ଭାରତୀୟ ସ୍ମାର୍ଟଫୋନ ବଜାରରେ କିଏ ନଂ୧, ସାମସଙ୍ଗ ନା ସାଓମି ?

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ୱର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ ବଜାର । ଏହି ବଜାରକୁ ହାତେଇବା ପାଇଁ ବିଶ୍ୱର ପ୍ରମୁଖ ସ୍ମାର୍ଟଫୋନ କମ୍ପାନିମାନେ ଉଦ୍ୟମ କରିଚାଲିଛନ୍ତି । ତେବେ ଆଜିକାଲି ଦୁଇଟି ବହୁରାଷ୍ଟ୍ରୀୟ କମ୍ପାନି ସାମସଙ୍ଗ ଓ ସାଓମି ନଂ୧ ସ୍ଥାନ ଅକ୍ତିଆର କରିବା ପାଇଁ ପରସ୍ପର ମଧ୍ୟରେ ପ୍ରବଳ ପ୍ରତିଯୋଗିତା କରୁଛନ୍ତି ।

କୋରିଆ କମ୍ପାନି ସାମସଙ୍ଗ ଗତ ୭ ବର୍ଷ ଧରି ଭାରତୀୟ ବଜାରରେ ୧ ନମ୍ବର ସ୍ଥାନରେ ରହିଆସିଛି । ସାମସଙ୍ଗ ୨୦୧୭ ମସିହା ସଫଳତାର ସହ ଶେଷ କରି ଦେଶର ୧ ନମ୍ବର ସ୍ମାର୍ଟଫୋନ ପ୍ରସ୍ତୁତକାରୀ ସଂସ୍ଥା ଭାବେ ମାନ୍ୟତା ଲାଭ କରିଛି । ମାର୍କେଟ୍‌ ରିସର୍ଚ୍ଚ ସଂସ୍ଥା ଜିଏଫକେ ଅନୁଯାୟୀ ୨୦୧୭ ମସିହାରେ ଭାରତୀୟ ବଜାରରେ ସାମସଙ୍ଗର ଅଂଶ ୩୭% ରହିଥିଲା । ଅର୍ଥାତ୍‌ ପ୍ରତି ୧୦୦ଟି ଫୋନ ବିକ୍ରିରେ ୩୭ଟି ଫୋନ ସାମସଙ୍ଗର । କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ ଅନଲାଇନ ବିକ୍ରି ଜରିଆରେ ଶସ୍ତା ଚାଇନା ସ୍ମାର୍ଟଫୋନ ଭାରତ ବଜାରରେ ପ୍ରବେଶ କରିଥିଲେ ମଧ୍ୟ ଏହାକୁ ପ୍ରତିହତ କରି ସାମସଙ୍ଗ ନିଜର ୧ ନମ୍ବର ମାନ୍ୟତା ବଜାୟ ରଖିପାରିଛି ।

କିନ୍ତୁ ସାମସଙ୍ଗକୁ ଏବେ କଡ଼ା ଟକ୍କର ଦେଉଛି ଚାଇନିଜ୍‌ କମ୍ପାନି ସାଓମି । ୨୦୧୭ରେ ସାମସଙ୍ଗ ୧ ନମ୍ବର ଥିଲା ଓ ସାଓମି ୨ ନମ୍ବର ଥିଲା । କିନ୍ତୁ ଜୁଲାଇ ପରଠାରୁ ସାଓମିର ବିକ୍ରି ବଢି ତାହା ସାମସଙ୍ଗର ପାଖାପାଖି ହୋଇଥିଲା । କିନ୍ତୁ ଅକ୍ଟୋବର-ଡିସେମ୍ବର ତିନିମାସରେ ଏହା ସାମସଙ୍ଗକୁ କାଟିଦେଇଛି । ଏହା ଫଳରେ ସାଓମି ଭାରତୀୟ ବଜାରରେ ନଂ୧ ସ୍ଥାନ ଅଧିକାର କରିପାରିଛି । ଏହି ତିନିମାସରେ ସାଓମି ୮୨ ଲକ୍ଷ ସ୍ମାର୍ଟଫୋନ ବିକ୍ରି କରିଥିବାବେଳେ ସାମସଙ୍ଗ ୭୩ ଲକ୍ଷ ବିକ୍ରି କରିଥିଲା ବୋଲି କହିଛି କାନାଲିସ୍‌ ରିସର୍ଚ୍ଚ ।

ସମ୍ବନ୍ଧିତ ଖବର