ଭୁବନେଶ୍ବର/ଖୋର୍ଦ୍ଧା: ଖୋର୍ଦ୍ଧାର କୁମାରବସ୍ତରେ ସ୍ଥାପନ କରାଯାଇଥିବା ୱଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ ଚଳିତ ବର୍ଷ ମେ’ ମାସରେ ଏହାର ଦ୍ବାରକୁ ସାଧାରଣ ଜନତାଙ୍କ ପାଇଁ ଖୋଲିଥିବା ବେଳେ ଶୁକ୍ରବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତ‌ାହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ପାର୍କ ରାଜ୍ୟର ପର୍ଯ୍ୟଟନ ବୃଦ୍ଧିରେ ସହାୟକ ହେବ ଓ ଯୁବପିଢ଼ିମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି।

Advertisment

ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏହି ପାର୍କ ରାଜ୍ୟରେ ଚିତ୍ତବିନୋଦନ ସୁବିଧାରେ ଉନ୍ନତି ଆଣିଛି। ଅତ୍ୟାଧୁନିକ ରାଇଡ୍‌ ସୁବିଧା ଥିବା ଏହି ପାର୍କର ଉଚ୍ଚ ସୁରକ୍ଷା ମାନକ ପରିଦର୍ଶକ ଓ ପରିବାରଗୁଡ଼ିକୁ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପ୍ରଦାନ କରିବ। ମୋବାଇଲ୍‌ରୁ ମୁହଁ ବାହାର କରୁନଥିବା ପିଲାମାନଙ୍କୁ ଏହା ବାହ୍ୟ ଦୁନିଆ ସହ ଯୋଡ଼ିବ। ଏହା ପିଲାମାନଙ୍କ ଉଭୟ ଶାରିରୀକ ଓ ମାନସିକ ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ ଖୋଲୁ ବୋଲି ସରକାର ଚାହୁଥିବାରୁ ୱଣ୍ଡେର୍ଲା ଭଳି ସଂସ୍ଥାଗୁଡ଼ିକୁ ସରକାର ସବୁ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିତିଲାପିଲ୍ଲୀ କହିଛନ୍ତି ଯେ ଭୁବନେଶ୍ବର ପାର୍କକୁ ବାତ୍ୟା ପ୍ରତିରୋଧୀ ପାର୍କ ଭାବେ ବିକାଶ କରାଯାଇଛି।  ମେ’ ମାସରେ ପାର୍କ ଆରମ୍ଭ ହେବା ପରଠାରୁ ୪୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅର୍ଥନୀତି ମଧ୍ୟ ଦୃଢ଼ ହୋଇଛି।

 ଏହି ପାର୍କର କ୍ଷମତା ୩୫୦୦ ଲୋକ ହୋଇଥିବା ବେଳେ ରେକର୍ଡ ୧୩ ମାସ ସମୟ ଭିତରେ ତାହାକୁ ସ୍ଥାପନ କରାଯାଇଛି। ଏଥିରେ ୧୯୦ କୋଟି ଟଙ୍କା ନିବେଶ ହୋଇଛି। ଚଳିତ ଆର୍ଥିକ ବର୍ଷରେ ପାର୍କ ୩୫ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି। କମ୍ପାନି ଚେନ୍ନାଇରେ ୫୦୦ କୋଟି ଟଙ୍କା ନିବେଶରେ ଏକ ପାର୍କ ସ୍ଥାପନ କରୁଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ୱଣ୍ଡେର୍ଲା ହଲିଡେଜ୍‌ର ସଭାପତି ଶିବଦାସ ଏମ୍, ସିଓଓ ଧୀରେନ ଚୌଧାରୀ ଓ ଭୁବନେଶ୍ବର ପାର୍କ ମୁଖ୍ୟ କଳ୍ପତରୁ ନାୟକ ଉପସ୍ଥିତ ଥିଲେ।