ରେକର୍ଡ ପାଇଁ ଆଉ ଅଳ୍ପ ବାକି, ଡିଜେଲ୍‌ ୮୧ ଟପିଲା

ପେଟ୍ରୋଲ୍‌ରେ ୬୨%, ଡିଜେଲ୍‌ରେ ୫୭% ଟିକସ

ଭୁବନେଶ୍ବର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଆଜି ବୃଦ୍ଧି ପାଇଛି। ୨୦୨୦ ମସିହା ପାଇଁ ଡିସେମ୍ବର ୭ରେ ଶେଷ ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିଲା। ପେଟ୍ରୋଲ ଦର ୮୪ ଟଙ୍କା ୩୪ ଏବଂ ଡିଜେଲ ଦର ୮୦ ଟଙ୍କା ୪୬ ପଇସା ରହିଥିଲା। ଏହାର ପ୍ରାୟ ମାସେ ପରେ ଜାନୁଆରି ୬ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୪ ଟଙ୍କା ୬୧ ଏବଂ ୮୦ ଟଙ୍କା ୭୪ ପଇସାକୁ ବୃଦ୍ଧି ପାଇଥିଲା। ଆଜି ଦ୍ବିତୀୟ ଦିନ ପାଇଁ ମଧ୍ୟ ଏହି ଦୁଇ ଇନ୍ଧନ ଦର ଯଥାକ୍ରମେ ୮୪ ଟଙ୍କା ୮୬ ପଇସା ଏବଂ ୮୧ ଟଙ୍କା ୪ ପଇସା‌ରେ ପହଞ୍ଚିଛି। ଅର୍ଥାତ୍ ଦୁଇ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୫୨ ପଇସା ଏବଂ ୫୮ ପଇସା ମହଙ୍ଗା ହୋଇଯାଇଛି।

ଦୁଇ ଇନ୍ଧନର ଅତୀତ ଦର ଉପରେ ଯଦି ନଜର ପକାଇବା ତାହେଲେ ଜଣାଯାଇଛି ଯେ, ୨୦୧୮ ଅକ୍ଟୋବର ୪ ତାରିଖରେ ପେଟ୍ରୋଲ ଦର ୮୨ ଟଙ୍କା ୮୯ ପଇସା ରହିଥିଲା। କିନ୍ତୁ ପେଟ୍ରୋଲ ଦରର ସେହି ରେକର୍ଡ ଗତବର୍ଷ ନଭେମ୍ବର ୨୯ ତାରିଖରୁ ଭାଙ୍ଗି ସାରିଛି। କେବଳ ଭାଙ୍ଗିନାହିଁ ପେଟ୍ରୋଲ ଦରର ନୂଆ ନୂଆ ରେକର୍ଡ ପ୍ରତିଦିନ ତିଆରି ହେଉଛି। କିନ୍ତୁ ଅନ୍ୟପକ୍ଷରେ ଡିଜେଲ ଦର ଏବେ ପୂର୍ବ ରେକର୍ଡ ଠାରୁ ସାମାନ୍ୟ ତଳେ ରହିଛି। ୨୦୧୮ ଅକ୍ଟୋବରରେ ଭୁବନେଶ୍ବରରେ ଡିଜେଲ ଦର ରେକର୍ଡ ୮୧ ଟଙ୍କା ୩୨ ପଇସା ରହିଥିଲା। ତେଣୁ ଆଜି ଏହା ୮୧ ଟଙ୍କା ଟପିଥିଲେ ମଧ୍ୟ ରେକର୍ଡ ଭାଙ୍ଗିବା ବାକିଅଛି। ଗତ ଦୁଇ ଦିନର ଦରବୃଦ୍ଧି ଅନୁସାରେ ଦର ବଢ଼େ ତାହେଲେ ଏହି ରେକର୍ଡ ଭାଙ୍ଗିବାକୁ ଆଉ ମାତ୍ର ଦିନେ ଦୁଇଦିନ ଲାଗିବ। ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭିନ୍ନ ଭିନ୍ନ ହାରରେ ଭାଟ୍‌ ଆଦାୟ କରୁଥିବାରୁ ଏହାର ଦର ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହୁଛି। ସେଥିପାଇଁ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୪ ଟଙ୍କା ୨୦ ଏବଂ ଡିଜେଲ ଦର ୭୪ ଟଙ୍କା ୩୮ ପଇସା ରହିଛି।

ପେଟ୍ରୋଲ୍‌ରେ ୬୨%, ଡିଜେଲ୍‌ରେ ୫୭% ଟିକସ
୨୦୧୮ ଅକ୍ଟୋବରରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ବ୍ରେଣ୍ଟ୍‌ କ୍ରୁଡ୍‌) ଦର ବ୍ୟାରେଲ ପିଛା ୮୦ ଡଲାର ଟପିଯାଇଥିଲା। ଏଥିଯୋଗୁ ସେହି ସମୟରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ କରିଥିଲା। କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୫୪ ଡଲାର ଥିବାବେଳେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଗତବର୍ଷ କରୋନା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ସାଂଘାତିକଭାବେ ହ୍ରାସ ପାଇଥିଲା। ଏପରିକି ବିକ୍ରେତାମାନେ ଗ୍ରାହକଙ୍କୁ ତେଲ କିଣିବାକୁ ନିଜଆଡ଼ୁ ପ୍ରୋତ୍ସାହନ ଦେଇଥିଲେ। କିନ୍ତୁ କରୋନା ସ୍ଥିତିରେ ସୁଧାର ସମେତ ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚରେ ସାଉଦି ଆରବ ତୈଳ ଉତ୍ପାଦନ ଦିନକୁ ୧ ନିୟୁତ ବ୍ୟାରେଲ ହ୍ରାସ କରିବ ବୋଲି ଘୋଷଣା କରିବ ‌ପରେ ଏହି ଦର ବଢ଼ିବାରେ ଲାଗିଛି।

ଅଶୋଧିତ ତେଲ ଦର ପୂର୍ବାପେକ୍ଷା କମ୍‌ ଥିଲେ ମଧ୍ୟ ଗତବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବଢ଼ାଇଥିବା ଟିକସ ପାଇଁ ଦର ବଢ଼ିବାରେ ଲାଗିଛି। ଗତବର୍ଷ ମେ’ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଓ ଅନ୍ୟାନ୍ୟ ଶୁଳ୍କ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ହଠାତ୍ ବଢ଼ାଇ ଦେଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ଫାଇଦା ଗ୍ରାହକଙ୍କୁ ନଦେଇ ସରକାର ଏହାର ଫାଇଦା ନେଲେ। ଏହାର କିଛିଦିନ ପରେ ରାଜ୍ୟ ସରକାରମାନେ ମଧ୍ୟ ଭାଟ୍‌ ବଢ଼ାଇଲେ। ଏଥିଯୋଗୁ ପେଟ୍ରୋଲ ଏବଂ ଡିଜେଲ ଆଉ ତଳସ୍ତରକୁ ଖସିପାରୁନାହିଁ। ଏକ ହିସାବ ଅନୁଯାୟୀ, ଦିଲ୍ଲୀରେ ଏବେ ପେଟ୍ରୋଲରେ ପାଖାପାଖି ୬୨ ପ୍ରତିଶତ ଏବଂ ଡିଜେଲରେ ପାଖାପାଖି ୫୭ ପ୍ରତିଶତ ଟିକସ ଆଦାୟ କରାଯାଉଛି।

ସମ୍ବନ୍ଧିତ ଖବର