ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ସାରା ବିଶ୍ୱର ଷ୍ଟକ ବଜାରରେ ହଇଚଇ

ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ବାହାରିବା କେବଳ ଆମେରିକା ନୁୁହେଁ; ବରଂ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି ।

ଆଜି ଟ୍ରମ୍ପ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ସମଗ୍ର ଆମେରିକୀୟ, ୟୁରୋପୀୟ ଓ ଏସିଆର ଷ୍ଟକ ବଜାରଗୁଡ଼ିକରେ ସୂଚକାଙ୍କ  ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକାର ଡାଓ ଜୋନ୍ସ ଓ ଏସଏଣ୍ଡପି ୫୦୦ ହ୍ରାସ ପାଇଛି । ସେହିପରି ଲଣ୍ଡନର ଏଫଟିଏସଇ-୧୦୦ ସମେତ ଅଧିକାଂଶ ୟୁରୋପୀୟ ଷ୍ଟକ ବଜାରରେ ସୂଚକାଙ୍କ ହ୍ରାସ ପାଇଛି । କିନ୍ତୁ ଆଜି ଭାରତରେ ଗାନ୍ଧୀ ଜୟନ୍ତୀ ଯୋଗୁଁ ଷ୍ଟକ ବଜାର ବନ୍ଦ ରହିଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଯୋଗୁଁ ଆମେରିକୀୟ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଖୋଦ ରାଷ୍ଟ୍ରପତି ଟ୍ରମ୍ପ ପଜିଟିଭ ବାହାରିବା ଅର୍ଥନୀତିକୁ ଆହୁରି ଅନିଶ୍ଚିତତା ମଧ୍ୟକୁ ଠେଲି ଦେବ । ବିଶ୍ୱର ୧ନମ୍ବର ଅର୍ଥନୀତି ପ୍ରଭାବିତ ହେଲେ ସମଗ୍ର ପୃଥିବୀର ଅର୍ଥନୀତି ପ୍ରଭାବିତ ହେବ । ଅର୍ଥନୀତିକୁ ସଜାଡ଼ିବାକୁ ଟ୍ରମ୍ପ କେତେକ ପଦକ୍ଷେପ ଘୋଷଣା କରିଥିଲେ । କିନ୍ତୁ ତାଙ୍କ ଅନୁପସ୍ଥିତିରେ ଓ ନିର୍ବାଚନରେ ଜୋ ବାଇଡେନଙ୍କ ସ୍ଥିତି ଭଲ ଥିବାରୁ ଏସବୁ ପଦକ୍ଷେପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।

ଆଜି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ କରୋନା ପଜିଟିଭ ଥିବା ଟ୍ବିଟ୍ କରି ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର