ଭାରତୀୟ ବଜାରରେ ଲୋପ ପାଇବ ଚୀନା ମୋବାଇଲ କମ୍ପାନିଙ୍କ ଆଧିପତ୍ୟ !

୧୨,୦୦୦ ଟଙ୍କାରୁ କମ୍ ମୂଲ୍ୟର ସ୍ମାର୍ଟଫୋନ ବିକିପାରିବେନି ସାଓମି, ଓପୋ ଓ ରିଅଲମି !

ନୂଆଦିଲ୍ଲୀ : ଦିନ ଥିଲା ଭାରତୀୟ ମୋବାଇଲ ବଜାରରେ ନୋକିଆ, ମୋଟୋରୋଲା, ସାମସଙ୍ଗ,ସୋନି ଆଦି କମ୍ପାନିଙ୍କ ଆଧିପତ୍ୟ ଥିଲା । ଏପରିକି ମାଇକ୍ରୋମାକ୍ସ, କାର୍ବନ,ସ୍ପାଇସ ପରି ଭାରତୀୟ କମ୍ପାନି ମଧ୍ୟ ସଫଳତା ପାଇଥିଲେ । କିନ୍ତୁ ବିଗତ କିଛି ବର୍ଷ ହେବ ଚୀନର ମୋବାଇଲ କମ୍ପାନି ସାଓମି, ଓପୋ, ଭିଭୋ ତଥା ରିଅଲମି ଇତ୍ୟାଦି ଭାରତୀୟ ମୋବାଇଲ ବଜାରକୁ ଏକରକମ କବଜା କରିନେଇଛନ୍ତି କହିଲେ ଚଳିବ । ଏହା ଫଳରେ ଭାରତୀୟ କମ୍ପାନିମାନେ ଉଠିପାରୁନାହାନ୍ତି ।

ଏବେ ଚୀନ ମୋବାଇଲ କମ୍ପାନିଙ୍କ ଆଧିପତ୍ୟ ରୋକିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଭାରତ ସରକାର । ସରକାରଙ୍କ ଯୋଜନା ଅନୁସାରେ ଚୀନ କମ୍ପାନିମାନେ ୧୨ ହଜାର ଟଙ୍କାରୁ କମ ମୂଲ୍ୟର ମୋବାଇଲ ଭାରତୀୟ ବଜାରରେ ବିକି ପାରିବେ ନାହିଁ । ଏହା ଫଳରେ ଭାରତୀୟ ମୋବାଇଲ କମ୍ପାନିମାନେ ଏହି ସେଗମେଣ୍ଟରେ ପୁଣି ଥରେ ବ୍ୟବସାୟ କରିପାରିବେ ।

ଭାରତର ଅଧିକାଂଶ ସ୍ମାର୍ଟଫୋନ ବଜେଟ ସେଗମେଣ୍ଟ ଅର୍ଥାତ ୧୨ ହଜାର ଟଙ୍କାରୁ କମ ମୂଲ୍ୟରେ ବିକ୍ରି ହୋଇଥାଏ । ଏହି ସେଗମେଣ୍ଟକୁ ଚୀନ କମ୍ପାନିମାନେ କବଜା କରିରଖିଛନ୍ତି । ଭାରତୀୟ କମ୍ପାନିମାନେ ଚୀନ କମ୍ପାନିମାନଙ୍କ ଶସ୍ତା ଉତ୍ପାଦନ ମୂଲ୍ୟ ଓ ବିତରଣ ନେଟଓ୍ବାର୍କ ସହ ମୁକାବିଲା କରିପାରୁନାହାନ୍ତି । ସରକାରଙ୍କ ପ୍ରସ୍ତାବିତ ନୂଆ ନିୟମ ଫଳରେ ଚୀନ କମ୍ପାନିମାନଙ୍କ ବ୍ୟବସାୟ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ତାହାର ସୁଯୋଗ ଭାରତୀୟ କମ୍ପାନିମାନେ ନେଇପାରନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

 

ସମ୍ବନ୍ଧିତ ଖବର