ହାଇଦ୍ରାବାଦ: ଆଜି ବିଶ୍ୱ ଇଡଲି ଦିବସ | ସକାଳ ହେଉ କି ସନ୍ଧ୍ୟା ଇଡଲିକୁ ଭଲ ପାଉଥିବା ଇଡଲିପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ବତନ୍ତ୍ର | ତେବେ ଇଡଲି ଦିବସ ଅବସରରେ ଫୁଡ଼ ଡେଲିଭରି କରୁଥିବା କମ୍ପାନୀ ସ୍ଵିଗି ଏମିତି ଏକ ତଥ୍ୟ ପ୍ରକାଶ କରିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ସ୍ଵିଗି ପକ୍ଷରୁ ଆଜି ଜଣେ ଇଡଲିପ୍ରେମୀଙ୍କ ବାବଦରେ ସୂଚନା ଦିଆଯାଇଛି | ସ୍ଵିଗି କହିଛି ଯେ ହାଇଦ୍ରାବାଦର ଜଣେ ଇଡଲି ପ୍ରେମୀ ଗତ ଏକ ବର୍ଷ ମଧ୍ୟରେ ଇଡଲି କିଣିବା ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ବ୍ୟକ୍ତି ଜଣକ ନିଜେ ଭରପୂର ଇଡଲି ଖାଇବା ସହ ବେଙ୍ଗାଲୁରୁ ଓ ଚେନ୍ନାଇରେ ରହୁଥିବା ନିଜ ସମ୍ପର୍କୀୟଙ୍କ ପାଇଁ ମଧ୍ୟ ଇଡଲି ଅର୍ଡର କରିଥିଲେ | ସେ ବର୍ଷକ ମଧ୍ୟରେ ସମୁଦାୟ ୮୪୨୮ ପ୍ଲେଟ୍ ଇଡଲି ଅର୍ଡର କରିଥିଲେ |

Advertisment

ବିଶ୍ୱ ଇଡଲି ଦିବସ (ମାର୍ଚ୍ଚ ୩୦) ଅବସରରେ ସ୍ୱିଗି ପକ୍ଷରୁ କୁହାଯାଇଛି ଯେ ଗତ ୧୨ ମାସ ମଧ୍ୟରେ କମ୍ପାନୀ ପକ୍ଷରୁ ୩୩ ମିଲିୟନ୍ ପ୍ଲେଟ୍ ଇଟିଲି ଡେଲିଭର୍ କରାଯାଇଛି, ଯାହା ଗ୍ରାହକଙ୍କ ମଧ୍ୟରେ ଏହି ଖାଦ୍ୟ ପ୍ରତି ଥିବା ଅପାର ଲୋକପ୍ରିୟତାକୁ ସୂଚାଇଥାଏ |

ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇ ହେଉଛି ଶ୍ରେଷ୍ଠ ତିନୋଟି ସହର ଯେଉଁଠାରେ ଇଡଲିର ସର୍ବାଧିକ ଅର୍ଡର ଆସିଥାଏ | ଏହି ତିନିଟି ସହର ବ୍ୟତୀତ ଇଡଲି ପାଇଁ ମୁମ୍ବାଇ, କୋଏମ୍ବାଟୁର, ପୁଣେ, ଭାଇଜାଗ, ଦିଲ୍ଲୀ, କୋଲକାତା ଏବଂ କୋଚିରୁ ମଧ୍ୟ ବହୁମାତ୍ରାରେ ଅର୍ଡର ଆସିଥାଏ | ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ସକାଳ ୮ଟାରୁ ୧୦ଟା ମଧ୍ୟରେ ଇଡଲି ପାଇଁ ସର୍ବାଧିକ ଅର୍ଡର ଆସିଥାଏ | ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର ଏବଂ ମୁମ୍ବାଇରେ ରାତିରେ ମଧ୍ୟ ଇଡଲି ପାଇଁ ଅର୍ଡର ଆସିଥାଏ | ବିଶ୍ଳେଷଣରୁ ଜଣାପଡିଛି ଯେ ମସାଲା ଦୋସା ପରେ ଦ୍ୱିତୀୟ ସର୍ବାଧିକ ଅର୍ଡର ହୋଇଥିବା ଜଳଖିଆ ଆଇଟମରେ ଇଡଲି ରହିଛି |