ଶ୍ରମିକ ଅଧିକ ସମୟ କାମ କରିବେନି, ରାଜ୍ୟଗୁଡ଼ିକର ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରା‌ହ୍ୟ

ଗୃହରେ ସୂଚନା ଦେଲେ ଶ୍ରମମନ୍ତ୍ରୀ

ନୂଆଦିଲ୍ଲୀ: କାରଖାନା ନିୟମରେ ସଂଶୋଧନ କରି ଶ୍ରମିକମାନଙ୍କ କାର୍ଯ୍ୟ କରିବାର ସମୟ ବଢ଼ାଇବା ଲାଗି କେତେକ ରାଜ୍ୟ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏନେଇ ସୂଚନା ଦେଇଛନ୍ତି। କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ କାର୍ଯ୍ୟ ସମୟ ଏବେ ୮ ଘଣ୍ଟା ରହିଛି। ତାହାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟଗୁଡ଼ିକ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟ ସମୟ ବଢ଼ାଇବା ପ୍ରସ୍ତାବକୁ ଯଦିଓ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି କିନ୍ତୁ ଦେଶ‌ର ଅନେକ କାରଖାନାରେ ଶ୍ରମିକମାନେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଭଳି ଲମ୍ବା ସମୟ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

କରୋନା ମହାମାରୀ ପ୍ରଭାବ ଯୋଗୁଁ ଅନେକ ‌ଲୋକ ‌ବେକାର ହେବା ପରେ ପୁଞ୍ଜିନିବେଶ ହାତେଇବା କଂପାନିଗୁଡ଼ିକୁ ସୁହାଇବା ଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ଏକ ପ୍ରମୁଖ ପ୍ରସ୍ତାବ ହେଉଛି କାର୍ଯ୍ୟ ସମୟ ବଢ଼ାଇବା। ଲକ୍‌ଡାଉନ୍ ସମୟରେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ଥିଲା। ଲୋକ ଉପାସରେ କିଛିଦିନ ରହିବା ପରେ ହାତରେ ଥିବା ସବୁ ଟଙ୍କାପଇସା ଶେଷ ହୋଇଯିବାରୁ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ। ସେହି କରୁଣ ଦୃଶ୍ୟ ସାରା ବିଶ୍ବ ଦେଖିଥିଲା। ସେହି ସମୟରେ କାରଖାନାଗୁଡ଼ିକରେ ଶ୍ରମିକମାନଙ୍କ ଘୋର ଅଭାବ ଦେଖାଦେଲା। କଂପାନିଗୁଡ଼ିକ ପାଖରେ ଥିବା କାର୍ଯ୍ୟ ବରାଦ ଶେଷ କରିବା ଲାଗି ମଧ୍ୟ ଲୋକ ମିଳିନଥିଲେ। ତେଣୁ ସାମାଜିକ ଦୂରତ୍ବ ବଜାୟ ରଖିବା, ଶ୍ରମିକମାନଙ୍କୁ କାରଖାନା ପାଖରେ ରଖିବା ଏବଂ ଅଧାରେ ଅଟକିଥିବା ବରାଦ ପୂରଣ କରିବା ଲାଗି କାର୍ଯ୍ୟ ସମୟ ବଢ଼ାଇବା ଭଳି ନିଷ୍ପତ୍ତି ନେବାକୁ ଦାବି ହୋଇଥିଲା। ସେହି ସମୟରେ ଅନେକ ରାଜ୍ୟ ଶ୍ରମିକମାନଙ୍କ କାର୍ଯ୍ୟ କରିବା ସମୟ ବଢ଼ାଇବା ବିଷୟରେ ଘୋଷଣା କରିଥିଲେ। ଶ୍ରମିକ ସଂଗଠନଗୁଡ଼ିକ ତାହାକୁ ତୀବ୍ର ବିରୋଧ କରିଥିଲେ। ଏହା ଦ୍ବାରା ଶ୍ରମିକମାନେ ଶୋଷଣର ଶିକାର ହେବେ ବୋଲି ସଂଗଠନଗୁଡ଼ିକ କହିଥିଲେ।

ସମ୍ବନ୍ଧିତ ଖବର