ନୂଆଦିଲ୍ଲୀ: ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଶ୍ବବ୍ୟାଙ୍କ ଭାରତକୁ ପ୍ରଶଂସା କରିଛି। ଏହା ଜଣାଇଛି ଯେ ଗତ ୧୦ ବର୍ଷ ଭିତରେ ଭାରତରେ ୧୭.୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକଳିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନିର୍ଧାରଣ କରାଯାଇଥିବା ଦାରିଦ୍ର୍ୟ ସୀମା ରେଖା ‘ଦୈନିକ ୨.୧୫ ଡଲାର’ ଖର୍ଚ୍ଚ ଅନୁସାରେ ଏହି ସଂଖ୍ୟକ ଲୋକ ଭାରତରେ ଉତ୍କଟ ଦାରିଦ୍ର୍ୟ କବଳରୁ ଉଦ୍ଧାର ପାଇଛନ୍ତି। ଭାରତର ଗ୍ରାମାଞ୍ଚଳରେ ଉତ୍କଟ ଦାରିଦ୍ର୍ୟ ଏହି ସମୟରେ ୧୮.୪ ପ୍ରତିଶତ ଭଳି ଉଚ୍ଚ ସ୍ତରରୁ ହ୍ରାସ ପାଇ ୨.୮ ପ୍ରତିଶତ ରହିଛି। ସେହିପରି, ସହରାଞ୍ଚଳରେ ଏହି ହାର ୧୦.୭ ପ୍ରତିଶତରୁ ହ୍ରାସ ପାଇ ୧.୧ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ବିଭେଦ ୭.୭ ପ୍ରତିଶତରୁ ୧.୭ ପ୍ରତିଶତକୁ ହ୍ରାସ ପାଇଛି।
ନିମ୍ନ ମଧ୍ୟମ ଆୟ ବର୍ଗ ରାଷ୍ଟ୍ର ଲାଗି ନିର୍ଧାରଣ କରାଯାଇଥିବା ଦୈନିକ ୩.୬୫ ଡଲାର ଦାରିଦ୍ର୍ୟ ସୀମାରେଖା ମାନଦଣ୍ଡ ଅନୁସାରେ ଦାରିଦ୍ର୍ୟ ହାର ୬୧.୮ ପ୍ରତିଶତରୁ ୨୮.୧ ପ୍ରତିଶତକୁ ହ୍ରାସ ପାଇଛି। ଫଳରେ ୩୭.୮ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି। ଏହି ମାନଦଣ୍ଡ ଅନୁସାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥାକ୍ରମେ ଦାରିଦ୍ର୍ୟ ହାର ୧୭.୨ ପ୍ରତିଶତ ଓ ୧୫ ପ୍ରତିଶତକୁ ହ୍ରାସ ପାଇଛି। ଦେଶର ପାଞ୍ଚ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ଉତ୍କଟ ଦାରିଦ୍ର୍ୟରେ ଜୀବନ କାଟୁଥିବା ୫୪ ପ୍ରତିଶତ ଲୋକ ରହିଛନ୍ତି। ୨୦୧୧-୧୨ ସ୍ଥିତି ଅନୁସାରେ ସେଥିରେ ଦୁଇ ତୃତୀୟାଂଶ ଉନ୍ନତି ହୋଇଛି ବୋଲି ବିଶ୍ବବ୍ୟାଙ୍କ ଜଣାଇଛି।
ମଜୁରିରେ ରହିଥିବା ଅସମାନତା ଉପରେ ଆଲୋକପାତ କରି ବିଶ୍ବବ୍ୟାଙ୍କ ଜଣାଇଛି ଯେ ୨୦୨୩-୨୪ରେ ଦେଶର ଧନୀ ୧୦ ପ୍ରତିଶତ ଲୋକମାନଙ୍କ ହାରାହାରି ମଧ୍ୟମ ଆୟ ତଳ ଆଡ଼େ ବାସ କରୁଥିବା ୧୦ ପ୍ରତିଶତ ଲୋକଙ୍କଠାରୁ ୧୩ ଗୁଣା ଅଧିକ ରହିଛି। ଅସମାନତା ବଢ଼ିଥିବା ବିଶ୍ବବ୍ୟାଙ୍କ ଜଣାଇଛି। ନିଯୁକ୍ତି ସମ୍ପର୍କରେ ଏହା ଜଣାଇଛି ଯେ ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ ହାର ୧୩.୩ ପ୍ରତିଶତ ରହିଛି। ଅଣ କୃଷି କ୍ଷେତ୍ରରେ ମାତ୍ର ୨୩ ପ୍ରତିଶତ ନିଯୁକ୍ତି ସଂଗଠିତ ହୋଇଥିବା ବେଳେ କୃଷି କ୍ଷେତ୍ରର ପ୍ରାୟ ନିଯୁକ୍ତି ଅଣସଂଗଠିତ ରହିଛି। ଗ୍ରାମୀଣ ଶ୍ରମିକ ଓ ମହିଳାଙ୍କ ମଧ୍ୟରେ ସ୍ବାବଲମ୍ବୀଙ୍କ ସଂଖ୍ୟା ବଢ଼ୁଛି। ମହିଳା ନିଯୁକ୍ତି ହାର ୩୧ ପ୍ରତିଶତ ଥିଲେ ମଧ୍ୟ ପୁରୁଷଙ୍କ ତୁଳନାରେ ତାହା ଏବେବି ଯଥେଷ୍ଟ ପଛରେ ରହିଛି। ୨୦୨୧-୨୨ ଏଭଳି ଏକ ବର୍ଷ ଥିଲା ଯେଉଁଥିରେ କାର୍ଯ୍ୟ ଉପଯୋଗୀ ବୟସର ଲୋକ ସଂଖ୍ୟା ତୁଳନାରେ ନିଯୁକ୍ତିରେ ହୋଇଥିବା ବୃଦ୍ଧି ଅଧିକ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/26/noxTvlcwukMDPvliXob2.jpg)