ବିଶ୍ବବ୍ୟାଙ୍କ ରିପୋର୍ଟ: ଉତ୍କଟ ଦାରିଦ୍ର୍ୟରେ ୧୨.୩% ହ୍ରାସ, ୨୦୧୧ରୁ ୨୦୧୯ ଭିତରେ କମିଛି

ଆଇଏମ୍‌ଏଫ୍‌ ବି କହିଥିଲା କମିଛି

ନୂଆଦିଲ୍ଲୀ: ଉତ୍କଟ ଦାରିଦ୍ର୍ୟ ହ୍ରାସ କରି ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ଭାରତ ସରକାର ସଫଳ ହୋଇଛନ୍ତି। ‌ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପର ପ୍ରଭାବ ଯୋଗୁଁ ୨୦୧୧ରୁ ୨୦୧୯ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ହାର ୧୨.୩% ହ୍ରାସ ପାଇଛି। ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି। କିଛି ଦିନ ପୂର୍ବେ ଅନ୍ୟତମ ବିଶ୍ବସ୍ତରୀୟ ସମ୍ମାନଜନକ ସଂସ୍ଥା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍‌) ମଧ୍ୟ ଏକ ରିପୋର୍ଟରେ ଜଣାଇଥିଲା ଯେ ସରକାରଙ୍କ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ଯୋଗୁଁ ଭାରତରେ ଉତ୍କଟ ଦାରିଦ୍ର୍ୟ ୨୦୨୦ରେ ୦.୮୬% ଭଳି ନିମ୍ନ ସ୍ତରରେ ରହିଥିଲା।

ଅର୍ଥନୀତିଜ୍ଞ ସୁତୀର୍ଥ ସିହ୍ନା ରାୟ ଓ ରାୟ ଭାନ୍ ଡେର ୱେଡ୍‌ଙ୍କ ଦ୍ବାରା ଲିଖିତ ବିଶ୍ବବ୍ୟାଙ୍କର ଗବେଷଣା ପେପରରେ କୁହାଯାଇଛି ଯେ ୨୦୧୧ରୁ ୨୦୧୯ ମଧ୍ୟରେ ଭାରତର ଗ୍ରାମୀଣ ଦାରିଦ୍ର୍ୟ ୧୪.୭ ପ୍ରତିଶତ ଓ ସହରାଞ୍ଚଳ ଦାରିଦ୍ର୍ୟ ୭.୯ ପ୍ରତିଶତ ହ୍ରାସ ପାଇଛି। ଗ୍ରାମୀଣ ଦାରିଦ୍ର୍ୟ ହାର ଅଧିକ ହ୍ରାସ ପାଇଛି। ୨୦୧୧ରେ ତାହା ୨୬.୩ ପ୍ରତିଶତ ଥିବା ବେଳେ ୨୦୧୯ରେ ଏହି ହାର ୧୧.୯ ପ୍ରତିଶତକୁ ଖସିଆସିଛି। ସେହିପରି ସହରାଞ୍ଚଳରେ ଦାରିଦ୍ର୍ୟ ହାର ଏହି ସମୟରେ ୧୪.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରୁ ହ୍ରାସ ପାଇ ୬.୩ ପ୍ରତିଶତରେ ପହଞ୍ଚିଛି। ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା, କିନ୍ତୁ ‌ସେଭଳି ସଫଳତା ମିଳିନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଆଲୋଚ୍ୟ ୯ ବର୍ଷ ମଧ୍ୟରେ ଏଭଳି ଦୁଇଟି ସମୟ ଆସିଥିଲା ଯେଉଁ ସମୟରେ ଅଳ୍ପ କିଛି ମାସ ପାଇଁ ଦାରିଦ୍ର୍ୟ ହାର ବଢ଼ିଥିଲା। ୨୦୧୬ ନଭେମ୍ବରରେ ସରକାର ଘୋଷଣା କରିଥିବା ବିମୁଦ୍ରୀକରଣର ପରବର୍ତ୍ତୀ କିଛି ମାସ ଏବଂ ୨୦୧୯ରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଦାରିଦ୍ର୍ୟ ହାର ବଢ଼ିଥିଲା। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆକୁ ଅଚଳ କରି ବିମୁଦ୍ରୀକରଣ ଘୋଷଣା କରାଯିବା ପରେ ୨୦୧୬ରେ ସହରାଞ୍ଚଳର ଦାରିଦ୍ର୍ୟ ହାର ୦.୦୨ ପ୍ରତିଶତ ବଢ଼ିଥିଲା ବେଳେ ୨୦୧୯ର ମାନ୍ଦାବସ୍ଥା ସମୟରେ ଗ୍ରାମୀଣ ଦାରିଦ୍ର୍ୟ ହାର ୦.୦୧ ପ୍ରତିଶତ ବଢ଼ିଥିଲା।

