ଭୁବନେଶ୍ବର: ମହିଳାମାନେ କେବଳ ପରିବାରର ସମ୍ପତ୍ତି ଉପଭୋଗ କରିବାରେ ସୀମିତ ନାହାନ୍ତି। ସମ୍ପତ୍ତିର ପରିଚାଳନା, ନୂତନ ସମ୍ପତ୍ତି ସୃଷ୍ଟି ଓ ସ୍ଥାନାନ୍ତର ଆଦି କ୍ଷେତ୍ରରେ ସେମାନଙ୍କ ଗୁରୁତ୍ବ ବଢ଼ିବାରେ ଲାଗିଛି ବୋଲି ଆକ୍ସିସ୍ ଏଏମ୍‌ସିର ମୁଖ୍ୟ (ଫାମିଲି ଅଫିସ୍ ଓ ପ୍ରାଇଭେଟ୍‌ ୱେଲ୍‌ଥ) ଅରୁଣିମା ‌ନୈନ୍ କହିଛନ୍ତି। ସେଥିପାଇଁ ଫାମିଲି ଅଫିସ୍ ଓ ଘରୋଇ ସମ୍ପତ୍ତି ପରିଚାଳନାର ନେତୃତ୍ବ ଅଧିକରୁ ଅଧିକ ମହିଳା ନେଉଛନ୍ତି। ବୋଷ୍ଟନ କନ୍‌ସଲ୍‌ଟିଂ ଗ୍ରୁପ୍‌ର ତଥ୍ୟ ଅନୁସାରେ ବିଶ୍ବର ଏକ ତୃତୀୟାଂଶ ସମ୍ପତ୍ତି ମହିଳାମାନେ ପରିଚାଳନା କରୁଛନ୍ତି। ଉଦ୍ୟମିତା, ନିବେଶ ଓ ଫାମିଲି ଅଫିସ୍ ଜରିଆରେ ସେମାନଙ୍କ ଭୂମିକା ବଢ଼ିବାରେ ଲାଗିଛି। ଏକ୍ଷେତ୍ରରେ କିଛି ଆହ୍ବାନ ବି ରହିଛି। ବାର୍‌କ୍ଲେର ଏକ ରିପୋର୍ଟ ଅନୁସାରେ ଆସନ୍ତା ଦୁଇ ଦଶନ୍ଧିରେ ଧନୀ ପରିବାରର ପ୍ରତି ୧୦ରୁ ୮ ମହିଳା ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ପାଇବେ। କିନ୍ତୁ ଆର୍ଥିକ ନିଷ୍ପତ୍ତି ନେବାରେ ସେମାନଙ୍କ ଭୂମିକା ଅଧାରୁ କମ୍ ରହିଛି।

Advertisment

ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତି ବେଳେ ମହିଳାଙ୍କ ଯୋଗଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ବିଶେଷ କରି ସମ୍ପତ୍ତି ହସ୍ତାନ୍ତର ଓ ଉତ୍ତରାଧିକାରୀ ନିଷ୍ପତ୍ତି ନେବା ବେଳେ ସେମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ସମ୍ପତ୍ତି ସମ୍ପର୍କିତ ନିଷ୍ପତ୍ତି ଆଲୋଚନାରେ ସେମାନଙ୍କୁ ସାମିଲ କରିବାକୁ ହେବ ବୋଲି ନୈନ୍ କହିଛନ୍ତି। ପରିବାରର ଆର୍ଥିକ ନିଷ୍ପତ୍ତି ପ୍ରକ୍ରିୟାରେ ମହିଳାଙ୍କୁ ସାମିଲ କରିବା କେବଳ ନ୍ୟାୟୋଚିତ ନୁହେଁ, ବରଂ ଅନ୍ତର୍ଭୁକ୍ତୀକରଣର ଏକ ଆବଶ୍ୟକତା। ଫାମିଲି ଅଫିସ୍‌ରେ ଅଧିକରୁ ଅଧିକ ମହିଳାଙ୍କ ପ୍ରଭାବ ବଢ଼ୁଥିବାରୁ, ‌ସେମାନଙ୍କ ସ୍ବର ସମ୍ପତ୍ତି ପରିଚାଳନାର ଭବିଷ୍ୟତ ଗଠନ କରିବ। ଆଗାମୀ ଦିନରେ ସମ୍ପତ୍ତି ପରିଚାଳନାରେ ମହିଳାମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି।