ନୂଆଦିଲ୍ଲୀ: ସୁନା ପ୍ରତି ଭାରତୀୟ ମହିଳାଙ୍କ ଆକର୍ଷଣ କାହାକୁ ଅଛପା ନାହିଁ। ହାର, ଚେନ୍, ମୁଦି, କାନଫୁଲ ଆଦି କିଣି ଘରେ ରଖିବା ସେମାନଙ୍କ ଏକ ଦୀର୍ଘଦିନର ଅଭ୍ୟାସ। ମହିଳାଙ୍କ ପାଖରେ ଥିବା ସୁନାର ମୂଲ୍ୟ ଜାଣିଲେ ବିଶ୍ବାସ କରିହେବନାହିଁ। ନିକଟରେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିବା ପରେ ସେମାନଙ୍କ ପାଖରେ ଥିବା ସୁନାର ମୂଲ୍ୟ ୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ୧୫ ବର୍ଷ ଭିତରେ ଭାରତୀୟ ମହିଳାମାନେ ୧୨ ହଜାର ଟନ୍ର ସୁନା କିଣିଛନ୍ତି।
ସେଥିରୁ ୮୬୯୬ ଟନ୍ ବିଭିନ୍ନ ପ୍ରକାର ଗହଣା ହୋଇଥିବା ବେଳେ ଅବଶିଷ୍ଟ ୩୩୧୦ ଟନ୍ ହେଉଛି ସୁନା ବାର୍ ଓ କଏନ୍। ପ୍ରତିବର୍ଷର ସୁନା ମୂଲ୍ୟ ଓ କିଣାଯାଇଥିବା ସୁନାର ପରିମାଣକୁ ନେଇ ଏକ ହିସାବ କରିବା ପରେ ତାହାର ବର୍ତ୍ତମାନ ମୂଲ୍ୟ ୫୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିବା ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମହିଳାମାନଙ୍କ ସୁନା କିଣା ଅଭ୍ୟାସକୁ ସାଧାରଣରେ ସମାଲୋଚନା କରାଯାଉଥିବା ବେଳେ ସେମାନଙ୍କ ସେହି ପଦକ୍ଷେପକୁ ବିଶେଷଜ୍ଞମାନେ ପ୍ରଶଂସା କରୁଛନ୍ତି। ସେମାନେ ସବୁଠୁ ଚତୁର ବୋଲି ପ୍ରତିଷ୍ଠିତ ବ୍ୟାଙ୍କର୍ ଉଦୟ କୋଟକ୍ କହିଛନ୍ତି। ସେ କହିଛନ୍ତି ଯେ ବିକାଶଶୀଳ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରମାନଙ୍କଠାରୁ ମହିଳାମାନେ ଚତୁର।