ନୂଆଦିଲ୍ଲୀ: ପ୍ରବାସରେ ରହି ସଫଳତାର ଶିଖରକୁ ଛୁଇଁଥିଲେ ମଧ୍ୟ ନିଜ ଜନ୍ମମାଟିକୁ ସେମାନେ ଭୁଲି ନାହାନ୍ତି। ଭାରତରେ କରୋନା ମହାମାରୀର ତାଣ୍ଡବ ସେମାନଙ୍କ ମନକୁ ଦୋହଲାଇ ଦେଇଛି। ନିଜ ଦେଶର ସ୍ଥିତିକୁ ଆଜି ଦୁଃଖ ପ୍ରକାଶ କରିଛନ୍ତି ଗୁଗୁଲ୍ର ସିଇଓ ସୁନ୍ଦର ପିଚ୍ଚାଇ ଓ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା। ଉଭୟ ସତ୍ୟ ଓ ସୁନ୍ଦର ଭାରତରେ ଜନ୍ମ ହୋଇ ଏବେ ବିଶ୍ବସ୍ତରୀୟ କଂପାନିର ମଙ୍ଗ ସମ୍ଭାଳୁଛନ୍ତି। ସୁନ୍ଦର କହିଛନ୍ତି ଯେ ଭାରତରେ କୋଭିଡ୍ ସଙ୍କଟ ଏଭଳି ଗୁରୁତ୍ତର ହୋଇଥିବା ଜାଣି ମୁଁ ଭାଙ୍ଗି ପଡ଼ିଛି। ମେଡିକାଲ୍ ଯୋଗାଣ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ଲାଗି ଗୁଗୁଲ୍ ତରଫରୁ ୧୩୫ କୋଟି ଟଙ୍କାର ପାଣ୍ଡି ଗିଭ୍ ଇଣ୍ଡିଆ ଓ ୟୁନିସେଫ୍କୁ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛି। ଏହି ସହାୟତା ରାଶିର କିଛି ଅଂଶ ଗୁରୁତ୍ବପୂର୍ଣ୍ଣ ସୂଚନା ପହଞ୍ଚାଇବା ଲାଗି ଅନୁଦାନ ଭାବେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ସେହିପରି, ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ ଭାରତର ବର୍ତ୍ତମାନ ସ୍ଥିତିକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ। ସହାୟତା ଦେବା ଲାଗି ଆଗେଇ ଆସିଥିବାରୁ ମୁଁ ଆମେରିକା ସରକାରଙ୍କୁ କୃତଜ୍ଞତା ଜଣାଉଛି। ରିଲିଫ୍ ଉଦ୍ୟମ ପ୍ରତି ସହାୟତା ପ୍ରଦାନ କରିବା ଏବଂ ଗୁରୁତ୍ବପୂର୍ଣ୍ଣ ଅକ୍ସିଜେନ୍ କନ୍ସେଟ୍ରେସନ ଉପକରଣ କିଣିବା ଲାଗି ସହାୟତା ଦେବା ନିମନ୍ତେ ମାଇକ୍ରୋସଫ୍ଟ ଏହାର ସ୍ବର, ସମ୍ବଳ ଓ ପ୍ରଯୁକ୍ତିକୁ ବ୍ୟବହାର କରିବା ଜାରି ରଖିବ ବୋଲି ସତ୍ୟ ଜଣାଇଛନ୍ତି।
ଭାରତରେ କରୋନା ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଦ୍ବିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି। ଏଭଳି ଗମ୍ଭୀର ସମୟରେ ଭାରତକୁ ସାହାଯ୍ୟ କରିବା ଲାଗି ଅନେକ ଦେଶ ଆଗେଇ ଆସିଛନ୍ତି। ଅନେକ କଂପାନି ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। କରୋନା ଟିକା ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଉପାଦାନ ଭାରତକୁ ପଠାଇବା ଲାଗି ଆମେରିକା ଆଗ୍ରହ ପ୍ରକାଶ କରିବାର ଗୋଟିଏ ଦିନ ପରେ ଆଜି ସୁନ୍ଦର ଓ ସତ୍ୟ ଟୁଇଟ୍ କରି ନିଜ ମନରେ ଥିବା ଦୁଃଖ ଜଣାଇଛନ୍ତି। କେବଳ ଏହି ଦୁଇ ଭାରତୀୟ ନୁହନ୍ତି ପ୍ରବାସରେ ରହି ବିଶ୍ବସ୍ତରୀୟ କଂପାନିର ଦେଖାଶୁଣା କରୁଥିବା ଆଉ କିଛି ଭାରତୀୟ ମଧ୍ୟ ଭାରତ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ସନ୍ ମାଇକ୍ରୋସିଷ୍ଟମସ୍ର ସହ ପ୍ରତିଷ୍ଠାତା ବିନୋଦ ଖୋସ୍ଲା ହସ୍ପିଟାଲ୍ଗୁଡ଼ିକୁ ଅକ୍ସିଜେନ୍ ଯୋଗାଇବା ଲାଗି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆମେରିକାର ସିଲିକନ୍ ଭାଲିର ନିବେଶକ ବାଲାଜୀ ଶ୍ରୀନିବାସନ ମଧ୍ୟ କୋଭିଡ୍-୧୯ ମୁକାବିଲା ଲାଗି ଭାରତ ପାଇଁ ୧,୦୦,୦୦୦ ଡଲାର ସହାୟତା ଦେଇଛନ୍ତି। ସିଲଭରବ୍ୟାକ୍ ଭେଞ୍ଚର୍ସର ଆଦାମ୍ ନାସ୍, କ୍ରିପ୍ଟୋମୁଦ୍ରା ଏଥେରିଅମ୍ର ସହ ପ୍ରତିଷ୍ଠାତା ଭିଟାଲିକ୍ ବୁଟେରିନ୍ ମଧ୍ୟ ଭାରତ ପାଇଁ ସହାୟତା ଘୋଷଣା କରିଛନ୍ତି।