ନୂଆ ଅମଳ ହେଲେ ସୋରିଷ ତେଲ ଦାମ୍ ଆହୁରି କମିବ: ସି ଚନ୍ଦ୍ରଶେଖର ରେଡ୍ଡି

ଭାରତର ଖାଇବା ତେଲ ବଜାର, ଆମଦାନି ନିର୍ଭରଶୀଳତା, ଗ୍ରାହକ ଚାହିଦା, ମହାମାରୀ ସମୟରେ ଖାଇବା ତେଲ ବଜାରର ସ୍ଥିତି ଓ ପରବର୍ତ୍ତୀ ସମୟରେ ସେଥିରେ ହୋଇଥିବା ସୁଧାର ଏବଂ ଆଗାମୀ ଦିନରେ ବଜାରର ଗତି କ’ଣ ରହିବ ସେ ବିଷୟରେ ଫ୍ରିଡମ୍ ଅଏଲ୍‌ର ଉପସଭାପତି ସି ଚନ୍ଦ୍ରଶେଖର ରେଡ୍ଡି ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ମହାମାରୀ ସମୟରେ ଖାଇବା ତେଲ ବଜାର ସ୍ଥିତି କିଭଳି ଥିଲା?
ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଲକ୍‌ଡାଉନ୍ ଘୋଷଣା ହେବାରୁ ହୋଟେଲ୍‌, ରେସ୍ତୋରାଁ ଓ କ୍ୟାଟରିଂ ସଂସ୍ଥାଗୁଡ଼ିକ ବନ୍ଦ ରହିଥିଲା। ତେଣୁ ସେମା‌ନେ କିଣୁଥିବା ତେଲ ବିକ୍ରି ହ୍ରାସ ପାଇଥିଲା। କିନ୍ତୁ ସପରିବାର ଘରେ ରହିବାର ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ପାଇଥିବା ପରିବାରଗୁଡ଼ିକ ଅଧିକ ତେଲ କିଣିଥିଲେ। ଚଳିତ ବର୍ଷ ମହାମାରୀର ଦ୍ବିତୀୟ ଲହର ଦେଖାଦେବା ପରେ ବ୍ୟବସାୟୀମାନେ ଅଧିକ ତେଲ କିଣି ନିଜ ପାଖରେ ଷ୍ଟକ୍ ରଖିଥିଲେ। ବ୍ୟବସାୟୀମାନଙ୍କୁ ଖାଇବା ତେଲ ବିକ୍ରିରେ ୩୦% ବୃଦ୍ଧି ଘଟିଥିଲା। କିନ୍ତୁ ଏହି ସମୟରେ ସମାଜର କିଛି ନିର୍ଦିଷ୍ଟ ବର୍ଗର ଲୋକମାନେ ତେଲ କିଣିବା କମ୍ କରିଥିଲେ।

ଦେଶ ଓ ରାଜ୍ୟରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର କିଭଳି ରହିଛି?
ଭାରତରେ ବାର୍ଷିକ ଭିତ୍ତିରେ ମୁଣ୍ଡପିଛା ତେଲ ବ୍ୟବହାର ୧୬ କେଜି ରହିଛି। ଓଡ଼ିଶାରେ ଏହି ହାର ୨ କେଜି କମ୍ ଅର୍ଥାତ ୧୪ କେଜି ପାଖାପାଖି ରହିଛି। ଦେଶରେ ୨୧ ନିୟୁତ ଟନ୍ ତେଲ ବିକ୍ରି ହେଉଥିବା ବେଳେ ଓଡ଼ିଶାରେ ପାଖାପାଖି ୫୦ ହଜାର ଟନ୍ ତେଲ ବିକ୍ରି ହେଉଛି।

କେଉଁମାନେ ଅଧିକ ତେଲ କିଣନ୍ତି? ହୋଟେଲ୍‌ ଭଳି ସଂସ୍ଥା ନା ସାଧାରଣ ଲୋକ?
ତେଲ ବ୍ୟବହାର କଥା ଆଲୋଚନା ବେଳେ ଆମକୁ ଦୁଇଟି ବିଷୟ ବିଚାରକୁ ନେବାକୁ ହେବ। ତାହା ହେଉଛି ଆମେ ବାହାରେ ଖାଉଥିବା ଖାଦ୍ୟ ଓ ଘରେ ତିଆରି ହେଉଥିବା ଖାଦ୍ୟ। ଉଭୟ ଖାଦ୍ୟରେ ତେଲ ବ୍ୟବହାର ହେଉଛି। ଆମ ଦେଶରେ ୩୦% ତେଲ ହୋଟେଲ୍ ଓ ରେସ୍ତୋରାଁ ଭଳି ସଂସ୍ଥା କିଣୁଛନ୍ତି। ସାଧାରଣ ଲୋକମାନେ ୭୦% ତେଲ କିଣନ୍ତି। ‌ସେମାନେ ହେଉଛି ତେଲର ସବୁଠୁ ବଡ଼ ଗ୍ରାହକ।

ଭାରତ ତେଲ ଆବଶ୍ୟକତା କିଭଳି ପୂରଣ କରୁଛି?
ଭାରତ ଏହାର ଖାଇବା ତେଲ ଆବଶ୍ୟକତାକୁ ଉଭୟ ଆମଦାନି ଓ ଦେଶ ଭିତରେ ଉତ୍ପାଦନ ହେଉଥିବା ତେଲ ଜରିଆରେ ପୂରଣ କରୁଛି। ଏବେବି ୬୫% ଖାଇବା ତେଲ ଆମଦାନି କରିବାକୁ ପଡ଼ୁଛି। ବଳକା ୩୫% ତେଲ ଦେଶ ଭିତରେ ଉତ୍ପାଦନ କରାଯାଉଛି। ମାଲେସିଆ ଓ ଇଣ୍ଡୋନେସିଆରୁ ପାମୋଲିନ୍ ତେଲ ଆମଦାନି କରାଯାଉଥିବା ବେଳେ ୟୁକ୍ରେନ୍, ରୁଷିଆ, ବ୍ରାଜିଲ୍ ଓ ଆର୍ଜେଣ୍ଟିନାରୁ ସନ୍‌ଫ୍ଲାୱାର ଅଏଲ୍‌ ଆମଦାନି କରାଯାଉଛି। ଅଶୋଧିତ ତୈଳ ଓ ସୁନା ପରେ ଖାଇବା ତେଲ ହେଉଛି ସେହି ସାମଗ୍ରୀ ଯାହାକୁ ଆମଦାନି କରିବା ଲାଗି ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ ହେଉଛି।

ଖାଇବା ତେଲ ଦାମ୍ କେବେ ସ୍ବାଭାବିକ ସ୍ତରକୁ ଫେରିବ?
ଚଳିତ ବର୍ଷ ଏକ ସମୟରେ ଖାଇବା ତେଲ ଦାମ୍ ଲିଟର ପିଛା ୧୮୦ ଟଙ୍କା ଭଳି ସ୍ତରରେ ପହଞ୍ଚିଥିଲା। ସରକାର ଟିକସ ହ୍ରାସ କରିବା ଓ ଷ୍ଟକ୍ ସୀମା ଭଳି କଟକଣା ଲାଗୁ କରିବା ପରେ ଦାମ୍ ହ୍ରାସ ପାଇଛି। ବର୍ତ୍ତମାନ ୨୭-୩୦ ଟଙ୍କା ଭଳି କମ୍ ଦାମ୍‌ରେ ଲୋକମାନେ ତେଲ କିଣୁଛନ୍ତି। ଯେଉଁ ତେଲକୁ ସେମାନେ ୧୮୦ ଟଙ୍କାରେ କିଣୁଥିଲେ ଏବେ ସେହି ତେଲକୁ ସେମାନେ ୧୫୦ ଟଙ୍କାରେ କିଣିପାରୁଛନ୍ତି।

ଆଗକୁ ‌ଦାମ୍ ଆହୁରି କମିବାର କ’ଣ ସମ୍ଭାବନା ରହିଛି?
ଭାରତରେ ଖାଇବା ତେଲର ଦାମ୍ ବିଭିନ୍ନ ବିଷୟ ଉପରେ ନିର୍ଭର କରୁଛି। ଯେହେତୁ ଆନ୍ତର୍ଜାତିକ ବଜାର ସହ ଏହାର ସମ୍ପର୍କ ରହିଛି ତେଣୁ ସେଠାରେ ଯେଉଁ ଦାମ୍ ରହିବ ତାହାର ପ୍ରତିଫଳନ ଭାରତୀୟ ବଜାରରେ ଦେଖିବାକୁ ମିଳିବ। ଦ୍ବିତୀୟ ବିଷୟ ହେଉଛି ଚାହିଦା। ଗ୍ରାହକଙ୍କ ଚାହିଦା ଦାମ୍‌କୁ ନିୟନ୍ତ୍ରଣ କରିବ। ମୁଁ ଭାବୁଛି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସୋରିଷ ତେଲ ଦାମ୍ ଆହୁରି କମିବ। ଏହି ତେଲକୁ ନେଇ ଭାରତ ସମ୍ପୂର୍ଣ୍ଣ ଆତ୍ମନିର୍ଭର। ନୂଆ ଫସଲ ଅମଳ ହୋଇ ଆସିବା ପରେ ସୋରିଷ ତେଲ ଆହୁରି ଶସ୍ତା ହେବ।

ଫ୍ରିଡମ୍‌ ଅଏଲ୍‌ର ସର୍ବାଧିକ ବିକ୍ରି ହେଉଥିବା ଖାଇବା ତେଲ କ’ଣ?
ଭାରତରେ ଆମେ ହେଉଛୁ ସନ୍‌ଫ୍ଲାୱାର ଅଏଲ୍‌ର ସର୍ବବୃହତ ଆମଦାନିକାରୀ ଓ ବିକ୍ରେତା। ଓଡ଼ିଶାରେ ସୋରିଷ ତେଲ ମଧ୍ୟ ବିପୁଳ ପରିମାଣର ବିକ୍ରି କରୁଛୁ। ପାମୋଲିନ୍, ରାଇସ୍‌ ବ୍ରାନ୍ ଓ ସୋୟାବିନ୍ ତେଲର ଚାହିଦା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ସାକ୍ଷାତକାର: ପ୍ରଭାତ ପଟ୍ଟନାୟକ

ସମ୍ବନ୍ଧିତ ଖବର