ପ୍ରେମ୍‌ଜି ୫୩ ହଜାର କୋଟି ଦାନ କରିବେ

ବେଙ୍ଗାଲୁରୁ: ୱିପ୍ରୋର ପ୍ରତିଷ୍ଠାତା ଅଜିମ୍ ପ୍ରେମ୍‌ଜି ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରିବାରେ ଦେଶର ଅନ୍ୟ ଧନୀମାନଙ୍କ ଠାରୁ ବହୁତ ଆଗରେ ରହିଛନ୍ତି। ପୂର୍ବରୁ ‌ସେ ୯୦ ହଜାର କୋଟିରୁ ଅଧିକ ଟଙ୍କା ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରିସାରିଛନ୍ତି। ଆଉ ୫୨,୭୫୦ କୋଟି ଟଙ୍କା ଏବାବଦରେ ଦେବାକୁ ପ୍ରେମଜି ଘୋଷଣା କରିଛନ୍ତି। ଫଳରେ ତାଙ୍କର ମୋଟ ଦାନ ରାଶି ପରିମାଣ ୧୪୫,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ପ୍ରେମ୍‌ଜି ଦାନ କରୁଥିବା ଅର୍ଥ ଅଜିମ୍ ପ୍ରେମଜି ଫାଉଣ୍ଡେସନ ପାଖକୁ ଯାଉଛି। ଫାଉଣ୍ଡେସନ ଜରିଆରେ ଦାତବ୍ୟ କାର୍ଯ୍ୟ ହେଉଛି। ଭାରତରେ କୁବେର ସମାନ ଧନୀ ଥିବା ଲୋକମାନେ ଦାନ ପରିମାଣ କମାଇ ଦେଇଥିବା ବେଳେ ପ୍ରେମଜି ଦାନରାଶି ପରିମାଣ ବଢ଼ାଇଛନ୍ତି। ପାଞ୍ଚବର୍ଷ ତଳେ ଭାରତର ପ୍ରମୁଖ ଧନୀମାନେ ‌ଯେତିକି ଟଙ୍କା ଦାନ କରୁଥିଲେ ଏବେ ତା’ଠାରୁ ଯଥେଷ୍ଟ କମ ଟଙ୍କା ଦାନ କରୁଛନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ୱିପ୍ରୋରେ ପ୍ରେମ୍‌ଜିଙ୍କ ସର୍ବାଧିକ ୭୪.୩% ଅଂଶଧନ ରହିଛି। ତାଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଫାଉଣ୍ଡେସନ ଶିକ୍ଷା ଠାରୁ ଆରମ୍ଭ କରି ପୋଷଣ, ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଏବଂ ମାନବ ଚାଲାଣ ଅଟକାଇବା ଆଦି କ୍ଷେତ୍ରରେ କାମ କରୁଛି।

ସମ୍ବନ୍ଧିତ ଖବର