ଭୁବନେଶ୍ବର: ଖୋର୍ଦ୍ଧା କୁମ୍ଭାରବସ୍ତରେ ସ୍ଥାପନ କରାଯାଇଥିବା ୱଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ ଏକ ବର୍ଷର ଯାତ୍ରା ପୂରଣ କରିଛି। ଏହି ବର୍ଷକ ଭିତରେ ପାର୍କକୁ ୨.୬୪ ଲକ୍ଷ ଲୋକ ପରିଦର୍ଶନ କରିଥିଲେ। ସେହି ସଂଖ୍ୟାକୁ କମ୍ପାନି ଚଳିତ ବର୍ଷ ୩ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ପ୍ରଥମ ୧୦ ମାସରେ କମ୍ପାନିର ମୋଟ୍ କାରବାର ୨୦ କୋଟି ଟଙ୍କା ରହିଥିଲା। ତାହାକୁ ଆସନ୍ତା ବର୍ଷ ଦ୍ବିଗୁଣିତ କରି ୪୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ୱଣ୍ଡର୍ଲା ହଲିଡେଜ୍ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିଟିଲାପଲ୍ଲୀ କହିଛନ୍ତି।
ଭୁବନେଶ୍ବର ପାର୍କରେ ୱଣ୍ଡର୍ଲା ୧୯୦ କୋଟି ଟଙ୍କା ନିବେଶ କରି ୨୩ଟି ରାଇଡ୍ ବିକାଶ କରିଛି। ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଥିବା କମ୍ପାନିର ପାର୍କଗୁଡ଼ିକରେ ଥିବା ୪୦-୫୦ ରାଇଡ୍ ତୁଳନାରେ ତାହା କମ୍। ପରିଦର୍ଶକ ସଂଖ୍ୟା ବଢ଼ିବା ସହ କମ୍ପାନି ନୂଆ ନୂଆ ରାଇଡ୍ ଯୋଡ଼ିବ। ପାର୍କରେ ଏକ ରିସୋର୍ଟ ସ୍ଥାପନ କରିବାକୁ କମ୍ପାନି ଯୋଜନା ରଖିଛି। ତାହାକୁ ଆସନ୍ତା ଦୁଇ ବର୍ଷ ପରେ ନିର୍ମାଣ କରିବାର ସମ୍ଭାବନା ଥିବା ଶ୍ରୀ ଚିଟିଲାପଲ୍ଲୀ କହିଛନ୍ତି। ଇତି ମଧ୍ୟରେ ଭୁବନେଶ୍ବର ପାର୍କରେ ୫୦୦-୮୦୦ ଲୋକଙ୍କୁ ନେଇ ଆୟୋଜନ କରାଯାଉଥିବା କର୍ପୋରେଟ୍ ଓ ବିବାହ କାର୍ଯ୍ୟକ୍ରମ ଲାଗି ଲନ୍ ଓ ହଲ୍ର ବ୍ୟବସ୍ଥା କରାଯାଇଛି। ଦୁଇ ବର୍ଷ ମଧ୍ୟରେ କମ୍ପାନି ଏବିଟ୍ଡା ଓ ନିବେଶ ଉପରେ ରିଟର୍ଣ୍ଣ (ଆର୍ଓଆଇ)ରେ ବ୍ରେକ୍ ଇଭେନ୍ (ନିବେଶ ରାଶିର ଭରଣା ହେବା) ହାସଲ କରିବାକୁ କମ୍ପାନି ଆଶା କରାଯାଇଛି। ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରି ଶ୍ରୀ ଚିଟିଲାପଲ୍ଲୀ କହିଛନ୍ତି ଯେ ୬୦୦ କୋଟି ଟଙ୍କା ନିବେଶରେ ଚେନ୍ନାଇରେ ଏକ ବୃହତ୍ ପାର୍କ ସ୍ଥାପନ କରାଯାଉଛି ଯାହା ଖୁବ୍ଶୀଘ୍ର ଖୋଲିବ। ଏଥି ସହିତ କମ୍ପାନି ପଶ୍ଚିମ ଭାରତରେ ଏହାର ଉପସ୍ଥିତି ବଢ଼ାଇବାକୁ ଯୋଜନା ରଖିଛି। ସେଥିପାଇଁ ମହାରାଷ୍ଟ୍ର ଓ ଗୁଜରାଟରେ ସ୍ଥାନ ଚିହ୍ନଟ କରିଛି। ନୂଆ ପାର୍କଗୁଡ଼ିକ ୨ ବର୍ଷ ମଧ୍ୟରେ ବିକାଶ କରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି।
ଏକ ବର୍ଷ ଭିତରେ କମ୍ପାନି ଭୁବନେଶ୍ବର ଆମ୍ୟୁଜମେଣ୍ଟ ପାର୍କରେ ୧୨୧ ଶିକ୍ଷାନୁଷ୍ଠାନ ଓ ୪୧୩ଟି କର୍ପୋରେଟ୍ ଗ୍ରୁପ୍କୁ ଆମନ୍ତ୍ରଣ କରିଥିଲା। ଏଥି ସହିତ ଫଙ୍କି ମଙ୍କି ଓ ୱଣ୍ଡର୍ଲା ବାମ୍ବା ଭଳି ଦୁଇଟି ନୂଆ ରାଇଡ୍ ଆରମ୍ଭ କରିଥିଲା। କମ୍ପାନି ପକ୍ଷରୁ ପୂଜା ପାସ୍ ଆରମ୍ଭ କରାଯାଇଛି। ଅନ୍ଲାଇନ୍ ବୁକିଂରେ ୭୯୯ ଟଙ୍କାରେ ତାହା ମିଳିବ। ସେହି ପାସ୍କୁ ଚଳିତ ମାସ ୨୭ରୁ ଅକ୍ଟୋବର ୭ ମଧ୍ୟରେ ବ୍ୟବହାର କରାଯାଇପାରିବ। ଏହି ଅବସରରେ କମ୍ପାନି ସିଓଓ ଧୀରନ ଚୌଧୁରୀ ଓ ଭୁବନେଶ୍ବର ପାର୍କ ମୁଖ୍ୟ ସମୀର ଅଲ୍ଲୀ ଉପସ୍ଥିତ ଥିଲେ।