ବିଶ୍ବର ବୃହତ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଦେବାଳିଆ: ୧,୩୧,୨୦୦ କୋଟିର ମାଲିକ ରାତାରାତି କାଙ୍ଗାଳ

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସି ଦୁନିଆ କେତେ ଅସ୍ଥିର ଓ ଭୟଙ୍କର ତାହାର ଏକ ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି। କ୍ରିପ୍ଟୋରେ ନିବେଶ କରି ମୋଟା ଅଙ୍କର ଲାଭ ପାଇବାର ସ୍ବପ୍ନ ଦେଖାଇଥିବା ବିଶ୍ବର ଅନ୍ୟତମ ସର୍ବବୃହତ କ୍ରିପ୍ଟୋ ଏକ୍ସଚେଞ୍ଜ ‘ଏଫ୍‌ଟିଏକ୍ସ’ ଦେବାଳିଆ ହୋଇପଡ଼ିଛି। ଏଥି ସହିତ ଏହାର ପ୍ରତିଷ୍ଠାତା ତଥା କ୍ରିପ୍ଟୋ ଦୁନିଆର ଚର୍ଚ୍ଚିତ ଚେହେରା ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍‌ କାଙ୍ଗାଳ ହୋଇଯାଇଛନ୍ତି। ଏକଦା ୨୬୦୦ କୋଟି ଡଲାର ସମ୍ପତ୍ତିର ମାଲିକ ଥିବା ଫ୍ରାଏଡ୍‌ଙ୍କ ପାଖରେ ଏବେ କିଛି ନାହିଁ। ସପ୍ତାହକ ପୂର୍ବରୁ ତାଙ୍କ ସମ୍ପତ୍ତି ମୂଲ୍ୟ ୧,୩୧,୨୦୦ କୋଟି ଟଙ୍କା (୧୬୦୦ କୋଟି ଡଲାର )ଥିଲା। ଏବେ ତାହା ଶୂନ ହୋଇଯାଇଛି। ଆମେରିକାର ଏହି ୩୦ ବର୍ଷୀୟ ଯୁବକ ସମ୍ପୂର୍ଣ୍ଣ କାଙ୍ଗାଳ ହୋଇଯାଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଫ୍ରାଏଡ୍‌ଙ୍କ ସମ୍ପତ୍ତିରେ ୯୬ ପ୍ରତିଶତ ହ୍ରାସ ହୋଇଛି। ବିଶ୍ବ ଇତିହାସରେ ଗୋଟିଏ ଦିନରେ କୌଣସି ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏଭଳି ବଡ଼ ଧରଣର ହ୍ରାସ କେବେ ହୋଇନଥିଲା। କଂପାନିର ସେୟାର ମୂଲ୍ୟ କମିବା ଯୋଗୁଁ ଫ୍ରାଏଡ୍‌ଙ୍କ ସମ୍ପତ୍ତି କମିଛି।

ବିଟ୍‌କଏନ୍ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ମୂଲ୍ୟରେ ହୋଇଥିବା ବୃଦ୍ଧି ସହ ଫ୍ରାଏଡ୍‌ଙ୍କ ସମ୍ପତ୍ତି ଅତି ଦ୍ରୁତ ଗତିରେ ବଢ଼ିଥିଲା। ବିଟ୍‌କଏନ୍ ମୂଲ୍ୟ ହ୍ରାସ ପାଇବା ପରେ ସେ କାଙ୍ଗାଳ ହୋଇଯାଇଛନ୍ତି। ଏସିଆ ଓ ଅାମେରିକା ବଜାରରେ ବିଟ୍‌କଏନ୍ ମୂଲ୍ୟରେ ରହୁଥିବା ବଡ଼ ଧରଣର ଅନ୍ତର ଫ୍ରାଏଡ୍‌ଙ୍କୁ ସର୍ବାଧିକ ଲାଭ ଦେଇଥିଲା। କ୍ରିଫ୍ଟୋ ବଜାର ଦୁର୍ବଳ ହେବା ପରେ ଫ୍ରାଏଡ୍‌ଙ୍କ କଂପାନି ଏଫ୍‌ଟିଏକ୍ସର ଆୟ ସଙ୍କୁଚିତ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ କଂପାନି ଚଲାଇବା ସମ୍ଭବ ହୋଇନଥିଲା। କୌଣସି ପ୍ରକାରରେ ସଂସ୍ଥାକୁ ବଞ୍ଚାଇବା ଲାଗି ଫ୍ରାଏଡ୍‌ ତାଙ୍କୁ ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ବିନାନ୍ସକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ବିନାନ୍ସ ମଧ୍ୟ ସେଥିରେ ରାଜି ହୋଇଥିଲା। ମାତ୍ର ଯେତେବେଳେ ତାହା ଏଫ୍‌ଟିଏକ୍ସର ଯର୍ଥାର୍ଥ ଆକଳନ ଆରମ୍ଭ କଲା କଂପାନିରେ କିଛି ବି ସମ୍ଭାବନା ନଥିବା ଜାଣିବା ପରେ ବିନାନ୍ସ ଚୁକ୍ତିରୁ ଓହରିଯାଇଥିଲା।

ଅନ୍ୟ କୌଣସି ଉପାୟ ନପାଇ ଏଫ୍‌ଟିକ୍ସକୁ ଦେବାଳିଆ ଘୋଷଣା କରିବା ଲାଗି ଫ୍ରାଏଡ୍‌ ଉଦ୍ୟମ ଆରମ୍ଭ କରିଛନ୍ତି। ଆମେରିକାରେ ଥିବା ଆଇନ ଅନୁସାରେ ସେ ସେଥିପାଇଁ ଆବେଦନ ମଧ୍ୟ କରିଛନ୍ତି। କଂପାନିର ସିଇଓ ପଦରୁ ଇସ୍ତଫା ଦେବା ସହ ସେ ଅଦୃଶ୍ୟ ହୋଇଯାଇଛନ୍ତି। ଫ୍ରାଏଡ୍‌ ଦେଶ ଛାଡ଼ି ଆର୍ଜେଣ୍ଟିନା ଚାଲିଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ତାହାକୁ ସେ ଟ୍ବିଟ୍‌ ଜରିଆ‌େର ଖଣ୍ଡନ କରିଛନ୍ତି। ମୁଁ ଏବେ ବାହାମାସ୍‌ରେ ଅଛି ବୋଲି ସେ ଜଣାଇଛନ୍ତି। ଆମେରିକାରେ ଏଫ୍‌ଟିଏକ୍ସର ପତନକୁ ‌ଅତୀତରେ ଘଟିଥିବା ଲେହମ୍ୟାନ୍ ବ୍ରଦର୍ସ ଓ ଏନ୍‌ରନ୍‌ର ପତନ ସହ ତୁଳନା କରାଯାଉଛି। ଏଫ୍‌ଟିଏକ୍ସରେ ନିବେଶ କରିଥିବା ନିବେଶକମାନଙ୍କ ଭବିଷ୍ୟତ କ’ଣ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ।

ସାମ୍‌ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍‌ କିଏ?
ଆମେରିକାର ଜଣେ ୩୦ ବର୍ଷୀୟ ଯୁବକ ହେଉଛନ୍ତି ସାମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍‌। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ପୁଅ ଭାବେ ସେ ବେଶ ମେଧାବୀ ଥିଲେ। ଏମ୍‌ଆଇଟି ଭଳି ଅନୁଷ୍ଠାନରେ ପାଠପଢ଼ିଥିବା ଫାଏଡ୍‌ କ୍ରିଫ୍ଟୋକରେନ୍ସି ବା ଡିଜିଟାଲ ମୁଦ୍ରା‌ ଦୁନିଆର ଚର୍ଚ୍ଚିତ ଚେହେରା ଥିଲେ। ଅଳ୍ପ ଦିନ ଭିତରେ ବିପୁଳ ସମ୍ପତ୍ତିର ମାଲିକ ହୋଇପାରିଥିବାରୁ ତାଙ୍କୁ ଆମେରିକାରେ ବିଶିଷ୍ଟ ନିବେଶକ ୱାରେନ ବଫେଟ୍‌ଙ୍କ ସହ ତୁଳନା କରାଯାଉଥିଲା। କୁଞ୍ଚୁକୁଞ୍ଚିଆ କେଶ ସହ ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରୁଥିବା ଫ୍ରାଏଡ୍‌ ଏତେ ଚର୍ଚ୍ଚିତ ଥିଲେ ଯେ କିଛି ମଞ୍ଚରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ସହ ବସିବାର ସୁଯୋଗ ପାଇଥିଲେ।

ବିପୁଳ ସମ୍ପତ୍ତି ଥିବାରୁ ସେ ସେଥିରୁ ବହୁତ କିଛି ଦାନ ମଧ୍ୟ କରୁଥିଲେ। ତାଙ୍କୁ ଆମେରିକାର ଅନ୍ୟତମ ବଦାନ୍ୟ ବ୍ୟକ୍ତି କୁହାଯାଉଥିଲା। ବିଶ୍ବର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ମୂଲ୍ୟରେ ଏସିଆ ଓ ଆମେରିକାରେ ଥିବା ଅନ୍ତର ତାଙ୍କୁ ସବୁଠୁ ବଡ଼ ଲାଭ ପ୍ରଦାନ କରିଥିଲା। ତାହାକୁ ନେଇ ‌ସେ ପ୍ରଥମେ କ୍ରିଫ୍ଟୋ କାରବାର ସୁବିଧା ପ୍ରଦାନ କରୁଥିବା ସଂସ୍ଥା ଆଲାମେଡା ରିସର୍ଚ୍ଚକୁ ୨୦୧୭ରେ ଏବଂ ବର୍ଷକ ପରେ ନିଜର ଜଣେ ବନ୍ଧୁଙ୍କ ସହ ମିଶି ସେ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଏଫ୍‌ଟିଏକ୍ସକୁ ଗଠନ କରିଥିଲେ। ବିଟକଏନ୍ ମୂଲ୍ୟ ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ପରେ ଏଫ୍‌ଟିଏକ୍ସ ଚମକ ହରାଇବା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର