ନୂଆଦିଲ୍ଲୀ: ଭାରତୀୟ ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ଓମେଗା ସିକି ମୋବିଲିଟି (ଓଏସଏମ) ବିଶ୍ୱର ପ୍ରଥମ ସ୍ୱୟଂଶାସିତ (ଚାଳକହୀନ) ବୈଦ୍ୟୁତିକ ତିନି ଚକିଆ ଯାନ, "ସ୍ୱୟଂଗତି" ଲଞ୍ଚ କରିଛି। ଏଭଳି ସ୍ବତନ୍ତ୍ର ଅଟୋର ମୂଲ୍ୟ ମାତ୍ର ୪ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି।
"ସ୍ୱୟଂଗତି" ଓଏସଏମର ବୈଦ୍ୟୁତିକ ପ୍ଲାଟଫର୍ମ ଏବଂ ଏଆଇ-ଆଧାରିତ ସ୍ୱୟଂଶାସିତ ସିଷ୍ଟମ ଉପରେ ନିର୍ମିତ। ଏହା ବିମାନବନ୍ଦର, ସ୍ମାର୍ଟ କ୍ୟାମ୍ପସ, ପାର୍କ, ଗେଟେଡ୍ ସମ୍ପ୍ରଦାୟ ଏବଂ ଜନଗହଳିପୂର୍ଣ୍ଣ ସହରାଞ୍ଚଳରେ ଡ୍ରାଇଭର ବିନା କାର୍ଯ୍ୟ କରିପାରିବ। ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ନିରାପଦ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଉକ୍ତ ଅଟୋରେ ପୂର୍ବରୁ ମ୍ୟାପ୍ ଖଞ୍ଜା ଯାଇଛି।
ଏଥିରେ ଦିଆଯାଇଥିବା ବ୍ୟାଟେରୀ ଥରେ ଚାର୍ଜ ହେବା ପରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ କରିଥାଏ । ବିଶ୍ବର ପ୍ରଥମ ସ୍ବୟଂଚାଳିତ ବୈଦ୍ୟୁତିକ ତିନି ଚକିଆ ଗାଡ଼ି ସ୍ବୟଂଗତିରେ ଏଆଇ-ଭିତ୍ତିକ ବାଧା ଚିହ୍ନଟ କରିବା ସହିତ ମଲ୍ଟି-ସେନ୍ସର ନାଭିଗେସନ୍ ଏବଂ ରିମୋଟ୍ ସୁରକ୍ଷା ନିୟନ୍ତ୍ରଣ ପ୍ରଦାନ କରାଯାଇଛି ।
ଓମେଗା ସିକି ମୋବିଲିଟିର ପ୍ରତିଷ୍ଠାତା-ଅଧ୍ୟକ୍ଷ ଉଦୟ ନାରଙ୍ଗ କହିଛନ୍ତି, "ସ୍ବୟଂଗତି ସହିତ ଆମେ ସ୍ବଚ୍ଛ, ସଂଯୁକ୍ତ ଏବଂ ବୁଦ୍ଧିମାନ ଗତିଶୀଳତା ସମାଧାନ ବିକାଶ କରିବାରେ ଭାରତର କ୍ଷମତାକୁ ମଧ୍ୟ ପ୍ରଦର୍ଶନ କରୁଛୁ ।ସ୍ବୟଂଚାଳିତ ତିନି ଚକିଆ ଯାତ୍ରୀବାହୀ ବାହକ ଓଏସଏମର ଇଭି ପ୍ଲାଟଫର୍ମ ଉପରେ ଆଧାରିତ ଏବଂ ସ୍ବୟଂଚାଳିତ ଡ୍ରାଇଭିଂ ପ୍ରଯୁକ୍ତିବିଦ୍ୟାରେ ବିଶେଷଜ୍ଞ ବେଙ୍ଗାଲୁରୁ ଭିତ୍ତିକ ଏକ ଷ୍ଟାର୍ଟ-ଅପ୍ ସହିତ ସହଭାଗୀତାରେ ବିକଶିତ ହୋଇଛି ।