ଶ୍ରମ ଶକ୍ତିରେ ମହିଳାଙ୍କ ଭାଗ ୨୯%: ବାଣିଜ୍ୟରେ ନିଯୁକ୍ତି ୨୫% ହ୍ରାସ

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆଜି ତ୍ରୟମାସିକ ନିଯୁକ୍ତି ସର୍ବେକ୍ଷଣ ରିପୋର୍ଟ ଜାରି କରାଯାଇଛି ଯେଉଁଥିରେ ଅନେକ ରୋଚକ ତଥ୍ୟ ରହିଛି। ଶ୍ରମ ବ୍ୟୁରୋ ପକ୍ଷରୁ ୨୦୨୧ର ଏପ୍ରିଲ୍‌-ଜୁନ୍ ତିନି ମାସରେ ୯ଟି କ୍ଷେତ୍ରକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି କ୍ଷେତ୍ରଗୁଡ଼ିକର ନିଯୁକ୍ତିରେ ୨୯% ବୃଦ୍ଧି ହୋଇଛି। ନିଯୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷରେ ପହଞ୍ଚିଛି। ୨୦୧୩-୧୪ରେ ସେମାନଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ଥିଲା। ମୋଟ ଶ୍ରମ ଶକ୍ତିରେ ମହିଳାଙ୍କ ଭାଗ ୨୯%କୁ ହ୍ରାସ ପାଇଛି। ପୂର୍ବରୁ ଏହି ହାର ୩୧% ଥିଲା। ତ୍ରୟମାସିକ ନିଯୁକ୍ତି ସର୍ବେକ୍ଷଣକୁ ତିନି ବର୍ଷ ପୂର୍ବେ ହଠାତ୍‌ ବନ୍ଦ କରିଦିଆଯାଇଥିଲା। ମାତ୍ର ଏକ ଘରୋଇ ସଂସ୍ଥା ନିଯୁକ୍ତିର ତଥ୍ୟ ଜାରି କରିବା ପରେ ସରକାରଙ୍କ ଲାଗି ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଥିଲା।

ଲକ୍‌ଡାଉନ୍ ସମୟରେ କୋଟି କୋଟି ଲୋକ ଜୀବିକା ହରାଇଥିଲେ ବୋଲି ଜଣାପଡ଼ିଥିଲା। ସରକାରଙ୍କ ଯୁକ୍ତି ହେଉଛି ସେହି ତଥ୍ୟର କୌଣସି ସଠିକ୍ ଆଧାର ନାହିଁ। ଘରୋଇ ସଂସ୍ଥାର ନିଯୁକ୍ତି ତଥ୍ୟର ଗୁରୁତ୍ବ ହ୍ରାସ କରିବା ଲାଗି ସରକାରୀ ସ୍ତରରେ ପୁଣି ଥରେ ତ୍ରୟମାସିକ ନିଯୁକ୍ତି ସର୍ବେକ୍ଷଣ ଆରମ୍ଭ କରାଯାଇଛି। ଏହି ସରକାରୀ ସର୍ବେକ୍ଷଣ ନିଯୁକ୍ତି ତଥ୍ୟର ବିଶ୍ବସନୀୟତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ସପ୍ତମ ନିଯୁକ୍ତି ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ମୋଟ ନିଯୁକ୍ତି ମଧ୍ୟରୁ ୪୧ ପ୍ରତିଶତ ମାନୁଫାକ୍‌ଚରିଂ କ୍ଷେତ୍ରରେ ରହିଥିବା ବେଳେ ଶିକ୍ଷାରେ ୨୨%, ସ୍ବାସ୍ଥ୍ୟରେ ୮ ପ୍ରତିଶତ ଏବଂ ବାଣିଜ୍ୟ ଓ ଆଇଟି/ବିପିଓରେ ୭ ପ୍ରତିଶତ ରହିଛି। ଆଲୋଚ୍ୟ ତିନି ମାସରେ ଆଇଟି/ବିପିଓ କ୍ଷେତ୍ରରେ ନିଯୁକ୍ତିରେ ସର୍ବାଧିକ ୧୫୨% ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତିରେ ୭୭%, ଶିକ୍ଷାରେ ୩୯%, ମାନୁଫାକ୍‌ଚରିଂରେ ୨୨%, ପରିବହନରେ ୬୮% ଏବଂ ନିର୍ମାଣ କ୍ଷେତ୍ର ନିଯୁକ୍ତିରେ ୪୨% ବୃଦ୍ଧି ହୋଇଛି। କିନ୍ତୁ ବାଣିଜ୍ୟ କ୍ଷେତ୍ରରେ ନିଯୁକ୍ତି ୨୫% ହ୍ରାସ ପାଇଛି। ସେହିପରି, ରହଣୀ ଓ ରେସ୍ତୋରାଁ କ୍ଷେତ୍ରରେ ନିଯୁକ୍ତି ୧୩% ହ୍ରାସ ପାଇଥିବା ବେଳେ ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତିରେ ୪୮% ବୃଦ୍ଧି ହୋଇଛି।

ଏହି ସର୍ଭେରେ ଅଂଶ ଥିବା ୯୦% ସଂସ୍ଥାଗୁଡ଼ିକରେ ୧୦୦ରୁ କମ୍ ସଂଖ୍ୟକ କର୍ମଚାରୀ ରହିଛନ୍ତି। ଷଷ୍ଠ ସର୍ଭେରେ ଏହି ହାର ୯୫% ଥିଲା। ଆଇଟି/ବିପିଓ କ୍ଷେତ୍ରର ୩୫% ସଂସ୍ଥା ଅତିକମ୍‌ରେ ୧୦୦ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛନ୍ତି। ୧୮% ସଂସ୍ଥାରେ ୫୦୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ରହିଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୧୮ ପ୍ରତିଶତ ସଂସ୍ଥାରେ ୧୦୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ରହିଛନ୍ତି। ସର୍ଭେର ଅଂଶ ଥିବା ୯ଟି କ୍ଷେତ୍ରର ସଂସ୍ଥାଗୁଡ଼ିକରେ ୮୮% କର୍ମଚାରୀ ହେଉଛନ୍ତି ନିୟମିତ। ମାତ୍ର ୨ ପ୍ରତିଶତ ହେଉଛନ୍ତି କାଜୁଆଲ ଶ୍ରମିକ। ନିର୍ମାଣ କ୍ଷେତ୍ରରେ କିନ୍ତୁ ଚୁକ୍ତି ଭିତ୍ତିକ ଶ୍ରମିକଙ୍କ ସଂଖ୍ୟା ୧୮% ହୋଇଥିବା ବେଳେ କାଜୁଆଲ ଶ୍ରମିକଙ୍କ ସଂଖ୍ୟା ୧୩ ପ୍ରତିଶତ ରହିଛି। ଅତିକମ୍‌ରେ ୧୦ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିବା ମାତ୍ର ୯ ପ୍ରତିଶତ ସଂସ୍ଥା କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକୃତ ହୋଇନାହାନ୍ତି। କଂପାନି ନିୟମ ଅଧୀନରେ ଆଇଟି/ବିପିଓର ୭୧ ପ୍ରତିଶତ, ନିର୍ମାଣର ୫୮%, ମାନୁଫାକ୍‌ଚରିଂର ୪୬%, ପରିବହନର ୪୨%, ବାଣିଜ୍ୟର ୩୫% ଓ ଆର୍ଥିକ ସେବାର ୨୮% ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି। ପ୍ରାୟ ୧୮% ସଂସ୍ଥା ଚାକିରିରେ ଥିବା କର୍ମଚାରୀଙ୍କୁ କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ବୋଲି ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର