ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ମହିଳାମାନଙ୍କର ଯୋଗଦାନ କିଛି କମ୍‌ ନାହିଁ। ଏପରିକି ଷ୍ଟାର୍ଟଅପ୍‌ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଦବ୍‌ଦବା ବଢ଼ିଛି। ଗତ କିଛିବର୍ଷ ଭିତରେ ମହିଳାଙ୍କ ନେତୃତ୍ବରେ ପରିଚାଳିତ ଷ୍ଟାର୍ଟଅପ୍‌ଗୁଡ଼ିକ ପାଣ୍ଠି ସଂଗ୍ରହରେ ବଡ଼ ସଫଳତା ହାସଲ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନେତୃତ୍ବରେ ପରିଚାଳିତ ଷ୍ଟାର୍ଟଅପ୍‌ଗୁଡ଼ିକ ୨୦୨୪ ମସିହାରେ ୯୩୦ ନିୟୁତ ଡଲାରର ପାଣ୍ଠି ସଂଗ୍ରହ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୯୦୦ କୋଟି ଟଙ୍କା ହେବ। ୧୩୬ଟି ଚୁକ୍ତି କରି ମହିଳା ନେତୃତ୍ବାଧୀନ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ପାଣ୍ଠି ପାଇଛନ୍ତି। ୨୦୨୩ ମସିହାରେ ୧୧୮ଟି ଚୁକ୍ତି ଜରିଆରେ ଏମାନେ ୪୮୦ ନିୟୁତ ଡଲାର ପାଇଥିଲେ। ଅର୍ଥାତ୍‌ ୨୦୨୩ ତୁଳନାରେ ୨୦୨୪ରେ ଏଥିରେ ୯୩.୭୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି।

Advertisment

ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରୁ ଆର୍ଥିକପ୍ରଯୁକ୍ତି କ୍ଷେତ୍ରର ଷ୍ଟାର୍ଟଅପ୍‌ ସବୁଠୁ ଅଧିକ ପାଣ୍ଠି ପାଇଛନ୍ତି। ମୋଟ ପାଣ୍ଠି ଯୋଗାଡ଼ରେ ଆର୍ଥିକପ୍ରଯୁକ୍ତି ଷ୍ଟାର୍ଟଅପ୍‌ କ୍ଷେତ୍ରର ଯୋଗଦାନ ୨୮.୭ ପ୍ରତିଶତ ବା ୨୬୬.୯୧ ନିୟୁତ ଡଲାର ରହିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଇ-କମର୍ସ କ୍ଷେତ୍ରର ଷ୍ଟାର୍ଟଅପ୍‌ ରହିଛି। ଏହି କ୍ଷେତ୍ରକୁ ମୋଟ ପାଣ୍ଠିର ୨୨.୮ ପ୍ରତିଶତ ବା ୨୧୨ ନିୟୁତ ଡଲାର ରାଶି ମିଳିଛି। ଉଦ୍ୟୋଗ ପ୍ରଯୁକ୍ତି ୧୪ ପ୍ରତିଶତ ଅଂଶଧନ ବା ୧୩୦ ନିୟୁତ ଡଲାର ସହ ତୃତୀୟ ସ୍ଥାନରେ ରହିଛି। ତେବେ ଆର୍ଥିକ ପ୍ରଯୁକ୍ତି କ୍ଷେତ୍ର ମାତ୍ର ୧୭ଟି ଚୁକ୍ତି ଜରିଆରେ ଉପରୋକ୍ତ ରାଶି ସଂଗ୍ରହ କରିଛି। ଅନ୍ୟପକ୍ଷରେ ଇ-କମର୍ସ କ୍ଷେତ୍ର ୫୩ଟି ଚୁକ୍ତି ଜରିଆରେ ୨୧୨ ନିୟୁତ ଡଲାର ହାସଲ କରିଛି। ଏହାବ୍ୟତୀତ ସ୍ବାସ୍ଥ୍ୟ ପ୍ରଯୁକ୍ତି ଓ ସ୍ବଚ୍ଛପ୍ରଯୁକ୍ତି କ୍ଷେତ୍ରର ଅଂଶଧନ ଯଥାକ୍ରମେ ୧୧ ପ୍ରତିଶତ ଏବଂ ୧୪.୧ ପ୍ରତିଶତ ରହିଛି। 

ଅନ୍ୟପକ୍ଷରେ ୨୦୨୪ରେ ମୋଟ ୧୩ଟି ନୂଆପିଢ଼ିର କମ୍ପାନି ସେମାନଙ୍କ ଆଇପିଓ (ପ୍ରାରମ୍ଭିକ ପବ୍ଲିକ ଅଫର୍‌) ଆରମ୍ଭ କରିଛନ୍ତି। ଆଇପିଓ ଜରିଆରେ ସେମାନେ ଷ୍ଟକ ମାର୍କେଟରୁ ୨୯୨୦୦ କୋଟିରୁ ଅଧିକ ଅର୍ଥରାଶି ସଂଗ୍ରହ କରିଛନ୍ତି। ଷ୍ଟାର୍ଟଅପ୍‌ ଆଇପିଓଗୁଡ଼ିକ ମଧ୍ୟରେ ଟିଏସି ସିକ୍ୟୁରିଟି, ୟୁନିକମର୍ସ, ମୋବିକ୍ବିକ, ଟିବିଓ ଟେକ୍‌, ଇକ୍ସିଗୋ, ଟ୍ରଷ୍ଟ ଫିନଟେକ୍‌, ଫାଷ୍ଟ୍‌କ୍ରାଏ, ମେନହୁଡ୍‌, ଆୱାଫିସ୍‌, ସ୍ବିଗି, ଡିଜିଟାଲ ଇନସ୍ୟୁରାନ୍ସ, ବ୍ଲାକବକ୍‌ ଏବଂ ଓଲା ଇଲେକ୍ଟ୍ରିକ୍‌ ରହିଛନ୍ତି।