ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ସମାଜକୁ ବିଭିନ୍ନ ପ୍ରକାରରେ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ବହୁ ପୂର୍ବରୁ ଆକଳନ କରିଛନ୍ତି। ସେହି ପୂର୍ବାନୁମାନ ଧୀରେ ଧୀରେ ସତ ହେବାରେ ଲାଗିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଶକ୍ତିକୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ଡିପ୍ଫେକ୍ ଭିଡିଓ ମହିଳାମାନଙ୍କ ଆତ୍ମସମ୍ମାନ ପ୍ରତି ବିପଦ ସୃଷ୍ଟି କରିଛି। ଏବେ ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍) ଏହାର ଏକ ରିପୋର୍ଟରେ ଜଣାଇଛି ଯେ ମାନବ ସମାଜ ଲାଗି ସବୁଠୁ ବଡ଼ ବିପଦ ହେଉଛି ଏଆଇକୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ମିଥ୍ୟା ତଥ୍ୟ। ଆଗାମୀ ଦିନରେ ଆମେରିକା, ବ୍ରିଟେନ୍, ଇଣ୍ଡୋନେସିଆ, ଭାରତ, ମେକ୍ସିକୋ ଓ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଥିବାରୁ ମିଥ୍ୟା ତଥ୍ୟ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଡିପ୍ଫେକ୍ ଭିଡିଓ ଓ ଛବି ତିଆରି କରି ଲୋକମାନଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ୟମ ହେବ।
ଲୋକମାନେ ସତ କ’ଣ ଜାଣିବା କଷ୍ଟକର ହୋଇପଡ଼ିବ। ମିଥ୍ୟା ତଥ୍ୟ ନିର୍ବାଚିତ ସରକାର ଉପରେ ପ୍ରଶ୍ନ ଉଠାଇବା ଲାଗି ପରିବେଶ ସୃଷ୍ଟି କରିବ। ସେଥିରୁ ସମାଜରେ ଧ୍ରୁବୀକରଣ ହୋଇ ଗାଣତନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ମିଥ୍ୟା ତଥ୍ୟ ସମାଜ ପାଇଁ ସବୁ ବେଳେ ଏକ ସମସ୍ୟା ହୋଇରହିଛି। ସାମାଜିକ ଗଣମାଧ୍ୟମ ଯୁଗରେ ଏଭଳି ତଥ୍ୟ ଦ୍ରୁତ ଗତିରେ ପ୍ରସାର ହେଉଛି। ଏଆଇର ଶକ୍ତିକୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ମିଥ୍ୟା ତଥ୍ୟ ଗାଣତନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ବଡ଼ ବିପଦ। ଏହା ସମାଜରେ ଧ୍ରୁବୀକରଣ ଆଣିବ। ବିଶ୍ବ ଅର୍ଥନୀତିକୁ ବିପଦରେ ପକାଇବ ବୋଲି ଡବ୍ଲୁଇଏଫ୍ ଜଣାଇଛି।
ସ୍ବିଜରଲ୍ୟାଣ୍ଡ୍ର ଡାଭୋସ୍ରେ ଡବ୍ଲୁଇଏଫ୍ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଏହି ରିପୋର୍ଟ ଜାରି କରାଯାଇଛି। ବିଶ୍ବର ୧୫୦୦ରୁ ଅଧିକ ବିଶେଷଜ୍ଞ, ଶିଳ୍ପ ନେତୃବୃନ୍ଦ ଏବଂ ନୀତି ନିର୍ଧାରକମାନଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ଦୁଇ ବର୍ଷ ଲାଗି ସମାଜ ପ୍ରତି ସବୁଠୁ ବଡ଼ ବିପଦ ହେଉଛି ମିଥ୍ୟା ତଥ୍ୟ। ପ୍ରଯୁକ୍ତି ଦ୍ରୁତ ଗତିରେ ଉନ୍ନତ ହେଉଥିବାରୁ ଏହି ନୂଆ ସମସ୍ୟା ଦେଖାଦେଇଛି। ତେବେ ଦୀର୍ଘକାଳୀନ ଭିତ୍ତିରେ ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ଼ ସମସ୍ୟା ହୋଇରହିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡାଭୋସ୍ ଶିଖର ସମ୍ମିଳନୀରେ ଏଆଇ ଏକ ପ୍ରମୁଖ ପ୍ରସଙ୍ଗ ହେବ। ଚାଟ୍ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ମେଟାର ମୁଖ୍ୟ ଏଆଇ ବୈଜ୍ଞାନିକ ୟାନ୍ ଲିକୁନ୍ ପ୍ରମୁଖ ସେଥିରେ ଯୋଗଦେବେ।