯାତ୍ରୀବାହୀ ବିମାନ ଭିତରେ କିଛି ଉଲ୍ଲଂଘନ (ଫଟୋ ଉଠା ଆଦି) ହୁଏ ତେବେ ଘଟଣା ଘଟିବାର ପରଦିନ ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୃକ୍ତ ପଥରେ ଚଳାଚଳ କରୁଥିବା ଉକ୍ତ ବିମାନକୁ ଦୁଇ ସପ୍ତାହ ଲାଗି ବନ୍ଦ କରାଯିବ।

ଭାରତର ସମସ୍ତ ଘରୋଇ ଏୟାର୍‌ଲାଇନ୍‌ସ୍‌କୁ ଏହି ଆଦେଶ ପ୍ରେରଣ କରାଯାଇଛି।

 

ସମ୍ବନ୍ଧିତ ଖବର