ୟେସ୍‌ ବ୍ୟାଙ୍କ ମାମଲା: ଜେଲ୍‌ରେ ରାଣାଙ୍କୁ କରୋନା ଭୟ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଆଜି ଏକ କୋର୍ଟ ଆସନ୍ତା ଏପ୍ରିଲ୍ ୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ଏହା ପୂର୍ବରୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହେପାଜତରେ ରଖାଯାଇଥିଲା। ପୁଣି ଥରେ ରିମାଣ୍ଡ୍‌ରେ ନେବା ଲାଗି ଇଡି ଆବେଦନ କରିନଥିବାରୁ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

ଆଜି ଇଡି ତରଫରୁ ରାଣାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କିଛି ସମସ୍ୟା ଅଛି କି ବୋଲି କୋର୍ଟ ରାଣାଙ୍କୁ ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଥିଲେ ଯେ, ବିଗତ ୬-୭ ବର୍ଷ ହେଲାଣି ‌ମୁଁ ଶ୍ବାସରୋଗରେ ପୀଡ଼ିତ। ମୋର ରୋଗ ପ୍ରତିରୋଧକ ଶକ୍ତି କମ୍ ଅଛି ଓ ଏବେ ଘୋର ବିଶାଦ ଦେଇ ଗତି କରୁଛି। ତାଙ୍କ ଆଇନଜୀବୀ ଆବାଦ ପୋଣ୍ଡା କୋର୍ଟଙ୍କୁ କହିଥିଲେ ଯେ ଯେହେତୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ତେଣୁ ତାଙ୍କ ଠାରେ ଅତି ସହଜରେ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଛି। ଯଦି ରାଣାଙ୍କୁ ଜେଲ୍‌ ପଠାଯିବ ତେବେ ତାହା ତାଙ୍କ ଠାରେ ବ୍ୟାପିବାର ଆଶଙ୍କା ରହିଛି। ତାହା ହେଲେ ବହୁତ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଏକ ବଡ଼ ସେଲ୍‌ରେ ରାଣାଙ୍କୁ ରଖାଯାଉ ବୋଲି ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ୟେସ୍ ବ୍ୟାଙ୍କ ବୋର୍ଡରେ ଦୁଇ ଜଣ ନିର୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଆର୍‌ ଗାନ୍ଧୀ ଓ ଏସ୍‌ପି ଜୈନ ଇନଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍‌ ରିସର୍ଚର ଆସୋସିଏଟ୍ ପ୍ରଫେସର ଏସ୍‌ ପି ଜୈନ। ସେହିପରି, ୟେସ୍ ବ୍ୟାଙ୍କରେ ହୋଇଥିବା ଋଣ ଜାଲିଆତି ମାମଲାରେ ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନି ହାଜର ହୋଇ ଋଣ ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବା ଲାଗି ଅଧିକ ସମୟ ଲୋଡ଼ିଛନ୍ତି। ‌ତାଙ୍କୁ ପୁଣି ଥରେ ମାର୍ଚ୍ଚ ୩୦ରେ ଇଡିରେ ହାଜର ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର