ଅଧିକ ଷ୍ଟୋର୍‌ ଖୋଲିବ ‘ଶାଓମି’

ଭୁବନେଶ୍ୱର: ଅନଲାଇନ୍‌ରେ ଫୋନ୍‌ ବିକ୍ରି କରିବାରେ ଜବରଦସ୍ତ ସଫଳତା ହାସଲ କରିଥିବା ଦେଶର ଏକ ନମ୍ବର ମୋବାଇଲ୍‌ କଂପାନି ଶାଓମି ପକ୍ଷରୁ ଏବେ ଅଫ୍‌ଲାଇନ୍‌ ଷ୍ଟୋର୍‌ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ କଂପାନି ଏହାର ଷ୍ଟୋର୍‌ ସଂଖ୍ୟା ବଢ଼ାଇବାକୁ ଯୋଜନା ରଖିଛି ବୋଲି କଂପାନିର ଜଣେ ସ୍ୱୀକୃତିପ୍ରାପ୍ତ ବିତରକ କହିଛନ୍ତି। ଭୁବନେଶ୍ୱର ଓ କଟକରେ ଏବେ କଂପାନିର ୫ଟି ସ୍ୱତନ୍ତ୍ର ଷ୍ଟୋର୍‌ ରହିଛି। ଏହି ସଂଖ୍ୟା ସେପ୍ଟେମ୍ବର ସୁଦ୍ଧା ୧୦ରେ ପହଞ୍ଚିବ ବୋଲି ସେ କହିଛନ୍ତି। ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ଶାଓମି ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଥିବା ୬୧ ଡିଲର୍‌ ପାର୍ଟନରଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯାଇଛି। ଏହି ଅବସରରେ କଂପାନି ପକ୍ଷରୁ ନୂଆ ରେଡ୍‌ମି ଓ୍ଵାଇ୨ ଫୋନ୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ଥିବା ଉତ୍କଷ୍ଟ କ୍ୟାମେରା ରହିଛି। ସାମ୍ନାରେ ୧୬ ଏମ୍‌ପି ଓ ପଛରେ ୧୨+୫ ଏମ୍‌ପି କ୍ୟାମେରା, ୫.୯୯ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୬୨୫ ଅକ୍ଟାକୋର୍‌ ପ୍ରୋସେସର ଓ ୩୦୦୦ ମିଲିଆମ୍ପିଅର ବ୍ୟାଟେରି ରହିଛି। ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହା ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ। ରେଡ୍‌ମି ଓ୍ଵାଇର ୩ଜିବି ରାମ୍‌/୩୨ଜିବି ରମ୍‌ ମଡେଲ୍‌ର ମୂଲ୍ୟ ୧୦,୪୯୯ ଟଙ୍କା ରହିଥିବା ବେଳେ ୪ ଜିବି ରାମ୍‌/୬୪ ଜିବି ରମ୍‌ ମଡେଲ୍‌ର ମୂଲ୍ୟ ୧୩,୪୯୯ ଟଙ୍କା ରହିଛି। ଏହି ଅବସରରେ ଏମ୍‌ଆଇର ସ୍ୱୀକୃତିପ୍ରାପ୍ତ ବିତରକ ଜୟ ସଦାନି, ଶାଓମିର ରାଜ୍ୟ ମୁଖ୍ୟ ଅମିତ ପଣ୍ଡା ଓ ଆର୍‌ଏସ୍‌ଏମ୍‌ ଅମିତାଭ ବିଶ୍ୱାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର