ବିଶ୍ୱବ୍ୟାଙ୍କ ର‍୍ୟାଙ୍କିଙ୍ଗ୍‌ରେ ପ୍ରଶ୍ନଚିହ୍ନ

ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌

ନୂଆଦିଲ୍ଲୀ: ବିଶ୍ୱବ୍ୟାଙ୍କର ‘ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌’ ର‍୍ୟାଙ୍କିଙ୍ଗକୁ ନେଇ ବିବାଦ ଦେଖାଦେଇଛି। ର‍୍ୟାଙ୍କିଙ୍ଗ ବିଷୟରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ପଲ୍‌ ରୋମେର୍‌ ପ୍ରଶ୍ନଚିହ୍ନ ଲଗାଇବା ପରେ ଏହି ବିବାଦ ଦେଖାଦେଇଛି।ଗତ ଶୁକ୍ରବାର ଶ୍ରୀ ରୋମେର୍‌ ଓ୍ଵାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ନାମକ ସମ୍ବାପତ୍ରକୁ କହିଥିଲେ ଯେ ‘ଡୁଇଙ୍ଗ ବିଜନେସ୍‌ ର‍୍ୟାଙ୍କିଙ୍ଗ’ର ପଦ୍ଧତିରେ ଯେଉଁଭଳି ଭାବେ ପରିବର୍ତ୍ତନ କରାଯାଇଛି ତାହା ଅନ୍ୟାୟ ଏବଂ ବିଭ୍ରାନ୍ତିକର। ବିଶ୍ୱବ୍ୟାଙ୍କ ଅତିକମରେ ବିଗତ ଚାରି ବର୍ଷର ର‍୍ୟାଙ୍କିଙ୍ଗ୍‌କୁ ପୁଣି ଥରେ ହିସାବ କରିବା ଦରକାର ବୋଲି ସେ କହିିଥିଲେ। ଚିଲିକୁ ପ୍ରଦାନ କରାଯାଇଥିବା ର‍୍ୟାଙ୍କିଙ୍ଗ୍‌କୁ ନେଇ ସେ ସନ୍ଦେହ ପ୍ରକଟ କରିଥିଲେ। ତାଙ୍କର ଏହି ମନ୍ତବ୍ୟ ପରେ ସମଗ୍ର ବିଶ୍ୱରେ ବିଶ୍ୱବ୍ୟାଙ୍କର ର‍୍ୟାଙ୍କିଙ୍ଗ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଚଳିତ ବର୍ଷ ଭାରତର ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌’ ର‍୍ୟାଙ୍କିଙ୍ଗରେ ୩୦ ପାହାଚ ଉନ୍ନତି ହୋଇଛି। ଭାରତ ଶ୍ରେଷ୍ଠ ୧୦୦ଟି ରାଷ୍ଟ୍ର ମଧ୍ୟରେ ପ୍ରବେଶ କରିଛି। ଅବଶ୍ୟ, ଶ୍ରୀ ରୋମେର୍‌ ଭାରତର ର‍୍ୟାଙ୍କିଙ୍ଗ୍‌ ଉପରେ କୌଣସି ପ୍ରଶ୍ନଚିହ୍ନ ଲଗାଇ ନାହାନ୍ତି। ବିଶ୍ୱବ୍ୟାଙ୍କ ପକ୍ଷରୁ ୧୯୦ଟି ରାଷ୍ଟ୍ରର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ର‍୍ୟାଙ୍କିଙ୍ଗ ଜାରି କରାଯାଇଥାଏ। ଭାରତର ର‍୍ୟାଙ୍କିଙ୍ଗ ବଢ଼ାଇବା ବେଳେ ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତ ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ବିଚାରକୁ ନେଇ ଏହି ର‍୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଛି। ଆଜି ବିଶ୍ୱବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଏକ ବିଜ୍ଞପ୍ତି ଜାରି କରି ବିଶ୍ୱବ୍ୟାଙ୍କ କହିଛି ଯେ ଆମର ଗବେଷଣା ବେଳେ ଆମେ ସବୁ ରାଷ୍ଟ୍ରକୁ ସମାନ ଗୁରୁତ୍ୱ ଦେଇଛୁ। କୌଣସି ଏକ ନିର୍ଦିଷ୍ଟ ରାଷ୍ଟ୍ରକୁ ଦୃଷ୍ଟିରେ ରଖି ଆମେ ଡୁଇଙ୍ଗ୍‌ ବିଜନେସ୍‌ ସୂଚୀ କିମ୍ବା ପଦ୍ଧତିକୁ ପ୍ରସ୍ତୁତ କରିନାହୁଁ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ନିଜର ବ୍ୟବସାୟ ପରିବେଶରେ ଉନ୍ନତି ଆଣିବାକୁ ଚାହୁଁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ବିଶ୍ୱବ୍ୟାଙ୍କର ଏହି ର‍୍ୟାଙ୍କିଙ୍ଗ ଅନେକ ଗୁରୁତ୍ୱ ବହନ କରୁଛି। ବିଗତ ୧୫ ବର୍ଷ ଭିତରେ ଏହା ବେଶ ଲୋକପ୍ରିୟ ହୋଇପାରିଛି। ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ ର‍୍ୟାଙ୍କିଙ୍ଗ୍‌ ପାଇଁ ଗ୍ରହଣ କରାଯାଇଥିବା ହିସାବ ପଦ୍ଧତିକୁ ସୁଦୃଢ଼ କରିବା ପାଇଁ ବିଶ୍ୱବ୍ୟାଙ୍କ ଅନେକ ପଦକ୍ଷେପ ନେଉଥିବା କହିଛି। ପ୍ରତି ଥର ହିସାବ ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବା ପୂର୍ବରୁ ବୋର୍ଡ, ବିଭିନ୍ନ ରାଷ୍ଟ୍ର, ପ୍ରାକ୍ଟିସନର୍‌, ଶିକ୍ଷାବିତ୍‌ ଏବଂ ବିଶ୍ୱବ୍ୟାଙ୍କ ଗ୍ରୁପ୍‌ ସଂସ୍ଥାର ଷ୍ଟାଫ୍‌୍‌ମାନଙ୍କ ମତାମତ ଗ୍ରହଣ କରାଯାଉଛି। ପ୍ରକୃତ ତଥ୍ୟ ଆଧାରରେ ଏହି ର‍୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଳେଖଯୋଗ୍ୟ, ଚିଲିର ପୂର୍ବ ସରକାର ଅମଳରେ ର‍୍ୟାଙ୍କିଙ୍ଗ ୫୭ ଥିବା ବେଳେ ନୂତନ ସରକାର ଆସିବା ପରେ ର‍୍ୟାଙ୍କିଙ୍ଗ୍‌ ୩୩ରୁ ୩୫ ପର୍ଯ୍ୟନ୍ତ ଉନ୍ନତି ହୋଇଛି ଯାହାକୁ ରୋମେର୍‌ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଏହି ର‍୍ୟାଙ୍କିଙ୍ଗ୍‌ କ’ଣ?

