ୟେସ୍‌ ବ୍ୟାଙ୍କ ମାମଲା: ଡିଏଚ୍‌ଏଫ୍‌ଏଲ୍‌ ପ୍ରତିଷ୍ଠାତାଙ୍କୁ ଉଠାଇନେଲା ସିବିଆଇ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ଡିଏଚ୍‌ଏଫ୍ଏଲ୍‌ର ଦୁଇ ପ୍ରତିଷ୍ଠାତା କପିଲ ୱାଧୱାନ ଓ ଧୀରଜ ୱାଧୱାନଙ୍କୁ ହେପାଜତକୁ ନେଇଛି। ମହାରାଷ୍ଟ୍ରର ସତାରା ଠାରେ ଥିବା ଏକ ସଙ୍ଗରୋଧ କେନ୍ଦ୍ରରେ ସେମାନେ ଥିଲା। ସତାରାରୁ ସେମାନଙ୍କୁ ମୁମ୍ବାଇ ଅଣାଯାଇଛି ଯେଉଁଠାରେ ସେମାନେ ଏକ ସ୍ବତନ୍ତ୍ର ଅଦାଲତରେ ହାଜର ହେ‌େବ।
ପୂର୍ବରୁ ସିବିଆଇ ତରଫରୁ ଦୁଇ ୱାଧୱାନ ଭ୍ରାତା ଓ ୟେସ୍ ବ୍ୟାଙ୍କର ଅନ୍ୟତମ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ଆରମ୍ଭ ହେବା ପରଠାରୁ ୱାଧୱାନ ଭ୍ରାତା ଫେରାର ଥିଲେ। ଗତ ମାର୍ଚ୍ଚ ୯ରେ ଅଭିଯୁକ୍ତଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା କିନ୍ତୁ ସେମାନେ ଘରେ ନଥିଲେ। ତଦନ୍ତ ସାମିଲ ହେବା ଲାଗି ସେମାନଙ୍କୁ ସମନ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ସେମାନେ ନୋଟିସ୍‌ ଗ୍ରହଣ କରିନଥିଲେ।

ଗତ ମାର୍ଚ୍ଚ ୧୬ରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ମଧ୍ୟ ୱାଧୱାନ ଭ୍ରାତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ କୋଭିଡ୍-୧୯ ସଂକ୍ରମଣ ବାହାନା ଦେଖା‌ଇ ସେମାନେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ମନା କରିଦେଇଥିଲେ। ୟେସ୍‌ ବ୍ୟାଙ୍କରୁ ଋଣ ନେବା ବେଳେ ଜାଲିଆତି କରିଥିବାର ଯେଉଁ କଳଙ୍କ ସେମାନଙ୍କ ମୁଣ୍ଡରେ ଲାଗିଛି ତାହା ମିଥ୍ୟା ଓ ଅମୁଳକ ବୋଲି ସେମାନେ ଲିଖିତ ଭାବେ ଇଡିକୁ ଜଣାଇଥିଲେ। ମାର୍ଚ୍ଚ ୧୭ରେ ଦୁଇ ଭାଇଙ୍କ ବିରୋଧରେ ସିବିଆଇର ସ୍ବତନ୍ତ୍ର ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଏହା ପରେ ମଧ୍ୟ ସେମାନେ ଅଦାଲତରେ ହାଜର ହୋଇନଥିଲେ। ଏପ୍ରିଲ୍ ୯ରେ କୋଭିଡ୍‌-୧୯ ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିବା ବେଳେ ଦୁଇ ଭାଇ ସ୍ଥାନୀୟ ପୁଲିସ ହାତରେ ଧରାପଡ଼ିଥିଲେ। କର୍ଫ୍ୟୁ ନିୟମକୁ ଭାଙ୍ଗି ୱାଧୱାନ ଭ୍ରାତା ଓ ତାଙ୍କ ପରିବାରର ଅନ୍ୟ ୨୧ ଜଣ ସଦସ୍ୟ ଖଣ୍ଡାଲାରୁ ମହାବଳେଶ୍ବରରେ ଥିବା ଫାର୍ମ ହାଉସ୍‌ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥି‌ଲେ। ସେହିଦିନ ସିବିଆଇକୁ ଖବର ମିଳିଥିଲା ଯେ ଦୁଇ ୱାଧୱାନ ଭ୍ରାତା ସାତାରା ଜିଲ୍ଲାରେ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ପରେ ସରକାରଙ୍କ ଦ୍ବାରା ସେଠାରେ ପରିଚାଳିତ ଥିବା ଏକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସିବିଆଇ କିମ୍ବା ଅଦାଲତଙ୍କ ବିନା ଅନୁମତିରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ନଛାଡ଼ିବା ଲାଗି ତୁରନ୍ତ ସତାରାର ଅରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଇ-ମେଲ୍‌ରେ ସୂଚନା ଦିଆଯାଇଥିଲା। ୟେସ୍‌ ବ୍ୟାଙ୍କ-ଡିଏସ୍‌ଏଫ୍‌ଏଲ୍‌ ଋଣ ଜାଲିଆତି ଅଭିଯୋଗରେ ସିବିଆଇ ତରଫରୁ ରୁଜୁ କରାଯାଇଥିବା ଏଫ୍‌ଆଇଆର୍‌ରେ ରାଣା, ତାଙ୍କ ପତ୍ନୀ ବିନ୍ଦୁ କପୁର ଓ ତିନି ଝିଅ, ଡିଏଫ୍‌ଏଫ୍‌ଏଲ୍‌ର ୱାଧୱାନ ଭ୍ରାତା ଓ ଅନ୍ୟ ଅଭିଯୁକ୍ତମାନଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର