କୁସ୍ତି: ଦୀପକ ଅଳ୍ପକେ ପଦକରୁ ବଞ୍ଚିତ, ଭିନେଶ, ଅଂଶୁଙ୍କ ଅଭିଯାନ ଶେଷ

ଚିବା (ଜାପାନ): ଅଲିମ୍ପିକ୍ସ ପଦାର୍ପଣରେ ଭାରତୀୟ କୁସ୍ତିବିତ୍‌ ଦୀପକ ପୁନିଆ ‌କାଂସ୍ୟ ପଦକ ଜିତିବାର ନିକଟତର ହୋଇଥିଲେ। ହେଲେ ଗୁରୁବାର ୮୬ କେଜି ଫ୍ରାଷ୍ଟାଇଲ୍‌ କାଂସ୍ୟ ମୁକାବିଲାରେ ହାରି ୨୨ ବର୍ଷୀୟ ଦୀପକ ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲେ। ସାନ ମାରିନୋର ମାଇଲେସ ନଜେମଙ୍କ ବିପକ୍ଷ ଏହି ବାଉଟ୍‌ର ପ୍ରଥମ ଭାଗରେ ୨-୧ରେ ଆଗୁଆ ରହିଥିଲେ। ରକ୍ଷଣାତ୍ମକ ଢଙ୍ଗରେ ଖେଳି ଦୀପକ ବିଜୟ ଆଡ଼କୁ ଅଗ୍ରସର ହେଉଥିଲେ। ହେଲେ ନଜେମ ଶେଷ ୧୦ ସେକେଣ୍ଡ୍‌ରେ ଦୁଇ ପଏଣ୍ଟ କରାୟତ୍ତ କରି ୪-୨ରେ ମ୍ୟାଚ୍‌ ଜିତି ନେଇଥିଲେ। ପ୍ରଥମ ରାଉଣ୍ଡରେ ଦୀପକ ୧୨-୧ରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ, କ୍ବାର୍ଟର ଫାଇନାଲ୍‌ରେ ୬-୩ରେ ଚୀନ୍‌ର ଲିନ୍‌ ଜୁସେନଙ୍କୁ ପରାସ୍ତ କରିବା ପରେ ସେମିଫାଇନାଲ୍‌ରେ ୦-୧୦ରେ ୨୦୧୮ ବିଶ୍ବ ବିଜେତା ଆମେରିକାର ଡେଭିଡ ମୋରିସ ଟେଲରଙ୍କଠୁ ହାରି ଯାଇଥିଲେ।

ଦୁଇ ଭାରତୀୟ ମହିଳା କୁସ୍ତିବିତ୍‌ ଭିନେଶ ଫୋଗଟ ଏବଂ ଅଂଶୁ ମଲିକଙ୍କ ଅଭିଯାନ ଗୁରୁବାର ଶେଷ ହୋଇଯାଇଛି। ମହିଳା ୫୩ କେଜି ଫ୍ରିଷ୍ଟାଇଲ ବର୍ଗରେ ଭାଗ ନେଇଥିବା ଭିନେଶ କ୍ବାର୍ଟର ଫାଇନାଲ୍‌ରେ ଅଟକି ଯାଇଥିଲା ବେଳେ ପଦକ ଆଶା ଉଜ୍ଜୀବିତ ରଖିଥିବା ଅଂଶୁ (୫୭ କେଜି) ରି‌ପି‌ଚେଜ୍‌ ରାଉଣ୍ଡ-୨ରୁ ହାରି ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ଭିନେଶ ୭-୧ରେ ରିଓ କାଂସ୍ୟ ବିଜୟିନୀ ତଥା‌ ୬ ଥର ବିଶ୍ବ ପଦକ ବିଜୟିନୀ ସୋଫିଆ ମାଟସନ୍‌ଙ୍କୁ ମାତ୍‌ ଦେଇ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ।

ହେଲେ କ୍ବାର୍ଟର ଫାଇନାଲ୍‌ରେ ସେ ବେଲାରୁଷର ଭାନେସା କାଲାଜିସ୍କାୟାଙ୍କଠୁ ‘ପତନ ଦ୍ବାରା ବିଜୟ’ ନିଷ୍ପତ୍ତିରେ ହାରିଯାଇଥିଲେ। ହେଲେ କାଲାଜିସ୍କାୟା ସେମିଫାଇନାଲ୍‌ରେ ହାରିଯିବାରୁ ଭିନେଶଙ୍କ ରିପିଚେଜ୍‌ ଖେଳିବା ଆଶା ମଧ୍ୟ ମଉଳି ଯାଇଥିଲା। ସୂଚନାଯୋଗ୍ୟ, ରିଓ ଅଲିମ୍ପିକ୍ସରେ ମଧ୍ୟ ଭିନେଶ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ମହିଳା ୫୭ କେଜି ବର୍ଗ ରିପିଚେଜ୍‌ ରାଉଣ୍ଡରେ ଅଂଶୁ ୧-୫ରେ ରିଓ ଅଲିମ୍ପିକକ୍ସ ରୌପ୍ୟ ବିଜୟିନୀ ରୁଷୀୟର ଭାଲେରିଆ କୋବ୍ଲୋଭାଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର