୯ ଘଣ୍ଟା ହୋଇପାରେ କାର୍ଯ୍ୟଦିବସ ସମୟ, ମଜୁରି କୋଡ୍‌ରେ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : କାର୍ଯ୍ୟ ଦିବସର ସମୟ କେତେ ଘଣ୍ଟା ହେବା ଦରକାର? ଦେଶରେ ୯ ଘଣ୍ଟିଆ କାର୍ଯ୍ୟଦିବସ ଲାଗୁ କରିବାକୁ ସରକାର ଚାହୁଛନ୍ତି। ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ମଜୁରି କୋଡ୍‌ରେ ଏଭଳି ପ୍ରସ୍ତାବ ଦିଆଯାଇଛି। ଏହା ଉପରେ ଜନ ସାଧାରଣ ଓ ଅଂଶୀଦାରଙ୍କ ମତାମତ ଲୋଡ଼ାଯାଇଛି।

ଏବେ ୮ ଘଣ୍ଟିଆ କାର୍ଯ୍ୟଦିବସ ପ୍ରଚଳନରେ ରହିଛି। ସେହି ଅନୁସାରେ ମାସକର ବେତନ ହିସାବ କରିବା ଲାଗି ୨୬ ଦିନର କାର୍ଯ୍ୟକୁ ବିଚାରକୁ ନିଆଯାଉଛି। କାର୍ଯ୍ୟ ଦିବସର ସମୟକୁ ୯ ଘଣ୍ଟା କରିବା ଲାଗି ସରକାର ପ୍ରସ୍ତାବ ଦେଇଥିବା ବେଳେ ମଜୁରି ହିସାବକୁ ସେହି ୨୬ ଦିନ ରଖିଛନ୍ତି। ଏହାକୁ ଶ୍ରମିକ ସଂଗଠନଗୁଡ଼ିକ ବିରୋଧ କରୁଛନ୍ତି।

ସିଟୁର ଉପସଭାପତି ଏ କେ ପଦ୍ମନାଭନ କହିଛନ୍ତି ଯେ, କିଛି କାରଖାନାରେ କର୍ମଚାରୀମାନେ ଦିନକୁ ୯ ଘଣ୍ଟା କାମ କରୁଛନ୍ତି। ସରକାର ଯେଉଁ ଚିଠା ମଜୁରି କୋଡ୍ ଆଣିଛନ୍ତି ତାହା ଜରିଆରେ ୯ ଘଣ୍ଟିଆ କାର୍ଯ୍ୟଦିବସକୁ ସ୍ବୀକୃତି ପ୍ରଦାନ କରିବାର ପ୍ରୟାସ କରାଯାଉଛି। ଏଥିରେ କର୍ମଚାରୀଙ୍କ କଲ୍ୟାଣ ପ୍ରତି ଗୁରୁତ୍ବ ଦିଆଯାଇନାହିଁ। ସେଥିପାଇଁ ଆମେ ଏହାକୁ ବିରୋଧ କରିବୁ ବୋଲି ପଦ୍ମନାଭନ କହିଛନ୍ତି।

ଚିଠା ମଜୁରି କୋଡ୍‌ରେ ସର୍ବନିମ୍ନ ମଜୁରିକୁ ନେଇ କୌଣସି ପ୍ରସ୍ତାବ ନାହିଁ। ଭବିଷ୍ୟତରେ ଏକ କମିଟି ଏବିଷୟରେ ସରକାରଙ୍କୁ ପ୍ରସ୍ତାବ ଦେଇପାରେ ବୋଲି କୁହାଯାଇଛି। ସର୍ବନିମ୍ନ ମଜୁରି ନିର୍ଧାରଣ କରିବାକୁ ନେଇ ଶ୍ରମ ମନ୍ତ୍ରଣାଳୟ ତରଫରୁ ଏକ କମିଟି ଗଠନ କରାଯାଇଥିଲା। ଗତ ଜାନୁଆରିରେ କମିଟି ଦେଇଥିବା ରିପୋର୍ଟରେ ଜଣାଇଥିଲା ଯେ, ଦୈନିକ ମଜୁରି ୩୭୫ ଟଙ୍କା, ସର୍ବନିମ୍ନ ମାସିକ ବେତନ ୯୭୫୦ ଟଙ୍କା ହେବା ଦରକାର। ଏହା ବ୍ୟତୀତ ସହରାଞ୍ଚଳର କର୍ମଚାରୀମାନଙ୍କୁ ୧୪୩୦ ଟଙ୍କାର ଘର ବାବଦ ଭତ୍ତା ପ୍ରଦାନ କରାଯାଉ ବୋଲି କମିଟି ପ୍ରସ୍ତାବ ଦେଇଥିଲା।

ଚିଠାରେ କ’ଣ ପ୍ରସ୍ତାବ ରହିଛି?

ସର୍ବନିମ୍ନ ମଜୁରି ନିର୍ଧାରଣ ପାଇଁ ଦେଶକୁ ତିନିଟି ଭୌଗୋଳିକ ବର୍ଗରେ ବିଭାଜନ କରାଯିବ। ତାହା ହେଉଛି (କ)୪୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ମେଟ୍ରୋ ଅଞ୍ଚଳ, (ଖ) ୧୦ ଲକ୍ଷରୁ ୪୦ ଲକ୍ଷ ଲୋକ ବସବାସ କରୁଥିବା ଅଣ-ମେଟ୍ରୋ ଅଞ୍ଚଳ ଓ (ଗ)ଗ୍ରାମାଞ୍ଚଳ।
ସର୍ବନିମ୍ନ ମଜୁରିରେ ଘର ଭଡ଼ାର ଭାଗ ୧୦% ରହିବ
ଇନ୍ଧନ, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ଖର୍ଚର ଭାଗ ୨୦% ରହିବ
ମଜୁରି ହିସାବ ବେଳେ ଦୈନିକ ୨୭୦୦ କ୍ୟାଲୋରି ଗ୍ରହଣ କରିବା ଓ ଏକ ସାଧାରଣ ପରିବାର ଲାଗି ବର୍ଷକୁ ୬୬ ମିଟର କପଡ଼ା ବିଚାରକୁ ନିଆଯିବ

ସମ୍ବନ୍ଧିତ ଖବର