New Indian Express

ବିଶ୍ବବ୍ୟାଙ୍କ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ବଡ଼ ଚାଷୀଙ୍କ ତୁଳନାରେ ଅଳ୍ପ ଜମି ଥିବା କ୍ଷୁଦ୍ର ଚାଷୀଙ୍କ ଆୟରେ ଅଧିକ ବୃଦ୍ଧି ହୋଇଛି। ୨୦୧୩ ଓ ୨୦୧୯ରେ ଦୁଇଟି ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ କ୍ଷୁଦ୍ର ଚାଷୀଙ୍କ ଆୟ ୧୦ ପ୍ରତିଶତ ବଢ଼ିଥିବା ବେଳେ ବଡ଼ ଚାଷୀଙ୍କ ଆୟ‌ରେ ସେହି ସମୟରେ ମାତ୍ର ୨% ବୃଦ୍ଧି ହୋଇଛି। ଚଳିତ ମାସ ୬ ତାରିଖରେ ଆଇଏମ୍‌ଏଫ୍ ଜାରି କରିଥିବା ଏକ ରିପୋର୍ଟରେ ଜଣାଇଥିଲା ଯେ ସରକାରଙ୍କ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟକ୍ରମ ଯୋଗୁଁ ୨୦୨୦ରେ ଭାରତର ଉତ୍କଟ ଦାରିଦ୍ର୍ୟ ମାତ୍ର ୦.୧୦ ପ୍ରତିଶତ ବୃଦ୍ଧି ପାଇ ୦.୮୬ ପ୍ରତିଶତ ରହିଥିଲା।

ବିଶ୍ବବ୍ୟାଙ୍କ ପକ୍ଷରୁ ଉତ୍କଟ ଦାରିଦ୍ର୍ୟ ପାଇଁ ନିର୍ଧାରଣ କରାଯାଇଥିବା ସଂଜ୍ଞା ହେଉଛି ୨୦୧୧ର କ୍ରୟ ଶକ୍ତି ସମତା ଅନୁସାରେ ଦିନକୁ ୧.୯ ଡଲାରରୁ କମ୍ ଖର୍ଚ୍ଚରେ ଜୀବନଯାପନ କରୁଥିବା ଲୋକମାନଙ୍କୁ ଉତ୍କଟ ଦାରିଦ୍ର୍ୟରେ କଳାତିପାତ କରୁଥିବା କୁହାଯାଉଛି। ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା, କରନ ଭାସିନ ଓ ଅରବିନ୍ଦ ଭିର୍‌ମାନି ସେହି ରିପୋର୍ଟ ଲେଖିଥିଲେ। ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହେବାରୁ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅବଧିକୁ ଆଉ ୬ ମାସ ବଢ଼ାଇ ଦିଆଯାଇଥିଲା। ସେହିବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଲୋକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିବା ଲାଗି ସରକାର ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ କରିଥିଲେ। ପ୍ରାୟ ୩.୨ରୁ ୨୩ କୋଟି ଭାରତୀୟ ଉତ୍କଟ ଦାରିଦ୍ର୍ୟ କବଳରେ ପଡ଼ିଥିବା ନେଇ ପୂର୍ବରୁ ଏକ ରିପୋର୍ଟରେ ଯେଉଁ ଦାବି କରାଯାଇଥିଲା ତାହାକୁ ଆଇଏମ୍ଏଫ୍‌ର ଏହି ରିପୋର୍ଟରେ ଦୃଢ଼ ଭାବେ ଖଣ୍ଡନ କରାଯାଇଥିଲା। କେବଳ ଖାଦ୍ୟଶସ୍ୟ ନୁହେଁ, ଏଲ୍‌ପିଜି, ଶୌଚାଳୟ, ଘର ନିର୍ମାଣ ଆଦି ଭଳି ସରକାରୀ କଲ୍ୟାଣମୂଳକ ଯୋଜନାଗୁଡ଼ିକ ଯୋଗୁଁ ଉତ୍କଟ ଦାରିଦ୍ର୍ୟ ବୃଦ୍ଧିକୁ ରୋକିବାରେ ସରକାର ସଫଳ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର