ୟାମାହା ଆଣିବ ଇଲେକ୍ଟ୍ରିକ୍ ସ୍କୁଟର: ଥରେ ଚାର୍ଜ କଲେ ୫୦-୬୦ କିମି ଯିବ

ନୂଆଦିଲ୍ଲୀ: ଜାପାନର ଦୁଇଚକିଆ ଯାନ ନିର୍ମାତା ୟାମାହା ମୋଟର ଭାରତୀୟ ବଜାର ପାଇଁ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ବିକଶିତ କରୁଛି। ତାହା ଆସନ୍ତା ୨-୩ ବର୍ଷ ଭିତରେ ବଜାରକୁ ଆସିବ। ଇଲେକ୍ଟ୍ରିକ୍ ଯାନ ନିର୍ମାଣକୁ କଂପାନି ତ୍ବରାନ୍ବିତ କରିବା ଉପରେ କାମ କରୁଛି ବୋଲି ୟାମାହା ମୋଟର ଇଣ୍ଡିଆର ଅଧ୍ୟକ୍ଷ ଏଇସିନି ଚିହାନା କହିଛନ୍ତି। କଂପାନି କେବଳ ଭାରତ ପାଇଁ ଇଭି ତିଆରି କରିବନି। ଏହା ଭାରତରେ ତିଆରି ହେବାକୁ ଥିବା ଇଭିକୁ ୟୁରୋପ ଓ ଅନ୍ୟାନ୍ୟ ଦେଶକୁ ରପ୍ତାନି ମଧ୍ୟ କରିବ।
‌ଶ୍ରୀ ଚିହାନା କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ହୋଇଥିବା ବୃଦ୍ଧି ଓ ପେଟ୍ରୋଲ୍ ଚାଳିତ ସ୍କୁଟରଗୁଡ଼ିକର ମାଇଲେଜ୍‌ କମ୍ ରହୁଥିବାରୁ ଇଲେକ୍ଟ୍ରିକ୍ ସ୍କୁଟରର ଗ୍ରହଣୀୟତା ବଢ଼ିବ। ଆମେ ଏବେ ଆମ ଇଭି ସ୍କୁଟରର ନମୁନା ବିକଶିତ କରୁଛୁ। ଚେନ୍ନାଇରେ ଆମର ଥିବା ଗବେଷଣା ଓ ବିକାଶ ଟିମ୍‌ ତାହାକୁ ବିକଶିତ କରୁଛି। ତାମିଲନାଡୁର କାଞ୍ଚିପୁରମ୍‌ରେ ଥିବା କାରଖାନାରେ ସେହି ସ୍କୁଟର ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ପେଟ୍ରୋଲ-ଚାଳିତ ୧୧୦-୧୨୫ ସିସି ସ୍କୁଟରର ପ୍ରଦର୍ଶନ ଯାହା ରହିଛି ୟାମାହାର ଇଭି ସେଭଳି ପ୍ରଦର୍ଶନ ପ୍ରଦାନ କରିବ। ଏହା ପ୍ରତି ଚାର୍ଜରେ ୫୦-୬୦ କିମି ଯାତ୍ରା କରିବ। କଂପାନି ଏହାର ଅଧ୍ୟୟନରୁ ଜାଣିବାକୁ ପାଇଛି ଯେ ସହରାଞ୍ଚଳରେ ଲୋକମାନେ ‌ଦିନକୁ ୩୦-୩୫ କିମି ଯାତ୍ରା କରନ୍ତି। ସେହି ଅନୁସାରେ ୟାମାହା ଏହାର ଇଭି ସ୍କୁଟରର ବିକାଶ କରୁଛି। ୟୁରୋପରେ କଂପାନିର ଥିବା ଇଭି ଅନୁସାରେ ଯଦିଓ ଭାରତ ପାଇଁ ସ୍କୁଟର ତିଆରି ହେଉଛି, କିନ୍ତୁ ଏହାର ବ୍ୟାଟେରି ପରିଚାଳନା ବ୍ୟବସ୍ଥା ଅଲଗା ରହିବ ଓ ଭାରତୀୟ ଜଳବାୟୁକୁ ସୁହାଇବା ଭଳି ତାହାକୁ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ଚିହାନା କହିଛନ୍ତି। ଆସନ୍ତା ୩-୫ ବର୍ଷ ଭିତରେ ୩୦% ଭାରତୀୟ ସ୍କୁଟର ଗ୍ରାହକ ଇଭିକୁ ଚୟନ କରିବେ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର