ବିଶ୍ବ ବ୍ୟାଙ୍କ ରିପୋର୍ଟ : ଭାରତର ଅଭିବୃଦ୍ଧି ୨.୮%କୁ କମିବ

ଦକ୍ଷିଣ ଏସିଆ ଅର୍ଥନୀତିକୁ ଶକ୍ତ ଧକ୍କା ଦେବ କରୋନା, ମାଳଦ୍ବୀପ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ

ନୂଆଦିଲ୍ଲୀ : କରୋନା ପାଇଁ ବିଶ୍ବ ଅର୍ଥନୀତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭାରତ ଏଥିରୁ ବାଦ୍ ପଡ଼ିନାହିଁ। ତେବେ ଏହି ସମୟରେ ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏକ ଆକଳନ ଭାରତର ଚିନ୍ତା ବଢ଼ାଇଲାଣି। କରୋନା ସମଗ୍ର ଦକ୍ଷିଣ ଏସିଆର ଅର୍ଥନୀତିକୁ ସାଂଘାତିକ ମାତ୍ରାରେ କ୍ଷତି ପହଞ୍ଚାଇବ। ଦକ୍ଷିଣ ଏସିଆରେ କରୋନା ପ୍ରଭାବରେ ଅର୍ଥନୀତିର ଦୁର୍ଗତି ଯାହା ହେବ ଗତ ୪୦ ବର୍ଷ ମଧ୍ୟରେ ସେହିଭଳି ସ୍ଥିତି କେବେ ହୋଇ ନଥିଲା ବୋଲି କୁହାଯାଇଛି। ଦାରିଦ୍ର୍ୟ ବିରୋଧରେ ଲଗାତାର ସଂଗ୍ରାମ ଚଳାଇ ଆସିଥିବା ଦକ୍ଷିଣ ଏସିଆର ଅର୍ଥନୀତି ଏବେ ବିପଦରେ ପଡ଼ିଛି ବୋଲି ବିଶ୍ବ ବ୍ୟାଙ୍କ କହିଛି।

ଦକ୍ଷିଣ ଏସିଆର ଦେଶ ସମୂହ ଯଥା ଭାରତ, ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ ସମେତ ଅନ୍ୟ ଛୋଟ ଛୋଟ ଦେଶର ଲୋକସଂଖ୍ୟା ଏବେ ପ୍ରାୟ ୧୮୦ କୋଟି। ଜନସଂଖ୍ୟା ଦୃଷ୍ଟିରୁ ଅଧିକ ସାନ୍ଦ୍ରତା ବିଶିଷ୍ଟ ସହର ଏହି ଦେଶଗୁଡ଼ିକରେ ରହିଛି। ଯଦିଓ ଏସବୁ ସହରରେ ଏବେ ଅପେକ୍ଷାକୃତ ଭାବେ କମ୍ କରୋନା ରୋଗୀ ରହିଛନ୍ତି ତଥାପି ଆଗାମୀ ଦିନରେ ଏଗୁଡ଼ିକ ବିଶ୍ବର ପରବର୍ତ୍ତୀ କରୋନା ହଟ୍‌ସ୍ପଟ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଭାରତ ସମ୍ପର୍କରେ ବିଶ୍ବବ୍ୟାଙ୍କ କହିଛି, କରୋନା ଭାରତୀୟ ଅର୍ଥନୀତିକୁ ଗୁରୁତର ମାତ୍ରାରେ ପ୍ରଭାବିତ କରିଛି। ଅର୍ଥନୈତିକ ଦୃଶ୍ୟପଟ ସମ୍ପର୍କରେ ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା ତାହା ପ୍ରତି ମଧ୍ୟ ବିପଦ ରହିଛି। କରୋନା ପ୍ରଭାବରେ ଭାରତର ଅଭିବୃଦ୍ଧି ୨୦୧୯-୨୦ ଆର୍ଥିକ ବର୍ଷରେ ୫ ପ୍ରତିଶତ ରହିଲେ ମଧ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୨.୮ ପ୍ରତିଶତକୁ ହ୍ରାସ ପାଇବ। ବ୍ୟାଙ୍କ ଏବଂ ଆର୍ଥିକ କ୍ଷେତ୍ରର ଦୁର୍ବଳତା ଯୋଗୁଁ ଭାରତୀୟ ଅର୍ଥନୀତି ନିମ୍ନମୁଖୀ ହେଉଥିବା ସମୟରେ କରୋନାର ପ୍ରହାର ଏହା ଉପରେ ପଡ଼ିଛି ବୋଲି ବିଶ୍ବ ବ୍ୟାଙ୍କ କହିଛି। ଦକ୍ଷିଣ ଏସିଆ ଏବେ ପ୍ରତିକୂଳ ଝଡ଼ ମଧ୍ୟରେ ପଡ଼ିଛି। ପର୍ଯ୍ୟଟନ ଶିଳ୍ପ ଠପ୍ ହୋଇଯାଇଛି। ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି। ପୋଷାକ ଚାହିଦା ନାହିଁ କହିଲେ ଚଳେ। ଖାଉଟି ଏବଂ ନିବେଶକଙ୍କ ମନୋଭାବ ନୈରାଶ୍ୟଜନକ ରହିଛି ବୋଲି ବିଶ୍ବ ବ୍ୟାଙ୍କ କହିଛି। ଦକ୍ଷିଣଏସିଆର ଅଭିବୃଦ୍ଧି ୬.୩ ପ୍ରତିଶତ ରହିବ ବୋଲି କରୋନା ମହାମାରୀ ପୂର୍ବରୁ ବିଶ୍ବ ବ୍ୟାଙ୍କ ଆକଳନ କରିଥିଲା। କିନ୍ତୁ ଏହା ୧.୮ ପ୍ରତିଶତରୁ ୨.୮ ପ୍ରତିଶତ ଭିତରେ ରହିବ ବୋଲି ଏବେ ଆକଳନ କରିଛି। ଅତିକମ୍ରେ ଅଧା ଦେଶ ମହା ମାନ୍ଦାବସ୍ଥାରେ ପଡ଼ିଯିବେ। ସବୁଠାରୁ ଅଧିକ ପ୍ରଭାବିତ ମାଳଦ୍ବୀପ ହେବ। କାରଣ ଏଠାରେ ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିବା ଯୋଗୁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୧୩ ପ୍ରତିଶତ ପର୍ଯ୍ୟନ୍ତ ସଙ୍କୁଚିତ ହୋଇଯିବ। ସେହିଭଳି ଆଫଗାନିସ୍ତାନର ଜିଡିପି ୫.୯ ପ୍ରତିଶତ ଏବଂ ପାକିସ୍ତାନର ଜିଡିପି ୨.୨ ପ୍ରତିଶତ ପର୍ଯ୍ୟନ୍ତ ସଙ୍କୁଚିତ ହୋଇଯାଇପାରେ ବୋଲି ବିଶ୍ବ ବ୍ୟାଙ୍କ ଆକଳନ କରିଛି।

ସମ୍ବନ୍ଧିତ ଖବର