ନୂଆଦିଲ୍ଳୀ: ଗତ କିଛି ବର୍ଷ ମଧ୍ୟର ମୋମୋ ପ୍ରତି ଲୋକଙ୍କ ଭଲପାଇବା ଖୁବ୍ ବଢ଼ିଯାଇଛି। ବିଶେଷ କରି ଯୁବପିଢ଼ିଙ୍କ କ୍ଷେତ୍ରରେ ମୋମୋ ଖାଇବାର ଇଚ୍ଛା ଖୁବ୍ ଅଧିକ ବଢ଼ିଯାଇଛି। ମୋମୋ ଏବେ ପିଜା, ବର୍ଗର ପରି ଖାଦ୍ୟ ସହ ଟକ୍କର ଦେଉଛି। ରାସ୍ତାକଡ଼ର ମୋମୋ କଥା ଛାଡ଼ନ୍ତୁ, ଆପଣ ଅଧିକାଂଶ ସ୍ଥାନରେ ‘ୱାଓ ମୋମୋ’ର ହୋର୍ଡିଂ ଦେଖିଥିବେ କିମ୍ବା ଖାଇଥିବେ ମଧ୍ୟ। ଏହି ‘ୱାଓ ମୋମୋ’ ଚେନ୍ ପ୍ରତିଷ୍ଠାତାଙ୍କ କାହାଣୀ ବଡ଼ ପ୍ରେରଣାଦାୟକ।ଦେଶ ସାରା କେବଳ ମୋମୋ ବିକ୍ରି କରି ୨୦୦୦ କୋଟି ଟଙ୍କାର କମ୍ପାନି ଛିଡ଼ା କରି ଦେଇଛନ୍ତି ସେ।
ନିଜ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସେମାନଙ୍କ କ୍ୟାରିୟର୍କୁ ନେଇ ବଡ଼ ବଡ଼ ସ୍ବପ୍ନ ଦେଖିବା ସବୁ ବାପାମାଆଙ୍କ ଆଗ୍ରହ ରହିଥାଏ। ସମସ୍ତେ ଭାବନ୍ତି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କିମ୍ବା ଅନ୍ୟ କୌଣସି ବଡ଼ ଚାକିରି କଲେ ସେମାନଙ୍କ ପିଲା ବଡ଼ଲୋକ ପାଲଟିଯିବେ। ମାତ୍ର ଜରୁରୀ ନୁହେଁ ଯେ ବଡ଼ଲୋକ ହେବା ପାଇଁ ଏକ ଚାକିରିର ସର୍ବଦା ଆବଶ୍ୟକତା ରହିଥାଏ। ବ୍ୟବସାୟ କରି ଅନେକ ଲୋକ ଛୋଟରୁ ବଡ଼ ହୋଇଛନ୍ତି। ‘ୱାଓ ମୋମୋ’ର ପ୍ରତିଷ୍ଠାତା ସାଗର ଦର୍ଯ୍ୟାନି ହେଉଛନ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ।
ସମସ୍ତଙ୍କ ପରି ସାଗର ଦର୍ଯ୍ୟାନିଙ୍କ ବାପାମାଆ ବି ଚାହୁଁଥିଲେ ଯେ ତାଙ୍କ ପୁଅ ପାଠ ପଢ଼ି ଭଲ ଚାକିରିଟେ କରି ବଡ଼ ମଣିଷ ହେଉ। ହେଲେ ତାଙ୍କ ମନରେ ଆଉ କିଛି ଚାଲୁଥିଲା। ସେ କୋଲକାତାର ସେଣ୍ଟ୍ ଜାଭିର୍ୟସ କଲେଜରେ ଗ୍ରାଜୁଏସନ୍ କରିବା ପରେ ମୋମୋ ବିକ୍ରି କରିବା କଥା ତାଙ୍କ ମୁଣ୍ଡରେ ପଶିଲା। ପ୍ରଥମେ ଏକ ଛୋଟିଆ ଷ୍ଟଲ୍ କରି ମୋମୋ ବିକ୍ରି କରୁ କରୁ ୨୦୦୮ ମସିହାରେ ସାଗର ଦର୍ଯ୍ୟାନି ‘ୱାଓ ମୋମୋ’ ପ୍ରତିଷ୍ଠା କରିଥିଲେ। ପ୍ରଥମରୁ ତ ସାଗରଙ୍କ ମୋମୋ ବିକିବା ନେଇ ତାଙ୍କ ବାପାମାଆ ସଂକୋଚ ଅନୁଭବ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଏହାକୁ ଏକ ଫୁଡ୍ ଚେନ୍ ଭାବେ ପ୍ରସ୍ତୁତ କଲେ। ଧୀରେ ଧୀରେ ବ୍ୟବସାୟକୁ ବଢ଼ାଇ ୨୦୦୦ କୋଟି ଟଙ୍କାର କମ୍ପାନି କରି ଛିଡ଼ା କରାଇବାରେ ସମର୍ଥ ହେଲେ।
ୱାଓ ମୋମୋ ବ୍ୟବସାୟ ଏକ ଛୋଟ ଦୋକାନରୁ ଆରମ୍ଭ ହୋଇ ଆଜି ସାରା ଦେଶରେ ବ୍ୟାପିଛି ଏବଂ ଏହି ଭାରତୀୟ କମ୍ପାନୀ ମ୍ୟାକଡୋନାଲ୍ଡ, କେଏଫସି, ଡୋମିନୋଜ ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ ସହ ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଛି। ଦେଶର ୨୬ଟି ରାଜ୍ୟରେ ଏହାର ୬୦୦ରୁ ଅଧିକ ଆଉଟଲେଟ୍ ଅଛି ଏବଂ ସେମାନଙ୍କ ମାଧ୍ୟମରେ ପ୍ରତିଦିନ ୬ ଲକ୍ଷରୁ ଅଧିକ ମୋମୋ ବିକ୍ରି ହେଉଛି | ସାଗରଙ୍କ ମୋମୋ କମ୍ପାନିର ଆନୁମାନିକ ବଜାର ମୂଲ୍ୟ ୨୦୦୦କୋଟି ଟଙ୍କା ଅତିକ୍ରମ କରିଛି। ସେ ଏହି ଆଉଟଲେଟ୍ ମାଧ୍ୟମରେ ବହୁ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।