ବିଶ୍ୱବ୍ୟାଙ୍କ ଗ୍ରୁପ୍‌ର ସାଇମନ୍‌ ଜାଙ୍କୋଭ୍‌ଙ୍କ ଦ୍ୱାରା ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ ସୂଚୀ ସୃଷ୍ଟି କରାଯାଇଥିଲା। ୨୦୦୩ ଠାରୁ ପ୍ରତିବର୍ଷ ବିଶ୍ୱବ୍ୟାଙ୍କ ପକ୍ଷରୁ ୧୯୦ଟି ରାଷ୍ଟ୍ରର ର‍୍ୟାଙ୍କିଙ୍ଗ୍‌ ଜାରି କରାଯାଉଛି। ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବିଚାରକୁ ନେଇ ଏହି ର‍୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି। ସେଗୁଡ଼ିକ ହେଉଛି ବ୍ୟବସାୟ ଆରମ୍ଭ କରିବା, ନିର୍ମାଣ ଅନୁମତି ହାସଲ, ବିଦ୍ୟୁତ ସଂଯୋଗ ହାସଲ କରିବା, ସମ୍ପତ୍ତି ପଞ୍ଜୀକରଣ, ଋଣ ହାସଲ କରିବା, ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା, ଟିକସ ପ୍ରଦାନ, ସୀମାପାର କାରବାର, ଚୁକ୍ତି କାର୍ଯ୍ୟକାରୀ କରିବା ଏବଂ ଦେବାଳିଆପଣର ସମାଧାନ ଆଦି ବିଷୟ ବିଚାରକୁ ନିଆଯାଉଛି। ଏହି ସବୁ କାମ ପାଇଁ କେତେ ସମୟ, କେତେ ଟଙ୍କା ଲାଗୁଛି ଏବଂ କେଉଁ ପଦ୍ଧତିରେ କାମ ହେଉଛି ତାହା ର‍୍ୟାଙ୍କିଙ୍ଗ ପ୍ରସ୍ତୁତ କରିବା ବେଳେ ବିଚାରକୁ ନିଆଯାଉଛି। ନିବେଶକଙ୍କ ପାଇଁ ଏହି ର‍୍ୟାଙ୍କିଙ୍ଗ ବହୁତ ଗୁରୁତ୍ୱପୂର୍ଣ୍ଣ। କୌଣସି ରାଷ୍ଟ୍ରରେ ନିବେଶ କରିବା ପୂର୍ବରୁ ନିବେଶକମାନେ ବିଶ୍ୱବ୍ୟାଙ୍କର ଏହି ର‍୍ୟାଙ୍କିଙ୍ଗକୁ ନେଇ ନିଷ୍ପତ୍ତି ଗ୍ରହଣ କରନ୍ତି। ଯେଉଁ ଦେଶର ର‍୍ୟାଙ୍କିଙ୍ଗ ଯେତେ ଖରାପ ସେଠାରେ ନିବେଶ ସେତେ ବିପଦପୂର୍ଣ୍ଣ ବୋଲି ଧରାଯାଏ।

ସମ୍ବନ୍ଧିତ ଖବର