ନୂଆଦିଲ୍ଲୀ: ଚିଲିକୁ ପ୍ରଦାନ କରାଯାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ ର୍ୟାଙ୍କିଙ୍ଗ୍କୁ ନେଇ ପ୍ରଶ୍ନ ଉଠାଇଥିବା ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ପଲ୍ ରୋମେର୍ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ପଦରେ ୧୫ ମାସ ପୂର୍ବରୁ ତାଙ୍କୁ ନିଯୁକ୍ତି ମିଳିଥିଲା। ବିଶ୍ୱବ୍ୟାଙ୍କର ସଭାପତି ଜିମ୍ ୟଙ୍ଗ୍ କିମ୍ କହିଛନ୍ତି ଯେ ରୋମେର୍ ନିଜ ପଦରୁ ତତ୍କାଳ ଇସ୍ତଫା ଦେଉଥିବା ବିଷୟ ମୋତେ ଜଣାଇଛନ୍ତି। ପଲ୍ଙ୍କ ସ୍ପଷ୍ଟବାଦିତାକୁ ମୁଁ ପ୍ରଶଂସା କରୁଛି। ଯେଉଁ ସମୟରେ ସେ ବିଦାୟ ନେଉଛନ୍ତି ତାହାକୁ ନେଇ ସେ ନିଶ୍ଚିତ ଦୁଃଖିତ ଥିବେ ବୋଲି କିମ୍ କହିଛନ୍ତି। ପଲ୍ ଏବେ ଅଧ୍ୟାପନା କ୍ଷେତ୍ରକୁ ଫେରିଯିବେ। ବିଶ୍ୱବ୍ୟାଙ୍କରେ ଯୋଗ ଦେବା ପୂର୍ବରୁ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ପଲ୍ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନକୁ ପୂରଣ କରିବା ପାଇଁ ଖୁବ୍ଶୀଘ୍ର ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନ କରାଯିବ ବୋଲି କିମ୍ କହିଛନ୍ତି। ଚିଲିରେ ମିଚେଲେ ବାଚେଲେଟ୍ ରାଷ୍ଟ୍ରପତି ହେବା ପରେ ଏହାର ର୍ୟାଙ୍କିଙ୍ଗ୍ରେ ଦ୍ରୁତ ଅବନତି ହୋଇଛି। କିନ୍ତୁ ରୋମେର କହିଛନ୍ତି ଯେ ସେଠାରେ ବ୍ୟବସାୟ ପରିବେଶରେ ସେଭଳି କିଛି ଅବନତି ହୋଇନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଚିଲିର ର୍ୟାଙ୍କିଙ୍ଗ୍ରେ କମ୍ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଶ୍ୱବ୍ୟାଙ୍କର ର୍ୟାଙ୍କିଙ୍ଗ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଶ୍ୱବ୍ୟାଙ୍କ ପକ୍ଷରୁ ବିିଭିନ୍ନ ମାନଦଣ୍ଡ ବିଚାରକୁ ନେଇ ପ୍ରତିବର୍ଷ ୧୯୦ଟି ଦେଶର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ର୍ୟାଙ୍କିଙ୍ଗ ଜାରି କରାଯାଉଛି। ନିବେଶକମାନେ କୌଣସି ଦେଶରେ ନିବେଶ କରିବା ପୂର୍ବରୁ ସେହି ଦେଶର ର୍ୟାଙ୍କିଙ୍ଗ୍ ଉପରେ ନଜର ପକାଇଥାନ୍ତି। ଚଳିତ ବର୍ଷ ଭାରତକୁ ବିଶ୍ୱବ୍ୟାଙ୍କ ୧୦୦ତମ ର୍ୟାଙ୍କ ପ୍ରଦାନ କରିଛି। ଗତବର୍ଷ ତୁଳନାରେ ଭାରତ ୩୦ଟି ପାହାଚ ଉପରକୁ ଉଠିଛି।
ବିଶ୍ୱବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ହଟିଲେ
ର୍ୟାଙ୍କିଙ୍ଗ୍ ଉପରେ ପ୍ରଶ୍ନ ଉଠାଇ ବିବାଦୀୟ ହୋଇପଡ଼ିଥିଲେ
/sambad/media/post_attachments/wp-content/uploads/2018/01/world-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)