ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଭାରତକୁ ବ୍ୟଥିତ କରିବା ଭଳି ରିପୋର୍ଟ ବିଶ୍ବବ୍ୟାଙ୍କ ପ୍ରକାଶ କରିଛି। ଆମେରିକା ଅର୍ଥନୀତି ସହ ସମାନ ହେବା କଥା ଛାଡ଼ ଭାରତୀୟଙ୍କ ମୁଣ୍ଡପିଛା ଆୟ ଆମେରିକୀୟଙ୍କ ମୁଣ୍ଡପିଛା ଆୟର ଚଉଠେ ବା ଏକ ଚତୁର୍ଥାଂଶ ହେବାକୁ ୭୫ ବର୍ଷ ସମୟ ଲାଗିବ। ଭାରତ ସମେତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଆଦି ଦେଶ ଉଚ୍ଚ ଆୟବର୍ଗର ଦେଶ ହେବା କ୍ଷେତ୍ରରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ବଡ଼ଧରଣର ଆହ୍ବାନର ସମ୍ମୁଖୀନ ହେବେ। ମଧ୍ୟମ ଆୟବର୍ଗର ଯନ୍ତାରୁ ବାହାରିବା ଏମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେବ। ବର୍ତ୍ତମାନର ଧାରାକୁ ଦେଖିଲେ ଆମେରିକୀୟଙ୍କ ମୁଣ୍ଡପିଛା ଆୟର ଏକ ଚତୁର୍ଥାଂଶ ହେବାକୁ ଚୀନକୁ ୧୦ ବର୍ଷରୁ ଅଧିକ ସମୟ ଲାଗିବ। ସେହିଭଳି ଇଣ୍ଡୋନେସିଆକୁ ପ୍ରାୟ ୭୦ ବର୍ଷ ଏବଂ ଭାରତକୁ ୭୫ ବର୍ଷ ସମୟ ଲାଗିବ ବୋଲି ବିଶ୍ବବ୍ୟାଙ୍କ ଏହାର ରିପୋର୍ଟରେ କହିଛି।
୨୦୨୩ ବର୍ଷର ଶେଷ ସୁଦ୍ଧା ବିଶ୍ବର ୧୦୮ଟି ଦେଶକୁ ମଧ୍ୟମ ଆୟବର୍ଗର ଦେଶ ବୋଲି ଦର୍ଶାଯାଇଛି। ଏସବୁ ଦେଶର ଲୋକଙ୍କ ମୁଣ୍ଡପିଛା ଆୟ ୧୧୩୩ ଡଲାରରୁ ୧୩୮୪୫ ଡଲାର ମଧ୍ୟରେ ରହିଛି। ଏହି ଦେଶଗୁଡ଼ିକରେ ୬୦୦ କୋଟି ଲୋକ ବାସ କରୁଛନ୍ତି, ଯାହାକି ବିଶ୍ବ ଜନସଂଖ୍ୟାର ୭୫ ପ୍ରତିଶତ। ଏଠାରେ ପ୍ରତି ୩ ଜଣରେ ଦୁଇ ଜଣ ବ୍ୟକ୍ତି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାସ କରୁଛନ୍ତି। ଅତୀତରେ ଯେଉଁସବୁ ପ୍ରତିବନ୍ଧକ ଏସବୁ ଦେଶଗୁଡ଼ିକ ପାଇଁ ରହିଥିଲା ଆଗାମୀ ଦିନରେ ତା’ଠାରୁ ଅଧିକ ଶକ୍ତିଶାଳୀ ପ୍ରତିବନ୍ଧକ ଦେଖାଦେବ। ସେଗୁଡ଼ିକ ହେଲା ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ ହେବା, ବର୍ଦ୍ଧିତ ଋଣ, ଗୁରୁତର ଭୂରାଜନୈତିକ ଏବଂ ବାଣିଜ୍ୟିକ ଉତ୍ତେଜନା ଏବଂ ପରିବେଶକୁ କ୍ଷତି ନପହଞ୍ଚାଇ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ଆଦି ଅନ୍ୟତମ ବୋଲି କୁହାଯାଇଛି।
ମୁଣ୍ଡପିଛା ଆୟ ନେଇ ବିଶ୍ବବ୍ୟାଙ୍କ ରିପୋର୍ଟ
ଚୀନକୁ ୧୦ ବର୍ଷ, ଇଣ୍ଡୋନେସିଆକୁ ୭୦ ବର୍ଷ ଲାଗିବ
ମଧ୍ୟମ ଆୟବର୍ଗର ଯନ୍ତାରୁ ବାହାରିବା ଭାରି କଷ୍ଟ
ବିଶ୍ବରେ ୧୦୮ଟି ମଧ୍ୟମ ଆୟବର୍ଗର ଦେଶ
ନୂଆ କୌଶଳ ଓ ନୀତି ଆପଣାଇବାକୁ ପରାମର୍ଶ
ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଏବେ ବି ଅନେକ ମଧ୍ୟମ ଆୟବର୍ଗର ଦେଶ ଗତ ଶତାବ୍ଦୀର ଫର୍ମୁଲା ବ୍ୟବହାର କରୁଛନ୍ତି। ସେମାନେ ମୁଖ୍ୟତଃ ନିବେଶ ସଂପ୍ରସାରଣ ନୀତି ଅନୁସରଣ କରୁଛନ୍ତି। ଏହା ହେଉଛି ଗୋଟିଏ କାର୍କୁ ଫାଷ୍ଟ୍ ଗିୟରରେ ଅଧିକ ବେଗରେ ଯିବା ନେଇ ଉଦ୍ୟମ କରିବା ବୋଲି ବିଶ୍ବବ୍ୟାଙ୍କ କହିଛି।
ଏହି ସମସ୍ୟାରୁ ମୁକୁଳିବା ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ୟାଗୁଡ଼ିକୁ ଠିକ୍ ଭାବେ ପରିଚାଳନା କରିବା ସହିତ ନିରନ୍ତର ଅର୍ଥନୈତିକ ଅଗ୍ରଗତି ହାସଲ କରିବା ପାଇଁ ନୂଆ କୌଶଳ ଓ ନୀତି ଆପଣାଇବାକୁ ପଡ଼ିବ। ବିଶ୍ବବ୍ୟାଙ୍କ ଗ୍ରୁପ୍ର ମୁଖ୍ୟ ଅର୍ଥନୀତିଜ୍ଞ ଇନ୍ଦରମିତ୍ ଗିଲ୍ କହିଚନ୍ତି, ବିକାଶଶୀଳ ଦେଶଗୁଡ଼ିକ ପୁରୁଣା ନୀତି ବା ଫର୍ମୁଲାକୁ ଧରି ରଖିବା ଉଚିତ ନୁହେଁ। ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଅଧିକାଂଶ ମଧ୍ୟମ ଆୟବର୍ଗର ଦେଶ ଅପେକ୍ଷାକୃତ ଭାବେ ସମୃଦ୍ଧ ସମାଜ ଗଠନ କରିବା କ୍ଷେତ୍ରରେ ପଛରେ ପଡ଼ିଯିବେ। ବିଶ୍ବ ଅର୍ଥନୈତିକ ସମୃଦ୍ଧି ପାଇଁ ହେଉଥିବା ଲଢ଼େଇରେ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକ ଜିତିବେ ନଚେତ୍ ହାରିବେ ବୋଲି ଶ୍ରୀ ଗିଲ୍ କହିଛନ୍ତି।
ବିକଶିତ ଅର୍ଥନୀତିରେ ପରିଣତ ହେବା ପାଇଁ ଅଧିକାଂଶ ମଧ୍ୟମ ଆୟବର୍ଗର ଦେଶ ସାଧାରଣତଃ ପୁରୁଣାକାଳିଆ ରଣନୀତି ଉପରେ ନିର୍ଭର କରୁଛନ୍ତି। ସେମାନେ ନିବେଶ ଉପରେ ଦୀର୍ଘକାଳ ଧରି ନିର୍ଭର କରୁଛନ୍ତି କିମ୍ବା ଅପରିପକ୍ବ ଭାବେ ନବୋନ୍ମେଷକୁ ଚାଲି ଯାଉଛନ୍ତି। କିନ୍ତୁ ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି। ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବା ସହିତ ପରିସଂସ୍ଥାନ ଓ ଭୂରାଜନୈତିକ ଚାପ ଯୋଗୁ ତ୍ରୁଟି କରିବାର ସାମାନ୍ୟ ମାତ୍ର ତ୍ରୁଟି କରିବାର ଅବକାଶ ଦେଶଗୁଡ଼ିକ ନିକଟରେ ନାହିଁ।
ଉଚ୍ଚ ଆୟବର୍ଗର ଦେଶରେ ପରିଣତ ହେବା ପାଇଁ ବିଶ୍ବ ବ୍ୟାଙ୍କ ଏକ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି। ୧୯୯୦ ମସିହାରୁ କେବଳ ୩୪ଟି ମଧ୍ୟମ ଆୟବର୍ଗର ଦେଶ ଉଚ୍ଚ ଆୟବର୍ଗର ଦେଶରେ ପରିଣତ ହୋଇପାରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଅବଶ୍ୟ ଏଥିରୁ ଏକ ତୃତୀୟାଂଶରୁ ଅଧିକ ଦେଶ ୟୁରୋପୀୟ ସଂଘ ମିଶିବା ଦ୍ବାରା କିମ୍ବା ପୂର୍ବରୁ ଅନାବିଷ୍କୃତ ରହିଥିବା ତୈଳର ଆବିଷ୍କାର ଯୋଗୁ ହୋଇଛନ୍ତି ବୋଲି ବିଶ୍ବବ୍ୟାଙ୍କ ଏହାର ରିପୋର୍ଟରେ ଦର୍ଶାଯାଇଛି।