ନିବେଶ ଉପରେ ଆଲୋଚନା ଦାବି କଲେ ୫୧ ଦେଶ
Sambad is now on WhatsApp
Join and get latest news updates delivered to you via WhatsApp
ବୁଏନସ୍ ଆଇରେସ୍: ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ୧୬୪ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ସମୂହ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ୧୧ତମ ମନ୍ତ୍ରୀସ୍ତରୀୟ ବୈଠକ। ନିବେଶ ବାତାବରଣ ଉପରେ ଚୀନ୍, ପାକିସ୍ତାନ ସମେତ ୫୧ଟି ରାଷ୍ଟ୍ର ଆଲୋଚନା ପାଇଁ ଦାବି କରିଛନ୍ତି। ଏହି ଆଲୋଚନା ହେଲେ ଭାରତର ମୁଣ୍ଡବ୍ୟଥା ବଢ଼ିପାରେ ବୋଲି କୁହାଯାଉଛି। ଏହି ୫୧ଟି ରାଷ୍ଟ୍ର ନିବେଶ ଉପରେ ଏକ ବିଶ୍ୱ ନୀତି ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି।ଆର୍ଜେଣ୍ଟିନା, ବାଜିଲ, ଚିଲି, ଦକ୍ଷିଣ କୋରିଆ ଏବଂ ମେକ୍ସିକୋ ଆଦି ରାଷ୍ଟ୍ରଗୁଡ଼ିକ ନିବେଶ ଉପରେ ଆଲୋଚନା ଦାବି କରିଛନ୍ତି। କୃଷି, ମତ୍ସ୍ୟ ଚାଷ, ସେବା, ଅଣ କୃଷି ବଜାର ହାସଲ, ବିକାଶ ଏବଂ ଇ-କମର୍ସ ଉପରେ ଆଲୋଚନା ପାଇଁ ଡବ୍ଲ୍ୟୁଟିଓ ପକ୍ଷରୁ ପାଞ୍ଚ ଫାସିଲିଟେଟର୍ ନିଯୁକ୍ତ କରାଯାଇଛି। ନିବେଶ ଉପରେ ନୂଆ ଫାସିଲିଟେଟର ନିଯୁକ୍ତ କରିବାକୁ ଦାବି ହେଉଛି। ଭାରତ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ବୈଠକରେ ଯୋଗ ଦେଇଛନ୍ତି। ଖାଦ୍ୟ ନିରାପତ୍ତା ଉପରେ ସ୍ଥାୟୀ ସମାଧାନ ପାଇଁ ସେ ଦାବି କରିଛନ୍ତି। ଡବ୍ଲ୍ୟୁଟିଓର ସବୁୁଠୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି ମନ୍ତ୍ରୀସ୍ତରୀୟ ବୈଠକ। ଏହି ବୈଠକ ଆଲୋଚନାକୁ ଏକ ଦିଗ ପ୍ରଦାନ କରିଥାଏ।
ଇ-କମର୍ସକୁ ନେଇ ମତଭେଦ
ଆମେରିକା ଏବଂ ୟୁରୋପର ବିକଶିତ ରାଷ୍ଟ୍ରଗୁଡ଼ିକ ଇ-କମର୍ସ ଏବଂ ଏମ୍ଏସ୍ଏମ୍ଇ ଭଳି ନୂଆ ସମସ୍ୟା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି। କିନ୍ତୁ ଭାରତ ଏଭଳି ଆଲୋଚନାକୁ ବିରୋଧ କରୁଛି। ୧୬ ବର୍ଷ ପୁରୁଣା ଦୋହା ପର୍ଯ୍ୟାୟ ଆଲୋଚନାର କୌଣସି ସକାରାତ୍ମକ ଫଳାଫଳ ବାହାରୁନଥିବାରୁ ତାହାକୁ ବିକଶିତ ରାଷ୍ଟ୍ରଗୁଡ଼ିକ ଏତେଟା ଗୁରୁତ୍ୱ ଦେଉନାହାନ୍ତି। ସେମାନେ ଏବେ ଉଦୀୟମାନ କ୍ଷେତ୍ର ଉପରେ ଆଲୋଚନା କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଏହି ନୂଆ ସମସ୍ୟାଗୁଡ଼ିକ ଉପରେ ଆଲୋଚନାକୁ ଭାରତ ବିରୋଧ କରୁଛି। ଭାରତର କହିବା କଥା ହେଉଛି ନୂଆ ସମସ୍ୟାଗୁଡ଼ିକ ଡବ୍ଲ୍ୟୁଟିଓର ଅଂଶ ନୁହେଁ। ତେଣୁ ସେଗୁଡ଼ିକ ଉପରେ ଆଲୋଚନାର ଆବଶ୍ୟକତା ନାହିଁ। ନୂଆ ସମସ୍ୟା ଉପରେ ଆଲୋଚନା ପ୍ରୟାସକୁ ଭାରତ ବିରୋଧ କରିବାର ସମ୍ଭାବନା ରହିଛି। ଡବ୍ଲ୍ୟୁଟିଓରେ ଅଣ ବାଣିଜ୍ୟ ଅନ୍ୟ ପ୍ରସଙ୍ଗକୁ ସାମିଲ କରିବା ଉପରେ ବିଚାର କରାଯାଉଛି।
ଭାରତ କାହିଁକି ଚିନ୍ତିତ
ସମଗ୍ର ବିଶ୍ୱ ପାଇଁ ଭାରତ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ଏଠାରେ ନିବେଶ କରିବାକୁ ଅନେକ କଂପାନି ଆଶା ରଖିଛନ୍ତି। କିନ୍ତୁ ସ୍ଥାନୀୟ ଶିଳ୍ପଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଭାରତ ସରକାର ନିଜ ବଜାରକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରିନାହାନ୍ତି। ବିଦେଶୀ ନିବେଶକମାନଙ୍କ ଉପରେ ଅନେକ ପ୍ରକାର କଟକଣା ରହିଛି। ଯଦି ନିବେଶକୁ ନେଇ ବିଶ୍ୱ ନୀତି ପ୍ରସ୍ତୁତ ହୋଇଯିବ ଏବଂ ତାହା ଗ୍ରହଣୀୟ ହୋଇଯିବ ତେବେ ଭାରତକୁ ଏହାର ବଜାର ସମ୍ପୂର୍ଣ୍ଣ ଖୋଲା କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଉଭୟ ସ୍ଥାନୀୟ ଏବଂ ବିଦେଶୀ ନିବେଶକଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ପଡ଼ିବ। ଏଭଳି ନୀତି ଆସିଲେ ଚୀନ୍ ଭଳି ରାଷ୍ଟ୍ର ବିଶେଷ ଭାବେ ଲାଭବାନ ହେବେ କାରଣ ଚୀନ୍ର କଂପାନିଗୁଡ଼ିକ ଭାରତ ବଜାରରେ ପ୍ରବେଶ କରିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଏଠାରେ ସେମାନଙ୍କୁ ଅନେକ କଟକଣା ସାମ୍ନା କରିବାକୁ ପଡୁଛି। ପାକିସ୍ତାନ ଭଳି ଶତ୍ରୁ ରାଷ୍ଟ୍ରର କଂପାନି ମଧ୍ୟ ଭାରତୀୟ ବଜାରରେ ନିବେଶ କରିବାର ଅନୁମତି ହାସଲ କରିବେ।