ବିଶ୍ୱ ମୋବାଇଲ୍‌ କଂଗ୍ରସ

ସ୍ପେନ୍‌ର ବାର୍ସିଲୋନାଠାରେ ଆରମ୍ଭ ହୋଇଛି ବିଶ୍ୱ ମୋବାଇଲ୍‌ କଂଗ୍ରେସ। ମୋବାଇଲ୍‌ ଫୋନ୍‌ ସେବା ସମ୍ପର୍କିତ ବିଭିନ୍ନ ନୂଆ ପ୍ରଯୁକ୍ତି ଏଠାରେ ପ୍ରଦର୍ଶିତ ହେବ। ବିଶ୍ୱର ନାମୀଦାମୀ ମୋବାଇଲ୍‌ କଂପାନି ଏଠାରେ ନିଜର ଭବିଷ୍ୟତର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବେ। ଏହି କାର୍ଯ୍ୟକ୍ରମରୁ ଜଣାପଡ଼ିବ କେଉଁ କଂପାନି ପ୍ରସ୍ତୁତି ଦୃଷ୍ଟିରୁ କେତେ ଆଗରେ ରହିଛି? କେଉଁ କଂପାନି କେଉଁ ପ୍ରସ୍ତୁତିକୁ କେତେ ଗୁରୁତ୍ୱ ଦେଉଛି ତାହା ମଧ୍ୟ ଜଣାପଡ଼ିଛି। ଚଳିତ ସଂସ୍କରଣରେ ୫ଜି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ପ୍ରଯୁକ୍ତିକୁ ନେଇ ବିଭିନ୍ନ ଉତ୍ପାଦ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି

ସାମସଙ୍ଗ୍‌ ଆଣିଲା ଗାଲାକ୍ସି ଏସ୍‌୯
ସାମସଙ୍ଗ୍‌ ପକ୍ଷରୁ ନୂଆ ଗାଲାକ୍ସି ଏସ୍‌୯ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରାଯାଇଛି। ୫.୮ ଇଞ୍ଚ ଏବଂ ୬.୨ ଇଞ୍ଚ୍‌ ଭଳି ଦୁଇ ପ୍ରକାର ସ୍କ୍ରିନ୍‌ରେ ଏହି ଫୋନ୍‌ ଉପଲବ୍ଧ ହେବ। ସୋସିଆଲ୍‌ ମିଡିଆକୁ ବହୁଳ ଭାବେ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି କଂପାନି ଏହି ଫୋନ୍‌କୁ ପ୍ରସ୍ତୁତ କରିଛି। ଏଥିରେ ରହିଛି ସୁପର ସ୍ଲୋ ମୋସନ୍‌ କ୍ୟାମେରା। ଏହା ବ୍ୟତୀତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ଉପରେ ପର୍ଯ୍ୟବେସିତ ଭଏସ୍‌ ଟୁଲ୍‌ ମଧ୍ୟ ରହିଛି। ମାର୍ଚ ୧୬ରୁ ଏହା ବିଭିନ୍ନ ଦେଶରେ ବିକ୍ରି ହେବ।

ନୋକିଆର ୪ଜି ଫିଚର୍‌ ଫୋନ୍‌

ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ନୋକିଆର ପ୍ରଥମ ୪ଜି ଫିଚର୍‌ ଫୋନ୍‌ ଉନ୍ମୋଚନ କରାଯାଇଛି। ଏହାର ନାମ ହେଉଛି ନୋକିଆ ୮୧୧୦। କଂପାନି ଏହାର ପ୍ରଥମ ଆଣ୍ଡ୍ରଏଡ୍‌ ଗୋ ଫୋନ୍‌ ନୋକିଆ ୧ ସମେତ ମୋଟ ୫ଟି ହ୍ୟାଣ୍ଡ୍‌ସେଟ୍‌ ପ୍ରଦର୍ଶନ କରିଛି। ଅନ୍ୟ ମଡେଲ୍‌ଗୁଡ଼ିକ ହେଉଛି ନୋକିଆ ୮ ସିରୋକୋ, ନୋକିଆ ୭ ପ୍ଲସ୍‌ ଏବଂ ନୋକିଆ ୬।

ଗୁପ୍ତ କ୍ୟାମେରା ଥିବା ଲ୍ୟାପ୍‌ଟପ୍‌

ଚୀନ୍‌ର କଂପାନି ହୁଆେଓ୍ଵଇ ପକ୍ଷରୁ ଏକ ଲ୍ୟାପ୍‌ଟପ୍‌ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ଗୁପ୍ତ କ୍ୟାମେରା। ଏହାର ନାମ ହେଉଛି ମେଟ୍‌ବୁକ୍‌ ଏକ୍ସ ପ୍ରୋ। ଏଥିରେ ରହିଛି ଟଚ୍‌ସ୍କ୍ରିନ୍‌ ଡିସ୍‌ପ୍ଲେ। ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ସୁବିଧା ମଧ୍ୟ ଏଥିରେ ରହିଛି। ଏହା ଦ୍ୱାରା ଲ୍ୟାପ୍‌ଟପ୍‌ ଅଧିକ ସୁରକ୍ଷିତ ରହିପାରିବ। କଂପାନି ପକ୍ଷରୁ ଦୁଇଟି ଟ୍ୟାବ୍‌-ମିଡିଆପ୍ୟାଡ୍‌ ଏମ୍‌୫ ଏବଂ ମିଡିଆ ପ୍ୟାଡ୍‌ ଏମ୍‌୍‌୫ ପ୍ରୋକୁ ମଧ୍ୟ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର