ବିଶ୍ବବ୍ୟାଙ୍କ ଆକଳନ: ଉତ୍କଟ ଦାରିଦ୍ର୍ୟ କବଳରେ ପଡ଼ିବେ ୬ କୋଟି

ସଙ୍କଟରେ ବି ୨ କୋଟି ଲୋକଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ଗରିବ ଲୋକଙ୍କ ସଂଖ୍ୟା ବଢ଼ିବ। ୨୦୨୦ରେ ୬ କୋଟିରୁ ଅଧିକ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଏହି ସଙ୍କଟ ଏଡ଼ାଇବା ଲାଗି ଏବେଠାରୁ ପଦେକ୍ଷପ ଗ୍ରହଣ କରିବା ଲାଗି ଦେଶଗୁଡ଼ିକୁ ଏହା ଆହ୍ବାନ ଦେଇଛି। ବିଶ୍ବବ୍ୟାଙ୍କ ଗ୍ରୁପ୍‌ର ସଭାପତି ଡେଭିଡ୍‌ ମାଲ୍‌ପାସ୍‌ କହିଛନ୍ତି, କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ସାରା ବିଶ୍ବର ଗରିବ ଲୋକଙ୍କୁ ଗଭୀର ଭା‌ବେ ପ୍ରଭାବିତ କରିଛି ଯାହା ଆଧୁନିକ ଯୁଗରେ କେବେ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ଆକଳନ ଅନୁସାରେ ୬ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। କରୋନା ମହାମାରି ବିଶ୍ବ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ବିଶେଷ କରି ଗରିବ ଦେଶଗୁଡ଼ିକୁ ବଡ଼ ଧରଣର ଝଟ୍‌କା ଲାଗିଛି। ସମସ୍ୟାର ସମାଧାନ କରିବା ଲାଗି ଦେଶଗୁଡ଼ିକ ନୂତନ ପୁଞ୍ଜିନିବୋଶ ହାତେଇବା, ଡିଜିଟାଲ୍‌ ସଂଯୋଗ ବଢ଼ାଇବା ଉପରେ ଗୁରୁତ୍ବ ଦେବା ଦରକାର। ଗରିବ ଲୋକମାନଙ୍କ ହାତରେ ଅର୍ଥ ପହଞ୍ଚାଇବା ଲାଗି ସେ ପରାମର୍ଶ ଦେଇଛନ୍ତି। କରୋନା ସଙ୍କଟ ଟଳିବା ପରେ ଉତ୍ପାଦକ ଭିତ୍ତିଭୂମି ଗଠନ ପାଇଁ ପାଣ୍ଠି ହାସଲ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ। ବ୍ୟାଙ୍କରପ୍‌ସି ମାମଲାଗୁଡ଼ିକୁ ଶୀଘ୍ର ସମାଧାନ କରିବା, ବ୍ୟୟବହୁଳ ସବ୍‌ସିଡି‌ କ୍ଷେତ୍ରରେ ସଂସ୍କାର ଆଣିବା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ସଂସ୍କାର ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସ୍ବଳ୍ପ ମିଆଦୀ ଭିତ୍ତିରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ନିବେଶ କରିବାକୁ ପରାମର୍ଶ ଦିଆଯାଇଛି।

ସଙ୍କଟରେ ବି ୨ କୋଟି ଲୋକଙ୍କୁ ନିଯୁକ୍ତି
ମୁମ୍ବାଇ: କରୋନା ସଙ୍କଟ ପ୍ରଭାବରେ ସାରା ‌ବିଶ୍ବରେ ବ୍ୟାପକ ଛଟେଇ ଚାଲିଥିବା ବେଳେ ଜୀବିକାର ନୂଆ ମାଧ୍ୟମ ସୃଷ୍ଟି ହେବା ପ୍ରକ୍ରିୟା ବନ୍ଦ ହୋଇନାହିଁ। ଗତ ମେ’ରେ ଭାରତରେ ୨.୧ କୋଟି ଲୋକଙ୍କୁ ନିଯୁକ୍ତି ମିଳିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଗତ ମେ’ ମାସରେ ଦେଶର ବେକାରି ହାର ୨୩.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଥିବା ସତ୍ତ୍ବେ ୨.୧ କୋଟି ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଛି। ନୂତନ ଭାବେ ସୃଷ୍ଟି ହୋଇଥିବା ଜୀବିକା ମଧ୍ୟରୁ ୧.୪ କୋଟି ଲୋକ କ୍ଷୁଦ୍ର ବ୍ୟବସାୟ ଓ ମଜୁରି ଭିତ୍ତିକ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି। ଲକ୍‌ଡାଉନ୍ ସମୟରେ ଏହି ଦୁଇଟି ବର୍ଗ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ଗତ ଏପ୍ରିଲ୍‌ରେ ବ୍ୟବସାୟ ସହ ଜଡ଼ିତ ଥିବା ୧.୮କୋଟି ଲୋକ ଜୀବିକା ହରାଇଥିଲେ। ମେ’ରେ ସେଥି ମଧ୍ୟରୁ ୫୫ ଲକ୍ଷ ଲୋକଙ୍କୁ ପୁଣି ଜୀବିକାର ମାଧ୍ୟମ ମିଳିଯାଇଥିଲା। କୃଷି କ୍ଷେତ୍ରରେ ମଧ୍ୟ ନିଯୁକ୍ତି ପରିମାଣ ବଢ଼ିବାରେ ଲାଗିଛି। ଏହି କ୍ଷେତ୍ରରେ ନିୟୋଜିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୪ ଲକ୍ଷ ବଢ଼ିଛି। ମେ’ ମାସରେ ବେତନଭୋଗୀ କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିନାହିଁ। ‌ବେତନଭୋଗୀଙ୍କ ସଂଖ୍ୟା ଏପ୍ରିଲ୍‌ରେ ୬୮.୪ ନିୟୁତ ଥିଲା। ମେ’ ସୁଦ୍ଧା ସେମାଙ୍କ ସଂଖ୍ୟା ୬୮.୩ ନିୟୁତକୁ ହ୍ରାସ ପାଇଛି। ୨୦୧୯-୨୦ରେ କିନ୍ତୁ ବେତନଭୋଗୀ ଲୋକଙ୍କ ସଂଖ୍ୟା ୮୬ ନିୟୁତ ଥିଲା। ଇତି ମଧ୍ୟରେ ନିୟୁତ ପାଖାପାଖି ବେତନଭୋଗୀ ଆୟର ମାଧ୍ୟମ ହରାଇଛନ୍ତି। ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ, ଗତ ମାସରେ ଉଭୟ ନିଯୁକ୍ତି ହାର ଏବଂ ଶ୍ରମ କ୍ଷେତ୍ରରେ ଶ୍ରମିକଙ୍କ ଅଂଶଗ୍ରହଣ ହାର ବୃଦ୍ଧି ପାଇଛି। ଶ୍ରମ ଅଂଶଗ୍ରହଣ ହାର ୩୫.୬ ପ୍ରତିଶତରୁ ବୃଦ୍ଧି ପାଇ ୩୮.୨ ପ୍ରତିଶତରେ ପହଞ୍ଚିଛି। ସେହିପରି, ‌ନିଯୁକ୍ତି ହାର ୨୭.୨ ପ୍ରତିଶତରୁ ବୃଦ୍ଧି ପାଇ ୨୯.୨ ପ୍ରତିଶତ ହୋଇଛି। ସିଏମ୍‌ଆଇଇ ଜଣାଇଛି ଯେ, ଗତ ଦୁଇ ମାସରେ ଶ୍ରମ ବଜାର ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି। ମାତ୍ର ଗତ ଏପ୍ରିଲ୍‌ ତୁଳନାରେ ମେ’ରେ ସ୍ଥିତିରେ ସୁଧାର ଘଟିଛି। ୨୦୧୯-୨୦ରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦.୪ କୋଟି ଥିଲା। ୨୦୨୦ ମେ’ରେ ସେମାନଙ୍କ ସଂଖ୍ୟା ୩୦.୩ କୋଟିକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର