ୱାସିଂଟନ : ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥାର ଦ୍ବାରଦେଶରେ ରହିଛି। ତାହାର ମୁକାବିଲା ଲାଗି ନିର୍ଦିଷ୍ଟ ଭାବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ହେବ। ଅନ୍ୟଥା ଗରିବ ଲୋକମାନେ ଗୁରୁତର ପ୍ରଭାବିତ ହେବେ ବୋଲି ବିଶ୍ବବ୍ୟାଙ୍କ ମୁଖ୍ୟ ଡେଭିଡ୍ ମାଲ୍ପାସ୍ କହିଛନ୍ତି।
ମୁଦ୍ରାସ୍ଫୀତିରେ ବୃଦ୍ଧି, ସୁଧ ହାର ବୃଦ୍ଧି ଏବଂ ବିକାଶଶୀଳ ଦେଶଗୁଡ଼ିକୁ ପୁଞ୍ଜି ପ୍ରବାହ ହ୍ରାସ ହେବା ଯୋଗୁ ଗରିବ ଲୋକମାନଙ୍କ ଉପରେ ତାହାର ପ୍ରଭାବ ପଡ଼ୁଛି। ସବୁ ଦେଶ କୌଣସି ଗୋଟିଏ ପଦ୍ଧତିରେ ଦରଦାମ୍ର ମୁକାବିଲା କରିପାରିବେ ନାହିଁ। ପ୍ରତି ଦେଶ ନିଜକୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଦରକାର ପଡ଼ିଲେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି କେବଳ ସେମାନଙ୍କ ପାଇଁ ନିର୍ଦିଷ୍ଟ ଯୋଜନା ଘୋଷଣା କରିବାକୁ ହେବ। ଯେହେତୁ ମହାମାରୀର ମୁକାବିଲା ପାଇଁ ଦେଶଗୁଡ଼ିକ ବିପୁଳ ପରିମାଣର ଋଣ କରିସାରିଛନ୍ତି, ସେମାନଙ୍କ ପାଖରେ ବଡ଼ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପାଣ୍ଠିର ଅଭାବ ରହିଛି। ଏପଟେ ଋଣ ସୁଧ ବୃଦ୍ଧି ପାଇଥିବାରୁ ସହଜରେ ପାଣ୍ଠି ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।