ନୂଆଦିଲ୍ଲୀ: ଗୋଟିଏ ପଟେ ଅତ୍ୟଧିକ କାମ ଚାପ କର୍ମଚାରୀଙ୍କ ଜୀବନ ନେଉଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଥିବା ବେଳେ ଅନ୍ୟ ପଟେ କିଛି ଉଦ୍ୟୋଗୀ ଅଧିକରୁ ଅଧିକ ସମୟ କାର୍ଯ୍ୟ କରିବା ନେଇ ଯୁକ୍ତି ବାଢ଼ୁଛନ୍ତି। ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତି ସପ୍ତାହକୁ ୭୦ ଘଣ୍ଟା କାମ କରିବା ଲାଗି ଦେଶର ଯୁବପିଢ଼ିଙ୍କୁ ଆହ୍ବାନ ଦେବା ପରେ ଏହି ବିତର୍କ ଆରମ୍ଭ ହୋଇଥିଲା। ତେବେ ଇଞ୍ଜିନିୟରିଂ କମ୍ପାନି ଏଲ୍‌ଆଣ୍ଡ୍‌ଟିର ସିଇଓ ଏସ୍‌ଏନ୍ ସୁବ୍ରମଣ୍ୟମ ସପ୍ତାହକୁ ୯୦ ଘଣ୍ଟା କାମ କରିବା ପାଇଁ ଦେଇଥିବା ମନ୍ତବ୍ୟ ସେହି ବିତର୍କକୁ ଆହୁରି ତୀବ୍ର କରିଛି। କର୍ମଚାରୀଙ୍କୁ ସମ୍ବୋଧିତ କରି ସୁବ୍ରମଣ୍ୟମ କହିଥିଲେ ଯେ ରବିବାର ମୁଁ ଆପଣମାନଙ୍କୁ କାମ କରାଇପାରୁନଥିବାରୁ ଦୁଃଖିତ ମନେ କରୁଛି। ଯଦି ମୁଁ ଆପଣଙ୍କୁ ରବିବାର କାମ କରାଇପାରିବି ତେବେ ବହୁତ ଖୁସି ହେବି। ତୁମେମାନେ ଘରେ ବସି କ’ଣ କରୁଛ? ପତ୍ନୀଙ୍କୁ କେତେ ସମୟ ଚାହିରହିବ? ଅଫିସ୍ ଆସ, କାମ କର ବୋଲି ସେ କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

Advertisment

ଚର୍ଚ୍ଚାରେ ଏଲ୍‌ଆଣ୍ଡ୍‌ଟି ସିଇଓଙ୍କ ମନ୍ତବ୍ୟ
ଦୀପିକାଙ୍କ କଡ଼ା ସମାଲୋଚନା

ଏହି ମନ୍ତବ୍ୟ ଲାଗି ଏଲ୍‌ଆଣ୍ଡ୍‌ଟି ସିଇଓ ଶ୍ରୀ ସୁବ୍ରମଣ୍ୟମଙ୍କୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ କଡ଼ା ସମା‌ଲୋଚନା କରିଛନ୍ତି। ମାନସିକ ସ୍ବାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରୁଥିବା ଦୀପିକା କହିଛନ୍ତି ଯେ ଏତେ ବଡ଼ ପଦରେ ଥିବା ଲୋକମାନେ ଏଭଳି କଥା କହୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ଶ୍ରୀ ସୁବ୍ରମଣ୍ୟମ୍‌ଙ୍କୁ ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ସମ‌ାଲୋଚନା କରିଛନ୍ତି। କର୍ମ-ଜୀବନ ସନ୍ତୁଳନ ଏକ ବିକଳ୍ପ ନୁହେଁ, ଏହା ଏକ ଆବଶ୍ୟକତା ବୋଲି ସେ କହିଛନ୍ତି। ପ୍ରବଳ କାମ ଚାପରୁ ୟର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ର ଯୁବ ସିଏ ଆନ୍ନା ସେବାଷ୍ଟିଆନ ପେରାୟିଲ୍‌ଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଯାଇ ନଥିବା ବେଳେ ସୁବ୍ରମଣ୍ୟମଙ୍କ ଏଭଳି ମନ୍ତବ୍ୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କୁହାଯାଇଛି।