ଟିକସ ନଥିଲେ ୩୦ ଟଙ୍କାରେ ମିଳନ୍ତା ପେଟ୍ରୋଲ୍‌

ପେଟ୍ରୋଲ୍‌ ୩୯, ଡିଜେଲ ଦର ୩୩ ପଇସା କମିଲା

ଲକ୍ଷ୍ନୌ: ସାଧାରଣ ଜନତା ପେଟ୍ରୋଲ୍‌ ଓ ଡିଜେଲ ଉପରେ ମୋଟା ଅଙ୍କର ଟିକସ ଗଣୁଛନ୍ତି। ଯଦି ଟିକସ ନଥାନ୍ତା ତେବେ ଏକ ଲିଟର ପେଟ୍ରୋଲ୍‌ ୩୦ ଟଙ୍କାରେ ମିଳିପାରନ୍ତା। ଆସୋଚାମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି।ରିପୋର୍ଟରେ କୁହାଯାଇଛି ଯେ, ଆମଦାନି ହୋଇ ଆସୁଥିବା ଏକ ଲିଟର ଅଶୋଧିତ ତେଲର ଦାମ୍‌ ହେଉଛି ୨୬ ଟଙ୍କା। ଏହା ଉପରେ ପ୍ରବେଶ ଶୁଳ୍କ, ବିଶୋଧନ ଚାର୍ଜ, ଲ୍ୟାଣ୍ଡିଂ ଖର୍ଚ ଓ ବିକ୍ରି ମାର୍ଜିନ୍‌ ଲାଗୁ ହୋଇ ଡିଲର୍‌ଙ୍କ ପାଖରେ ପହଞ୍ଚିବା ବେଳକୁ ସେହି ଦର ୩୦ ଟଙ୍କା ହୋଇଯାଉଛି। ଏହା ପରେ ଆରମ୍ଭ ହେଉଛି ଟିକସ ଲାଗୁ କରିବା ପ୍ରକ୍ରିୟା। କେନ୍ଦ୍ର ସରକାର ୧୯ ଟଙ୍କାରୁ ଅଧିକ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଲାଗୁ କରିଛନ୍ତି। ପ୍ରତି ଲିଟର ଉପରେ ୩ ଟଙ୍କାର ଡିଲର୍‌ କମିସନ୍‌ ରହୁଛି। ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ୨୩-୨୬% କିମ୍ବା ତା’ଠାରୁ ଅଧିକ ପରିମାଣର ଭାଟ୍‌ ଲାଗୁ କରୁଛନ୍ତି। ସବୁ ପ୍ରକାର ଟିକସ ମିଶିବା ପରେ ପେଟ୍ରୋଲର ଲିଟର ପିଛା ଦର ୭୭ ଟଙ୍କାରୁ ଅଧିକ ହୋଇଯାଉଛି।
୨୦୧୩ ବେଳକୁ ପେଟ୍ରୋଲ୍‌ ଉପରେ ଲଗାଯାଇଥିବା ଉତ୍ପାଦନ ଶୁଳ୍କ ପରିମାଣ ୯ ଟଙ୍କା ଥିଲା। ସେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୧୦ ଡଲାରରୁ ଅଧିକ ରହୁଥିଲା। ଏବେ ସେହି ଦର ୭୦ ଡଲାର ପାଖାପାଖି ରହିଥିଲେ ମଧ୍ୟ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ପରିମାଣ ୧୯ ଟଙ୍କାରୁ ଅଧିକ ହୋଇଗଲାଣି।

ଆସୋଚାମ୍‌ ହିସାବ କରି ଜଣାଇଛି ଯେ ତେଲ ଉପରୁ କେନ୍ଦ୍ର ସରକାର ପ୍ରତିଦିନ ୬୬୦ କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ରାଜ୍ୟଗୁଡ଼ିକ ୪୫୦ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ୨୦୧୭-୧୮ରେ ତେଲ ଟିକସ ବାବଦରେ କେନ୍ଦ୍ର ସରକାର ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ପାଇଥିଲେ। ରାଜ୍ୟ ସରକାର ତେଲରୁ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ଆୟ କରିଥିଲେ। ଉଲ୍ଲେଖଯୋଗ୍ୟ, ପେଟ୍ରୋଲ୍‌ ଓ ଡିଜେଲ ଦରରେ ହ୍ରାସର ଧାରା ଜାରି ରହିଛି। ଆସନ୍ତାକାଲି (ଶନିବାର) ପାଇଁ ପେଟ୍ରୋଲ୍‌ ଦର ୩୯ ପଇସା ଓ ଡିଜେଲ ମୂଲ୍ୟ ୩୩ ପଇସା ହ୍ରାସ ପାଇଛି। ଭୁବନେଶ୍ୱରରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୫ ଟଙ୍କା ୮୪ ପଇସା ଓ ଡିଜେଲ ଦର ୭୩ ଟଙ୍କା ୧୯ ପଇସା ହୋଇଛି।

ସମ୍ବନ୍ଧିତ ଖବର