ୱାସିଂଟନ: ବିଶ୍ବର ୨୬ଟି ଦେଶ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛନ୍ତି। ୨୦୦୬ ପରେ ସେମାନଙ୍କ ଋଣ ଯଥେଷ୍ଟ ଅଧିକ ଥିବା ବେଳେ ସେମାନଙ୍କ ପ୍ରତି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ବିପଦ ରହିଛି। ଏହି ଦେଶଗୁଡ଼ିକରେ ବିଶ୍ବର ୪୦ ପ୍ରତିଶତ ଗରିବ ଲୋକ ବାସ କରୁଥିବା ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟରେ କୁହାଯାଇଛି ଯେ କୋଭିଡ୍ ମହାମାରୀ ପୂର୍ବରୁ ଏହି ଦେଶଗୁଡ଼ିକର ଆର୍ଥିକ ସ୍ଥିତି ଯାହା ଥିଲା ଏବେ ତା’ଠାରୁ ଅଧିକ ଖରାପ ରହିଛି। ସେମାନେ ଆହୁରି ଗରିବ ହୋଇଯାଇଛନ୍ତି। ବିଶ୍ବର ଅନ୍ୟ ପ୍ରାନ୍ତରେ କିନ୍ତୁ ସୁଧାର ଘଟିଛି। ବିଶ୍ବବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ବାର୍ଷିକ ବୈଠକ ପୂର୍ବରୁ ଜାରି ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଉତ୍କଟ ଦାରିଦ୍ର୍ୟ ଦୂରୀକରଣ ଉଦ୍ୟମ ପ୍ରତି ଏହା ଏକ ଶକ୍ତ ଧକ୍କା। ଏହି ଗରିବ ଦେଶଗୁଡ଼ିକୁ ଯୋଗାଇବା ଲାଗି ବିଶ୍ବବ୍ୟାଙ୍କ ପକ୍ଷରୁ ଆନ୍ତର୍ଜାତିକ ବିକାଶ ସଂଘ (ଆଇଡିଏ) ଜରିଆରେ ୧୦,୦୦୦ କୋଟି ଡଲାର ଯୋଗାଡ଼ କରିବାକୁ ଉଦ୍ୟମ କରୁଛି। ବିଶ୍ବବ୍ୟାଙ୍କ ଜଣାଇଛି ଯେ ଏହି ୨୬ଟି ଗରିବ ଦେଶର ମୁଣ୍ଡପିଛା ଆୟ ୧୧୪୫ ଡଲାରରୁ କମ୍ ଥିବା ବେଳେ ସେମାନେ ମୁଖ୍ୟତଃ ଆଇଡିଏ ଦେଉଥିବା ଅନୁଦାନ ଓ ସୁଧ ମୁକ୍ତ ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ସେମାନଙ୍କ ଜିଡିପିକୁ ଋଣ ଅନୁପାତ ୭୨ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ୧୮ ବର୍ଷ ମଧ୍ୟରେ ସର୍ବାଧିକ। ଏହି ଦେଶଗୁଡ଼ିକ ତାଲିକାରେ ଇଥିଓପିଆ, କଙ୍ଗୋ, ଆଫଗାନିସ୍ତାନ ଓ ୟେମେନ୍ ଭଳି ଦେଶର ନାମ ରହିଛି। ଦୁଇ ତୃତୀୟାଂଶ ଗରିବ ଦେଶରେ ଅସ୍ତ୍ରଶସ୍ତ୍ର ସଂଘର୍ଷ ଚାଲିଥିବା ବେଳେ ସାମାଜିକ ଓ ସଂସ୍ଥାଗତ ଦୁର୍ବଳତା ଯୋଗୁଁ ସେଠାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସମ୍ଭବ ହେଉନାହିଁ।
ବିଶ୍ବବ୍ୟାଙ୍କ ଅର୍ଥନୀତିଜ୍ଞ ଇନ୍ଦରମିତ୍ ଗିଲ୍ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ଭିତରେ ଆଇଡିଏ ଏହାର ଅଧିକାଂଶ ଆର୍ଥିକ ସହାୟତା ଏହି ନିମ୍ନ ଆୟବର୍ଗର ଦେଶଗୁଡ଼ିକୁ ଦେଉଛି। ଆଇଡିଏକୁ ମୁଖ୍ୟତଃ ପ୍ରତି ତିନି ବର୍ଷରେ ଥରେ ବିଶ୍ବବ୍ୟାଙ୍କରୁ ପାଣ୍ଠି ମିଳିଥାଏ। ୨୦୨୧ରେ ଏହା ରେକର୍ଡ ୯୩୦୦ କୋଟି ଡଲାର ସଂଗ୍ରହ କରିଥିଲା। ତେବେ ସଭାପତି ଅଜୟ ବାଙ୍ଗାଙ୍କ ନେତୃତ୍ବରେ ଏହା ୧୦,୦୦୦ କୋଟି ଡଲାର ସଂଗ୍ରହ କରିବାକୁ ଯୋଜନା ରଖିଛି।