ସୁଧ ଉପରେ ସୁଧ ଛାଡ଼, କେନ୍ଦ୍ର ଦେଖାଇଲା ତତ୍ପରତା

ସରକାର ବୋହି‌େବ ୬୫୦୦ କୋଟି, ଅର୍ଥ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶାବଳି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଛାଟ ପରେ ମୋରାଟୋରିୟମ ଅବଧିରେ ସୁଧ ଉପରେ ଆଦାୟ କରାଯାଇଥିବା ସୁଧକୁ ଋଣଗ୍ରହୀତାଙ୍କ ଖାତାକୁ ପଠାଇବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୬ ମାସ ପାଇଁ ମୋରାଟୋରିୟମ ଘୋଷଣା କରାଯାଇଥିଲା। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏହି ଋଣର ସୁଧ ଉପରେ ସୁଧ ଆଦାୟ କରାଯିବ ନାହିଁ ବୋଲି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ। ଗୃହ, ଶିକ୍ଷା, ଅଟୋମୋବାଇଲ, କଞ୍ଜ୍ୟୁମର ଡ୍ୟୁରେବଲ୍‌, ଏମ୍‌ଏସ୍‌ଏମ୍‌ଇ ସମେତ କ୍ରେଡିଟ୍‌ କାର୍ଡ ଦେୟ ବାବଦ ରାଶି ଏହି ସୁଧ ଉପରେ ସୁଧ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କରୋନା ମହାମାରୀ ପାଇଁ ୬ ମାସ (ମାର୍ଚ୍ଚ ୧, ୨୦୨୦ରୁ ଅଗଷ୍ଟ ୩୧, ୨୦୨୦) ପର୍ଯ୍ୟନ୍ତ ଏହି ସୁବିଧା ଦେବା ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି ହୋଇଛି। ସୁପ୍ରିମ କୋର୍ଟରେ ସରକାର ଦେଇଥିବା ସତ୍ୟପାଠ ମୁତାବକ ଏହି ‌ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦୀପାବଳି ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଗ୍ୟ ଋଣଗ୍ରହୀତାଙ୍କୁ ଏହି ସୁବିଧା ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ପ୍ରଦାନ କରିବେ। ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକୁ ପରେ ଏ ବାବଦ ଅର୍ଥ ପ୍ରଦାନ କରାଯିବ। ଯେଉଁମାନେ ମୋ‌ରାଟୋରିୟମର ସୁବିଧା ନେ‌ଇ ନଥିଲେ ସେମାନେ ମଧ୍ୟ ଏହାର ଲାଭ ପାଇପାରିବେ। ଋଣଗ୍ରହୀତା ଯେଉଁମାନଙ୍କ ଋଣ ଖାତାରେ ଋଣ ମଞ୍ଜୁର ଏବଂ ବକେୟା ଆଦାୟ ରାଶିର ସୀମା ୨୯/୦୨/୨୦୨୦ ସୁଦ୍ଧା ୨ କୋଟିରୁ ଅଧିକ ନଥିବ ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ସୁବିଧା ପାଇବାକୁ ହେଲେ ଋଣଗ୍ରହୀତାଙ୍କ ଖାତା ମଧ୍ୟ ୨୦୨୦ ଫେବ୍ରୁଆରି ୨୯ ତାରିଖ ସୁଦ୍ଧା ଏନପିଏରେ ପରିଣତ ହୋଇ ନଥିବ। ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଏ ବାବଦ ଅର୍ଥ ପ୍ରଦାନ କରିବା ପରେ ସରକାରଙ୍କ ନିକଟରେ ଏଥିପାଇଁ ଦାବି କରିବେ। ଏ ବାବଦରେ ସରକାରଙ୍କୁ ୬୫୦୦ କୋଟି ଟଙ୍କାର ବୋଝ ବହନ କରିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି।

କରୋନା ମହାମାରୀ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧ ତାରିଖରୁ ୩ ମାସ ପାଇଁ ଋଣ ଆଦାୟ ସ୍ଥଗିତ ସୁବିଧା ପ୍ରଦାନ କରାଯାଇଥିଲା। ପରେ ମେ ୨୨ ତାରିଖରେ ଏହାକୁ ଆଉ ୩ ମାସ ଅର୍ଥାତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଋଣ ପରିଶୋଧ ବାବଦ ମାସିକ କିସ୍ତିର ସୁଧ ଉପରେ ସୁଧ ଛାଡ଼ ଦ୍ବାରା ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କୌଣସି କ୍ଷତି ସହିବେ ନାହିଁ। ପୂର୍ବତନ ସିଏଜି ରାଜୀବ ମହର୍ଷିଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଏହା କରାଯାଇଛି। ଉକ୍ତ ରିପୋର୍ଟ ଆଧାରରେ ବ୍ୟାଙ୍କଗୁଡ଼ିକୁ ସରକାର ଅର୍ଥ ପ୍ରଦାନ କରିବେ। ଗତ ସେପ୍ଟେମ୍ବର ୧୦ ତାରିଖରେ ସରକାର ଏହି କମିଟି ଗଠନ କରିଥିଲେ। ସୁପ୍ରିମ କୋର୍ଟରେ ମାମଲାର ବିଚାର ସମୟରେ ସରକାରଙ୍କୁ ତୁରନ୍ତ ଲୋକଙ୍କୁ ରିହାତି ଦେବା ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ହାତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦୀପାବଳି ସମୟ ରହିଛି ବୋଲି ଟିପ୍ପଣୀ ଦେଇଥିଲେ। ବ୍ୟାଙ୍କଗୁଡ଼ିକ ନଭେମ୍ବର ୫ ତାରିଖ ସୁଦ୍ଧା ଋଣଗ୍ରହୀତାଙ୍କ ଖାତାରେ ଏ ବାବଦରେ ଆଦାୟ କରିଥିବା ଅର୍ଥ (ଚକ୍ରବୃଦ୍ଧି ସୁଧ ଓ ସାଧାରଣ ସୁଧର ପାର୍ଥକ୍ୟ)କୁ ଜମା କରିବେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ବ୍ୟାଙ୍କଗୁଡ଼ିକ ଏବାବଦ ଅର୍ଥ ସରକାରଙ୍କଠାରୁ ଡିସେମ୍ବର ୧୫ ସୁଦ୍ଧା ଦାବି କରିପାରିବେ। ସୁପ୍ରିମ କୋର୍ଟ ଉକ୍ତ ମାମଲାର ଶୁଣାଣି ଆସନ୍ତାମାସ ୨ ତାରିଖରେ କରିବେ। ସେହିଦିନ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିପାରେ ଆସିବ ବୋଲି ଆଶା କରାଯାଉଛି।

କେଉଁମାନଙ୍କୁ ମିଳିବ ଲାଭ?
ଏମଏସଏମଇ ଋଣ, ଶିକ୍ଷା ଋଣ, ଗୃହ ଋଣ, କଞ୍ଜ୍ୟୁମର ଡ୍ୟୁରେବଲ ଋଣ, କ୍ରେଡିଟ କାର୍ଡ ବାବଦ ଦେୟ, ଅଟୋମୋବାଇଲ ଋଣ, ବୃତ୍ତିଗତ ଏବଂ ବ୍ୟକ୍ତିଗତ ଋଣ, କଞ୍ଜମ୍ପସନ ଋଣ ନେଇଥିବା ବ୍ୟକ୍ତି ଏଥିରେ ଉପକୃତ ହେବେ।
କେତେ ସମୟ ପାଇଁ ମିଳିବ ଲାଭ?
ଯେଉଁ ଲୋକ ମାର୍ଚ୍ଚ ୧, ୨୦୨୦ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଋଣ ମୋ‌ରାଟୋରିୟମର ସୁବିଧା ନେଇଛନ୍ତି ସେମାନଙ୍କୁ ସୁଧ ଉପରେ ସୁଧ ଦେବାକୁ ପଡ଼ିବ ନାହିଁ।
କେତେ ପରିମାଣର ଋଣ ପର୍ଯ୍ୟନ୍ତ ମିଳିବ ସୁବିଧା?
୨୦୨୦ ଫେବ୍ରୁଆରି ୨୯ ତାରିଖ ସୁଦ୍ଧା ଯେଉଁମାନଙ୍କ ଖାତାରେ ୨ କୋଟି ଟଙ୍କା କିମ୍ବା ତା’ଠାରୁ କମ୍‌ ଋଣ ରାଶି ବାକି ରହିଛି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଯଦି କୌଣସି ବ୍ୟକ୍ତିଙ୍କ ଖାତାରେ ୨ କୋଟି ଟଙ୍କାରୁ ଅଧିକ ଋଣ ରହିଛି ତାଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ।
ମୋରାଟୋରିୟମର ସୁବିଧା ନେଇ ନଥିବା ବ୍ୟକ୍ତି ଉପକୃତ ହେବେ କି?
ଯେଉଁମାନେ ମୋରାଟୋରିୟମର ସୁବିଧା ନେଇନାହାନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଏମାନଙ୍କୁ ‌କେମିତି ଲାଭ ମିଳିବ ତାହା ସୁପ୍ରିମ କୋର୍ଟଙ୍କ ରାୟ ପରେ ସ୍ପଷ୍ଟ ହେବ।
କର୍ପୋରେଟ ସଂସ୍ଥାକୁ ଲାଭ ମିଳିବ କି?
ମିଳିବ ନାହିଁ। ସୁଧ ଉପରେ ସୁଧ ଛାଡ଼ ସୁବିଧା କେବଳ ବ୍ୟକ୍ତି ଏବଂ ଏମଏସଏମଇକୁ ମିଳିବ।
ସୁଧ ବୋଝ କିଏ ବହନ କରିବ?
ଚକ୍ରବୃଦ୍ଧି ସୁଧ ଏବଂ ସାଧାରଣ ସୁଧ ମଧ୍ୟରେ ଥିବା ପାର୍ଥକ୍ୟ ବାବଦ ଅର୍ଥକୁ କେନ୍ଦ୍ର ସରକାର ବହନ କରିବେ। ଏବାବଦରେ କେନ୍ଦ୍ର ସରକାରଙ୍କୁ ପ୍ରାୟ ୬୫୦୦ କୋଟି ଟଙ୍କା ଦେବାକୁ ପଡ଼ିପାରେ।
କେମିତି ମିଳିବ ଲାଭ?
ଚକ୍ରବୃଦ୍ଧି ସୁଧ ଓ ସାଧାରଣ ସୁଧ ମଧ୍ୟରେ ପାର୍ଥକ୍ୟ ରାଶି ଯେତିକି ହେବ ତାହାକୁ ବ୍ୟାଙ୍କ ଓ ଆର୍ଥିକ ପ୍ରତି‌ଷ୍ଠାନ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଜମାକରିବେ।
ବ୍ୟାଙ୍କ କିଭଳି ଏହି ରାଶି ପାଇବ?
ହିତାଧିକାରୀଙ୍କ ଖାତାରେ ବ୍ୟାଙ୍କ ଯେଉଁ ରାଶି ଜମା କରିବେ ସେ ବାବଦ ରାଶିକୁ କେନ୍ଦ୍ର ସରକାରଠାରୁ ଦାବି କରିବେ।

ସମ୍ବନ୍ଧିତ ଖବର