ପୁରୁଷଙ୍କ ଗଡ଼ରେ ମହିଳା : କାରଖାନାରେ ବାଇକ୍‌ଠାରୁ ଟ୍ରକ୍‌ ପର୍ଯ୍ୟନ୍ତ ନିର୍ମାଣ କରୁଛନ୍ତି

ନୂଆଦିଲ୍ଲୀ : ମୋଟର ସାଇକଲ ଠାରୁ ଆରମ୍ଭ କରି କାର ନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟ ଦେଶରେ ଏକଦା କେବଳ ପୁରୁଷମାନଙ୍କ ଦ୍ୱାରା ହିଁ କରାଯାଇ ଆସୁଥିଲା। କିନ୍ତୁ ପୁରୁଷମାନଙ୍କ ଏହି ଗଡ଼ରେ ଏବେ ମହିଳାମାନଙ୍କର ପ୍ରବେଶ ବହୁସଂଖ୍ୟାରେ ଆରମ୍ଭ ହୋଇଯାଇଛି। କେବଳ ମୋଟର ସାଇକଲ କିମ୍ବା କାର୍‌ ନୁହେଁ, ଟ୍ରକ୍‌ ଏବଂ ଟ୍ରାକ୍ଟର ଆଦି ନିର୍ମାଣ କ୍ଷେତ୍ରରେ ମହିଳାମାନେ ସାମିଲ ହେଲେଣି। ଟାଟା ମୋଟର୍ସ ଠାରୁ ଆରମ୍ଭ କରି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଆଇଚର ମୋଟର୍ସ, ହିରୋ ମୋଟୋକର୍ପ ଏବଂ ବଜାଜ୍‌ ଅଟୋ ଆଦି କମ୍ପାନି ମହିଳାମାନଙ୍କୁ ଗାଡ଼ି ଉତ୍ପାଦନ କାର୍ଯ୍ୟରେ ନିୟୋଜିତ କରି ଚାଲିଛନ୍ତି। ୪ ବର୍ଷ ପୂର୍ବେ ଏକ ୫ ଜଣିଆ ମହିଳା ବ୍ୟାଚ୍‌କୁ ନିଯୁକ୍ତି ଦେଇଥିଲା। ବିଶେଷକରି ଆର୍ଥିକ ଦୁର୍ବଳ ବର୍ଗର ମହିଳାଙ୍କୁ ଚୟନ କରି ସେମାନଙ୍କୁ ତାଲିମ ମଧ୍ୟ ଦେଇଥିଲା। କିନ୍ତୁ ଆଜି ଟାଟା ମୋଟର୍ସରେ ୧୮୧୨ ଜଣ ମହିଳା କାର୍ଯ୍ୟ କରୁଛନ୍ତି। କମ୍ପାନିର ବିଭିନ୍ନ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୁଦାୟ କର୍ମଚାରୀଙ୍କ ମଧ୍ୟରେ ଏବେ ମହିଳା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୪ ପ୍ରତିଶତରେ ପହଞ୍ଚି ଯାଇଛି।

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ମଧ୍ୟ ପଛରେ ନାହିଁ। ୨୦୧୬ରେ ଏହି କମ୍ପାନି ୨୩ଜଣ ମହିଳାଙ୍କୁ ପ୍ରଥମେ ନିଯୁକ୍ତି ଦେଇଥିଲା। ଏବେ ଏମାନଙ୍କ ସଂଖ୍ୟା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ସମସ୍ତ ନିର୍ମାଣ ୟୁନିଟ୍‌ରେ ୩୮୦ରୁ ଊର୍ଧ୍ୱରେ ପହଞ୍ଚି ଗଲାଣି। କମ୍ପାନିର କୃଷି ଉପକରଣ ନିର୍ମାଣ ଶାଖା ଏବଂ ସହାୟକ କମ୍ପାନି ସ୍ୱରାଜ୍‌ରେ ୨୫୦ରୁ ଅଧିକ ମହିଳା କାର୍ଯ୍ୟ କରୁଛନ୍ତି।
ସେହିଭଳି ଆଇଚର ମୋଟର୍ସର ଦୁଇ ଚକିଆ ଯାନ ଶାଖା ରୟାଲ ଏନ୍‌ଫିଲ୍‌ଡର ଗୋଟିଏ ଆସେମ୍ବ୍ଲି ଲାଇନ୍‌କୁ କେବଳ ମହିଳାମାନେ ପରିଚାଳନା କରୁଛନ୍ତି। ଏଠାରେ ପ୍ରାୟ ୧୪୦ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ହିରୋ ମୋଟୋକର୍ପ ପକ୍ଷରୁ ମଧ୍ୟ ତେଜସ୍ୱିନୀ ନାମରେ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏବେ କମ୍ପାନିର ବିଭିନ୍ନ କାରଖାନାରେ ୧୬୦ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବଜାଜ୍‌ ଅଟୋର ଚକଣ ଏବଂ ପନ୍ତନଗର କାରଖାନାରେ ‘କେବଳ ମହିଳା’ ଆସେମ୍ବ୍ଲି ଲାଇନ୍‌ ରହିଛି। ଗତ ୪ ବର୍ଷ ମଧ୍ୟରେ କମ୍ପାନିର ମହିଳା କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ଘଟି ୨୦୧୭-୧୮ ଆର୍ଥିକ ବର୍ଷ ସୁଦ୍ଧା ୩୫୫ରେ ପହଞ୍ଚିଛି।

ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଗଜେନ୍ଦ୍ର ଚାଣ୍ଡେଲ୍‌ କୁହନ୍ତି, ମହିଳାମାନଙ୍କ ପାଇଁ ଯାହା ଭଲ ତାହା ସମାଜ ପାଇଁ ଏବଂ ବ୍ୟବସାୟ ପାଇଁ ମଧ୍ୟ ଭଲ। ସେହିଭଳି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଚିଫ୍‌ ପିପୁଲ୍‌ ଅଫିସର ରାଜେଶ୍ୱର ତ୍ରିପାଠୀ କୁହନ୍ତି, ଗତ ଦୁଇ ବର୍ଷ ମଧ୍ୟରେ କମ୍ପାନି କାରଖାନାରେ ଉତ୍ପାଦନ ଲାଗି ଯେତିକି ନିଯୁକ୍ତି ଦେଇଛି ସେଥିରେ ମହିଳାଙ୍କ ସଂଖ୍ୟା ପ୍ରାୟ ୭.୫ ପ୍ରତିଶତ ରହିଛି। ରୟାଲ ଏନ୍‌ଫିଲ୍‌ଡ ପକ୍ଷରୁ କୁହାଯାଇଛି, ଗତ ୩ ବର୍ଷ ହେଲା କାରଖାନାରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବାର୍ଷିକ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ଘଟୁଛି।

ସମ୍ବନ୍ଧିତ ଖବର