ନୂଆଦିଲ୍ଲୀ: ଭାରତ ଏବଂ ବିଶ୍ୱର କେତୋଟି ବଡ଼ ବଡ଼ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶରେ ୧୦.୨୪ ବିଲିଅନ ଡଲାର ( ୬୮ ହଜାର କୋଟି ଟଙ୍କା) ନିବେଶ କରିବେ। ଆଜିର ଓ୍ଵାର୍ଲଡ ଫୁଡ୍ ଇଣ୍ଡିଆ-୨୦୧୭ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଏହି ସୂଚନା ମିଳିଛି। ଖାଦ୍ୟ ଏବଂ ମୃଦୁପାନୀୟ ପ୍ଲାଣ୍ଟ ସ୍ଥାପନ ପାଇଁ ପେପ୍ସି ୧୩,୩୦୦ କୋଟି ନିବେଶ କରିବ। ଜୁସ୍ ବଟ୍ଲିଂ ଭିତ୍ତିଭୂମି ଏବଂ ଫଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ଉପକରଣ ଆଦି ବାବଦରେ କୋକାକୋଲା ୧୧ ହଜାର କୋଟି ଟଙ୍କା ନିବେଶ କରିବ। ଆଇଟିସି ମଧ୍ୟ ୧୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛି। ଇ-କମର୍ସ କମ୍ପାନି ଆମାଜନ୍, ଜନନୀ ଫୁଡ୍ସ, ମେଟ୍ରୋ, କାର୍ଗିଲ, ବ୍ରିଟାନିଆ, ହର୍ସେ, ବ୍ଲୁ ଷ୍ଟାର ଇଣ୍ଡିଆ, ସରାଫ ଗ୍ରୁପ୍ ଏବଂ ୟେସ୍ ବ୍ୟାଙ୍କ ଆଦି ଖାଦ୍ୟ ପ୍ରକ୍ରିୟାକରଣଠାରୁ ଆରମ୍ଭ କରି ରପ୍ତାନି ଏବଂ ଅର୍ଥ ଯୋଗାଣ ଆଦି କ୍ଷେତ୍ରରେ ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଆଇଟିସି, ପେପ୍ସି, ବ୍ରିଟାନିଆ, କାର୍ଗିଲ୍, ପତଞ୍ଜଳି, ଆମାଜନ୍ ଏବଂ ୟେସ୍ ବ୍ୟାଙ୍କ ଆଦି ୧୩ଟି କମ୍ପାନି ଏହି ଅବସରରେ ଏମ୍ଓୟୁ(ବୁଝାମଣାପତ୍ର) ସ୍ୱାକ୍ଷର କରିଛନ୍ତି। ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ତିନି ଦିନିଆ ଓ୍ଵାର୍ଲ୍ଡ ଫୁଡ୍ ଇଣ୍ଡିଆ-୨୦୧୭ ମେଳା। ବିଜ୍ଞାନ ଭବନରେ ଏହାକୁ ଉଦ୍ଘାଟନ କରିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍ କୌର ବାଦଲ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟ ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧିକୁ ପ୍ରଦର୍ଶନ କରିବା ପାଇଁ ନିର୍ମିତ ଷ୍ଟଲ୍ଗୁଡ଼ିକ ମଧ୍ୟରେ ଓଡ଼ିଶା ବି ସାମିଲ ହୋଇଛି। ଆସନ୍ତାକାଲି ଉଦ୍ଘାଟିତ ହେବାକୁ ଥିବା ଓଡ଼ିଶା ପାଭିଲିଅନ୍ରେ ୧୨ଟି ଷ୍ଟଲ୍ ସ୍ଥାପନ କରାଯାଇଛି ଏବଂ ଏଥିରେ ପାଖାପାଖି ୩୫୦ ଜଣ ପ୍ରଦର୍ଶକ ଭାଗ ନେବେ ବୋଲି ଜଣାଯାଇଛି। ଏହା ପୂର୍ବରୁ ଆଜି ବିଜ୍ଞାନ ଭବନଠାରେ ଓ୍ଵାର୍ଲ୍ଡ ଫୁଡ୍ ଇଣ୍ଡିଆ-୨୦୧୭ ଅବସରରେ ‘ଅପର୍ଚୁନିଟିଜ୍ ଇନ୍ ଫୁଡ୍ ପ୍ରସେସିଂ ଇନ୍ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ ସାମଲ, ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଏଲ୍ଏନ୍ ଗୁପ୍ତା ଏବଂ ଇଡ୍କୋର ସିଏମ୍ଡି ସଂଜୟ ସିଂହ ପ୍ରମୁଖ ଯୋଗଦେଇ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସୁଯୋଗ ଏବଂ ଏହାକୁ ବ୍ୟାପକ କରାଯିବା ଉପରେ ମତ ରଖିଥିଲେ।
ଆସିଲା ୬୮ ହଜାର କୋଟିର ନିବେଶ ପ୍ରସ୍ତାବ
ଓ୍ଵାର୍ଲ୍ଡ ଫୁଡ୍ ଇଣ୍ଡିଆ-୨୦୧୭ ଉଦ୍ଘାଟିତ
/sambad/media/post_attachments/wp-content/uploads/2017/11/FILE_599403d1353dfWorld-Food-India-2017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)