ଇତିହାସ ରଚିଲା ବିଶ୍ବ ବାଣିଜ୍ୟ ସଂଗଠନ

 ଐତିହାସିକ ରାଜିନାମା ସ୍ବାକ୍ଷରିତ
ଦଶନ୍ଧି ପ୍ରତୀକ୍ଷାର ଅନ୍ତ
ରାଜିନାମା ପାଇଁ ସଦସ୍ୟମାନେ ସହମତ
ଭାରତକୁ ୧୦୦% ସଫଳତା: ଗୋୟଲ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅମଳରେ ଅସ୍ଥିତ୍ବ ହରାଇବାକୁ ବସିଥିବା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ଐତିହାସିକ ସଫଳତା ହାସଲ କରିଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ସହମତି ହାସଲ କରିବାରେ ଏହା ସଫଳ ହୋଇଛି। ରାଜିନାମାର ଯେଉଁ ମରୁଡ଼ି ଥିଲା ତାହା ଏଥର ଦୂର ହୋଇଛି। ଗତ ୯ ବର୍ଷ ମଧ୍ୟରେ ଏକ ପ୍ରମୁଖ ରାଜିନାମା ସ୍ବାକ୍ଷର ହୋଇପାରିଛି। ୧୬୪ଟି ସଦସ୍ୟ ଦେଶ ବହୁ ଦିନ ପର୍ଯ୍ୟନ୍ତ ଦିନରାତି ଆଲୋଚନା କରିବା ପରେ ବାଣିଜ୍ୟ ବୁଝାମଣାକୁ ମଞ୍ଜୁରି ମିଳିଛି। ମତ୍ସ୍ୟଚାଷ ଉପରୁ ସବ୍‌ସିଡି ହ୍ରାସ କରିବା, ଟିକା ଉତ୍ପାଦନ ସୀମାକୁ କୋହଳ କରିବା ଭଳି ପ୍ରସଙ୍ଗରେ ରହିଥିବା ପ୍ରସ୍ତାବ ଉପରେ ସଦସ୍ୟମାନେ ରାଜି ହୋଇଛନ୍ତି। ଡବ୍ଲୁଟିଓର ଏହି ସଫଳତାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ସଂସ୍ଥା ପ୍ରତି ସଦସ୍ୟମାନଙ୍କ ଭରସା ଫେରାଇ ଆଣିବାରେ ମଧ୍ୟ ଭାରତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲା। ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ଭାରତ ଅଗ୍ରଣୀ ଭୂମିକା ତୁଲାଇଥିଲା। ୨୦୧୫ ପରେ ପ୍ରଥମ ଥର ପାଇଁ ବୈଠକ ଫଳାଫଳକୁ ଦସ୍ତାବିଜ ଭାବେ ରଖାଯାଇଛି। ଡବ୍ଲୁଟିଓ ବୈଠକ ଆଲୋଚନା ଓ ମୁଲଚାଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟକ୍ଷ ନଜର ରଖିଥିଲେ ବୋଲି କୁହାଯାଉଛି।

ସ୍ବିଜରଲ୍ୟାଣ୍ଡ୍‌ର ଜେନେଭାଠାରେ ଆୟୋଜନ କରାଯାଇଥିବା ଡବ୍ଲୁଟିଓର ମନ୍ତ୍ରୀସ୍ତରୀୟ ବୈଠକ ବିଫଳ ହେବ ବୋଲି ଗତକାଲି ପର୍ଯ୍ୟନ୍ତ ବିଚାର କରାଯାଉଥିଲା। କରୋନା ମହାମାରୀ ଓ ୟୁକ୍ରେନ-ରୁଷ ଯୁଦ୍ଧ ଭଳି ଏକ ଗମ୍ଭୀର ସମୟରେ ଚାରି ବର୍ଷର ବ୍ୟବଧାନ ପରେ ଏହି ବୈଠକ ଆୟୋଜନ କରାଯାଇଥିଲା ଯେଉଁଥିରେ ସଦସ୍ୟ ଦେଶର ପ୍ରତିନିଧିମାନେ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଆଲୋଚନାରେ ଭାଗ ନେଇଥିଲା। ବୈଠକର ଫଳାଫଳକୁ ଶ୍ରୀ ଗୋୟଲ ବଡ଼ ବିଜୟ ଭାବେ ବର୍ଣ୍ଣନା କରିଛନ୍ତି। ଭାରତ ୧୦୦% ସଫଳତା ହାସଲ କରିଛି ଏବଂ ଏଭଳି କୌଣସି ପ୍ରସଙ୍ଗ ରହିନାହିଁ ଯାହାକୁ ନେଇ ଭାରତକୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସାର୍ବଜନୀନ ବଣ୍ଟନ ପାଇଁ ଶସ୍ୟ ଭଣ୍ଡାର, ବିତରଣ ଓ ଖାଦ୍ୟ ନିରାପତ୍ତା ଓ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ଏମ୍ଏସ୍‌ପି ଭଳି କୃଷି ପ୍ରସଙ୍ଗକୁ ଆମେ ପୁନଃଉପସ୍ଥାପିତ କରିଥିଲୁ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ଭାରତକୁ କୌଣସି ନକାରାତ୍ମକ ଫଳ ମିଳିନାହିଁ ବୋଲି ସେ କହିଛନ୍ତି। ଖାଦ୍ୟଶସ୍ୟର ସରକାରୀ ଭଣ୍ଡାରକୁ ନେଇ ସ୍ଥାୟୀ ସମାଧାନ ଲାଗି ଭାରତ ଯେଉଁ ଦାବି କରିଥିଲା ତାହା ଉପରେ ଡବ୍ଲୁଟିଓର ପରବର୍ତ୍ତୀ ବୈଠକରେ ଆଲୋଚନା ହେବ। ଶେଷ ଥର ପାଇଁ ୨୦୧୩ରେ ଡବ୍ଲୁଟିଓ ପ୍ରମୁଖ ବାଣିଜ୍ୟ ନିଷ୍ପତ୍ତି ନେଇଥିଲା। ଖାଦ୍ୟଶସ୍ୟର ସରକାରୀ ଭଣ୍ଡାର ପାଇଁ ଭାରତର ‘ପିସ୍ କ୍ଲଜ୍‌’ ଦାବି ଉପରେ ସେହି ସମୟରେ ସହମତି ମିଳିଥିଲା।

ସମ୍ବନ୍ଧିତ ଖବର