ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଶନିବାର ଦିନ ଜିମେଲ୍‌ ସେବା କିଛି ସମୟ ପାଇଁ ଅଚଳ ହୋଇଯାଇଛି। ଗୁଗୁଲ୍‌ର ମେଲ୍‌ ସେବା କାମ କରୁ ନଥିବା ନେଇ ଅନେକ ବ୍ୟବହାରକାରୀ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଭାରତରେ ରାତି ପ୍ରାୟ ୮ଟା ବେଳକୁ ଏହି ସମସ୍ୟା ଦେଖିବାକୁ ମିଳିଛି। ଡାଉନଡିଟେକ୍ଟର ଡଟ୍ କମ୍‌ ନାମକ ସଂସ୍ଥା ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। ଭାରତରେ ଜିମେଲ୍‌ ଯାଉ ନଥିବା କିମ୍ବା ଆସୁ ନଥିବା ନେଇ ୟୁଜରମାନେ ଅଭିଯୋଗ କରିଛନ୍ତି। ସେହିଭଳି ଜିମେଲ୍‌ ଆପ୍‌ ମଧ୍ୟ କାମ କରିନାହିଁ। ଯେତେବେଳେ କୌଣସି ଦିନର ନିର୍ଦ୍ଦିଷ୍ଟ ସମୟରେ ଦେଖାଦେଇ ଆସୁଥିବା ସମସ୍ୟା ତୁଳନାରେ ବହୁ ଅଧିକ ସମସ୍ୟା ଦେଖାଦିଏ ସେତେବେଳେ ଡାଉନଡିଟେକ୍ଟର ଏ ସଂପର୍କରେ ସୂଚନା ଦେଇଥାଏ। ଉଭୟ ଡେସ୍କଟପ୍ ଏବଂ ଆପ୍ ସେବା ପ୍ରଭାବିତ ହୋଇଛି। ଟ୍ବିଟରରେ ଜିମେଲ ଡାଉନ୍‌ ଟ୍ରେଣ୍ଡ୍‌ ହେବାରେ ଲାଗିଛି।

Advertisment

ଜିମେଲ୍‌ କାମ କରୁ ନଥିବାରୁ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ସେମାନଙ୍କ ମନର ଭାବନା ଏବଂ ହତା‌ଶାବୋଧ ପ୍ରକାଶ କରିଛନ୍ତି। ଜଣେ ଲେଖିଛନ୍ତି ଭାରତରେ ଜିମେଲ୍‌ କାମ କରୁନି କି? ଇମେଲ୍ ପଠାଇ ପାରୁନି କି ପାଇପାରୁନି। ସେବାରେ ସମସ୍ୟା ଥିବା ବିଷୟକୁ ମଧ୍ୟ ଗୁଗୁଲ୍‌ ସ୍ବୀକାର କରିଛି। ବ୍ୟବହାରକାରୀମାନେ ଇମେଲ୍‌ ‌ପ୍ରେରଣରେ ବିଳମ୍ବ ଅନୁଭବ କରିପାରନ୍ତି। ସମସ୍ୟା ସଂପର୍କରେ ଜାଣିବା ପାଇଁ କମ୍ପାନିର ଇଞ୍ଜିନିୟରିଂ ଟିମ୍‌ କାର୍ଯ୍ୟ ଜାରି ରଖିଛନ୍ତି। ବିଶ୍ବରେ ୧୫୦ କୋଟିରୁ ଅଧିକ ଲୋକ ଜିମେଲ୍‌ ବ୍ୟବହାର କରୁଛନ୍ତି। ୨୦୨୨ରେ ସର୍ବାଧିକ ଡାଉନଲୋଡ ହୋଇଥିବା ଆପ୍‌ ମଧ୍ୟରେ ଜିମେଲ୍‌ ସ୍ଥାନ ପାଇଛି।