ଚର୍ଚ୍ଚାରେ ଟ୍ବିଟର ସିଇଓଙ୍କ ଟ୍ବିଟ୍‌: ଖଟ ପାଖ ଟେବୁଲ ପୋଷ୍ଟ କରିଛନ୍ତି ମସ୍କ

ଇନ୍ଦ୍ରଙ୍କ ବଜ୍ର ନା ଆପଣ ଜଣେ ଯାଦୁକର? ପ୍ରଥମ ଥର କୋକ୍‌ ଗୋଲଡ ଦେଖୁଛି

ନୂଆଦିଲ୍ଲୀ: ଟ୍ବିଟରର ନୂଆ ମାଲିକ ଏଲନ ମସ୍କଙ୍କର ଦୁଇଟି ଟ୍ବିଟ୍ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅପରାହ୍ଣ ୩ଟା ୧୮ ମିନିଟରେ ମସ୍କ ପ୍ରଥମେ ଏକ ଫଟୋ ଟ୍ବିଟ୍ କରିଥିଲେ। ସେହି ଫଟୋରେ ୪ଟି ସୁନେଲି ରଙ୍ଗର ଡାଏଟ କୋକ୍‌ ବୋତଲ, ୨ଟି ବନ୍ଧୁକ, ଠିପି ନଥିବା ବା ଖୋଲାଥିବା ଗୋଟିଏ ପାଣି ବୋତଲ, ଆମେରିକା କ୍ରାନ୍ତି ଯୁଦ୍ଧବେଳେ ଜର୍ଜ ୱାସିଂଟନ ଡେଲାୱାର ଅତିକ୍ରମ କରୁଥିବାର ଏକ ଚିତ୍ରକଳା, ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇଥିବା ଏକ ବସ୍ତୁ ଏବଂ ସୁନେଲି ରଙ୍ଗର ଏକ ଗୋଲାକାର ବସ୍ତୁ ଟେବୁଲ ଉପରେ ରଖାଯାଇଥିବା ଦେଖିବାକୁ ମିଳିଛି। ସେହି ଫଟୋ ତଳେ ‌‌ମସ୍କ ଗୋଟିଏ ଛୋଟିଆ ବାକ୍ୟ ଲେଖିଛନ୍ତି। ତାହା ହେଲା ମାଇଁ ବେଡ୍‌ସାଇଡ୍ ଟେବଲ୍‌। ଅର୍ଥାତ୍ ମୋର ଖଟ ପାଖ ଟେବୁଲ। ଏହାପରେ ସେ ନିଜ ଫ‌ଟୋ ସଂପର୍କରେ ଆଉ ଏକ ମତ ରଖିବାକୁ ଯାଇ ଦ୍ବିତୀୟ ଟ୍ବିଟ୍ କରିଛନ୍ତି। ସେଥିରେ ସେ ବୋତଲରେ ଠିପି ନଥିବାରୁ କ୍ଷମା ମାଗିବାକୁ ଯାଇ କହିଛନ୍ତି ଠିପି ନଥିବାରୁ ମୁଁ କୌଣସି ବାହାନା କରୁନାହିଁ।

ମସ୍କ ଉକ୍ତ ଟ୍ବିଟ କରିବାର କିଛି ଘଣ୍ଟା ମଧ୍ୟରେ ପାଖାପାଖି ୪୭ ଲକ୍ଷ ଲାଇକ ଏହାକୁ ମିଳିଛି। ୩୦ ହଜାରରୁ ଅଧିକ ରିଟ୍ବିଟ୍ ହୋଇଛି। ବହୁସଂଖ୍ୟକ ଲୋକ ମସ୍କଙ୍କ ଉକ୍ତ ଫଟୋ ଉପରେ ମତ ପ୍ରକାଶ କରିଛନ୍ତି। ସେହି ମତଗୁଡ଼ିକ ଆଜି ସାମାଜିକ ଗଣମାଧ୍ୟମ ଟ୍ବିଟରରେ ଅନେକଙ୍କ ପଢ଼ାଇବା ପାଇଁ ବେଶ୍ ରୋଚକ ହୋଇଛି। ଜଣେ ବ୍ୟକ୍ତି ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି ଆପଣ ବନ୍ଧୁକ ସଂସ୍କୃତିକୁ ସମର୍ଥନ କରନ୍ତି କି? ମୁଁ ଭାବିଥିଲି ଆପଣ ମାନବତା ଏବଂ ଶାନ୍ତିର ଜଣେ ପ୍ରଚାରକ ବୋଲି। ଅନ୍ୟ ଜଣେ ଲେଖିଛନ୍ତି ସ୍ବାସ୍ଥ୍ୟ ପକ୍ଷରେ କୋକ୍‌ ଅସ୍ବାସ୍ଥ୍ୟକର। ସବୁଠୁ ମଜାଦାର ବିଷୟ ହେଲା ବହୁଲୋକ ସେମାନଙ୍କ ‌ଶୋଇବା ଘରେ ବେଡ୍ ନିକଟରେ ପକାଇଥିବା ଟେବୁଲର ଫଟୋକୁ ଟ୍ବିଟରରେ ପୋଷ୍ଟ କରିଛନ୍ତି। କେତେକ ଟ୍ବିଟର ବ୍ୟବହାରକାରୀ ଅଶାଳୀନ ଫଟୋ ମଧ୍ୟ ଟ୍ବିଟ୍ କରିଛନ୍ତି। ମସ୍କଙ୍କ ଶୋଇବା ପାଖ ଟେବୁଲ ଉପରେ ରଖାଯାଇଥିବା ଧାତବ ସାମଗ୍ରୀଟି ବି ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସେହି ଧାତବ ପଦାର୍ଥକୁ କିଛି ଭାରତୀୟ ଇନ୍ଦ୍ରଙ୍କ ବଜ୍ର ବୋଲି କହିଛନ୍ତି। ତୁମ ବେଡ୍ ପାଖ ଟେବୁଲରେ ଇନ୍ଦ୍ରଙ୍କ ବଜ୍ର କ’ଣ କରୁଛି ବୋଲି ପଚରାଯାଇଛି। ଅନ୍ୟ ଜଣେ ଆପଣ କଣ ଯାଦୁକର ବୋଲି ପଚାରିଛନ୍ତି।

ଖଟ ପାଖ ଟେବୁଲ ପୋଷ୍ଟ କରିଛନ୍ତି ମସ୍କ
ଟେବୁଲ ଉପରେ ପେଣ୍ଟିଂ, ବନ୍ଧୁକ, ଡାଏଟ କୋକ୍‌, ଖୋଲା ପାଣିବୋତଲ, ଧାତବ ପଦାର୍ଥ
ଇନ୍ଦ୍ରଙ୍କ ବଜ୍ର ନା ଆପଣ ଜଣେ ଯାଦୁକର?
ପ୍ରଥମ ଥର କୋକ୍‌ ଗୋଲଡ ଦେଖୁଛି
ମିଳିଲାଣି ୪୭ ଲକ୍ଷ ଲାଇକ୍‌, ୩୦ ହଜାର ରିଟ୍ବିଟ୍‌

 

ଡାଇନା ନେଲସନ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ବଜ୍ର ଏବଂ ଘଣ୍ଟା ତିବ୍ଦତୀୟ ବୌଦ୍ଧମାନଙ୍କ ରୀତିନୀତି ପାଳନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଉପକରଣ। ତାହା ପଦ୍ଧତି ଏବଂ ଜ୍ଞାନର ପ୍ରତୀକ। ବନ୍ଧୁକ ଉଦ୍ଦେଶ୍ୟରେ ଜଣେ ପଚାରିଛନ୍ତି ଅସ୍ତ୍ରଶସ୍ତ୍ର ଘରେ ଉପଯୁକ୍ତ ଭାବେ ରଖାଯିବା ଉଚିତ ନୁହେଁ କି? ଆପଣଙ୍କ ଘରର ପିଲାମାନେ ସେଠାରେ ବୁଲାବୁଲି କରୁନାହାନ୍ତି କି? ବୋଲି ଲେଖିଛନ୍ତି। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଆପଣ ବନ୍ଧୁକର ମାଲିକ ବୋଲି ଗୋପନ ରଖିବା ଆବଶ୍ୟକ। ଟ୍ବିଟର ମାଧ୍ୟମରେ ସାରା ବିଶ୍ବ ଏହା ଜାଣିବା ଅନାବଶ୍ୟକ। କିଛି ବ୍ୟକ୍ତି ମସ୍କଙ୍କ ଟ୍ବିଟ୍‌ର ଉତ୍ତର ଦେବାକୁ ଯାଇ କେବଳ ଫଟୋ ପୋଷ୍ଟ କରିଥିବାବେଳେ ଆଉ କିଛି କେବଳ ମେସେଜ୍ ପୋଷ୍ଟ କରିଛନ୍ତି। କିନ୍ତୁ ଅଧିକାଂଶ ବ୍ୟକ୍ତି ଫଟୋ ସହିତ କିଛି ନା କିଛି ଲେଖିଛନ୍ତି। ତେବେ କିଛି ବ୍ୟକ୍ତି ‌ଡାଏଟ କୋକ୍‌ର ସୁନେଲି ରଙ୍ଗର ବୋତଲକୁ ନେଇ ପ୍ରଶ୍ନ କରିଛନ୍ତି। ଜଣେ ଲେଖିଛନ୍ତି ପ୍ରଥମ ଥର ପାଇଁ କୋକ୍‌ ଗୋଲଡ ଦେଖୁଛି। ଜଣେ ବ୍ୟକ୍ତି ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି କାର୍ଯ୍ୟରେ ଆସୁଥିବା ରାତ୍ର ଟେବୁଲ। ଡାଏଟ କୋକ୍ କେନ୍ ଥିବା ଉପରେ ଆଉ କିଛି ବ୍ୟକ୍ତି ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତି ହାନିକାରକ। ଅନ୍ୟପକ୍ଷରେ ଟ୍ବିଟରରେ ଟ୍ବିଟ୍ କରାଯାଉଥିବା କ୍ୟାରେକ୍ଟର ସଂଖ୍ୟା ୨୪୦ରେ ରହିଛି। ମସ୍କଙ୍କ ଅମଳରେ ଏହି ସଂଖ୍ୟା ଦୁଇଗୁଣା ବା ୪୨୦କୁ ବୃଦ୍ଧି କରାଯିବ କି ବୋଲି ଜଣେ କରିଥିବା ଏକ ଟ୍ବିଟର ଉତ୍ତର ରଖିଛନ୍ତି ମସ୍କ। ସେ ଭଲ ଚିନ୍ତାଧାରା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର