ନୂଆଦିଲ୍ଲୀ: ସାରା ବିଶ୍ବ ୧୯୭୦ ପରେ ସବୁଠୁ ଖରାପ ମାନ୍ଦାବସ୍ଥା ସମୟ ଦେଇ ଗତି କରୁଛି। ଏହାର ପ୍ରଭାବରେ ବର୍ଷ ଶେଷ ବେଳକୁ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଜୀବନ ଅତିବାହିତ କରୁଥିବା ଲୋକଙ୍କ ସଂଖ୍ୟା ୬୮.୫ କୋଟିକୁ ବୃଦ୍ଧି ପାଇବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଦାରିଦ୍ର୍ୟ ଦୂରୀକରଣ ଦିଗରେ ୨୦୨୨ ଏକ ବଡ଼ ଧକ୍କା ସାବ୍ୟସ୍ତ ହେବାକୁ ଯାଉଛି। ୨୦୨୦କୁ ବାଦ ଦେଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏଭଳି ଖରାପ ସମୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ବିଶ୍ବବ୍ୟାଙ୍କ ଜଣାଇଛି।
ବିଶ୍ବବ୍ୟାଙ୍କ ଆକଳନ କରିଛି ଯେ ୨୦୩୦ ସୁଦ୍ଧା ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଥିବା ଲୋକଙ୍କ ସଂଖ୍ୟା ୫୭.୪ କୋଟି ରହିବ। କରୋନା ମହାମାରୀର ପ୍ରଭାବ ବ୍ୟତୀତ ଖାଦ୍ୟ ଓ ଶକ୍ତି ମୂଲ୍ୟରେ ଅହେତୁକ ବୃଦ୍ଧି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁ ଅର୍ଥନୀତିରେ ଆଶାନୁରୂପ ସୁଧାର ହୋଇନି। ବର୍ଷକ ଭିତରେ ବିକାଶଶୀଳ ରାଷ୍ଟ୍ରରେ ଋଣ ସଙ୍କଟ ଉତ୍କଟ ହୋଇଛି। ବିଶ୍ବର ୬୦ ପ୍ରତିଶତ ଗରିବ ରାଷ୍ଟ୍ର ଋଣ ସଙ୍କଟରେ ପଡ଼ିଛନ୍ତି ଅଥବା ପଡ଼ିବାକୁ ଯାଉଛନ୍ତି। ଋଣରେ ବୁଡ଼ି ରହିଥିବାରୁ ଗରିବ ଦେଶଗୁଡ଼ିକ ଅର୍ଥନୈତିକ ସଂସ୍କାର, ସ୍ବାସ୍ଥ୍ୟ ସେବା, ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ରୋକିବା ଏବଂ ଶିକ୍ଷା ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ନିବେଶ କରିପାରୁନାହାନ୍ତି। ୨୦୨୨ର ପ୍ରଥମ ଭାଗରେ ଶକ୍ତି ମୂଲ୍ୟରେ ହୋଇଥିବା ବୃଦ୍ଧି ଯୋଗୁ ୨୦୩୦ ସୁଦ୍ଧା ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଶକ୍ତି ପହଞ୍ଚାଇବା ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୭୩.୩ କୋଟି ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିନି। ୨୦୩୦ ସୁଦ୍ଧା ୬୭ କୋଟି ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିନଥିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।
୨୦୦୦ ମସିହା ପରେ ଦାରିଦ୍ର୍ୟ ଦୂରୀକରଣରେ ମିଳିଥିବା ସଫଳତା ଦୂର ହୋଇଯିବ। ବିଶେଷ କରି ନିମ୍ନ ଓ ମଧ୍ୟମ ଆୟ ବର୍ଗ ରାଷ୍ଟ୍ରରେ ଏହି ଲାଭ ଅର୍ଥହୀନ ହୋଇପଡ଼ିବ। ନିମ୍ନ ଓ ମଧ୍ୟମ ଆୟ ବର୍ଗର ରାଷ୍ଟ୍ରରେ ପ୍ରତି ୧୦୦ ପିଲାଙ୍କ ମଧ୍ୟରୁ ୬୦ ଜଣ ଶିକ୍ଷାରୁ ବଞ୍ଚିତ। ୧୦ ଜଣ ସ୍କୁଲ ଯିବାରୁ ବଞ୍ଚିତ ହୋଇଛନ୍ତି। ଯଦି ସେହି କ୍ଷତି ଭରଣା କରାନଯିବ ତେବେ ତାହାର ଦୀର୍ଘସ୍ଥାୟୀ ପ୍ରଭାବ ଦେଶର ଅର୍ଥନୀତି ଉପରେ ରହିବ। ଫଳରେ ଅସମାନତା ବୃଦ୍ଧି ପାଇବା ସହ ସାମାଜିକ ଅସ୍ଥିରତା ଦେଖାଦେବ ବୋଲି ବିଶ୍ବବ୍ୟାଙ୍କ ଜଣାଇଛି।