ଘୋର ସଙ୍କଟରେ ୟେସ୍‌ ବ୍ୟାଙ୍କ: ୩୦ ଦିନରେ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇପାରିବେନି

ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଘୋର ସଙ୍କଟରେ ପଡ଼ିଯାଇଛି। ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଛନ୍ତି। ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା‌ ୩୦ ଦିନ ଭିତରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଆଜି ଏନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଟଙ୍କା ଉଠାଣ କଟକଣା ଏକ ମାସ ପାଇଁ ଲାଗୁ କରାଯାଇଛି। ତେବେ କେତେକ ନିର୍ଦ୍ଦି‌ଷ୍ଟ ପରିସ୍ଥିତ‌ରେ ଗ୍ରାହକମାନେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ। ନିଜର କିମ୍ବା ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ମେଡିକାଲ୍ ବାବଦ ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଓ ବିବାହ କିମ୍ବା ସେହି ଧରଣର ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଧିକ ଟଙ୍କା ଉଠାଇ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ୟେସ୍‌ ବ୍ୟାଙ୍କର ବୋର୍ଡ‌କୁ ରିଜର୍ଭ ବ୍ୟାଙ୍କ ତତ୍କାଳ ନିଜ ହାତକୁ ନେଇଯାଇଛି। ବ୍ୟାଙ୍କର ଦେଖାଶୁଣା କରିବା ଲାଗି ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଛଅ ମାସ ପୂର୍ବେ ମହାରାଷ୍ଟ୍ରର ପିଏମ୍‌ସି ବ୍ୟାଙ୍କ ସଙ୍କଟ ବେଳେ ଏଭଳି ପଦକ୍ଷେପ ନିଆଯାଇଥିଲା। ଗ୍ରାହକମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଭୟ କରିବାର କୌଣସି କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ଦିନ ଭିତରେ ସ୍ଥିତିକୁ ସ୍ବାଭାବିକ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ସ୍କିମ୍ ପ୍ରସ୍ତୁତ କରିବ। ତାହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଲାଗୁ କରାଯିବ। ଗ୍ରାହକମାନେ ଯେଭଳି ୩୦ ଦିନରୁ ଅଧିକ ସମୟ ଅସୁବିଧା ସାମ୍ନା ନକରନ୍ତି ତାହାକୁ ନିଶ୍ଚିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରୟାସ କରିବ।

ବ୍ୟାଙ୍କ ବୋର୍ଡକୁ ହାତକୁ ନେଲା ରିଜର୍ଭ ବ୍ୟାଙ୍କ

ଆଜି ଦିନ ବେଳା ୟେସ୍‌ ବ୍ୟାଙ୍କକୁ ନେଇ ଆଉ ଏକ ଖବର ଚର୍ଚ୍ଚାରେ ରହିଥିଲା। ୟେସ୍‌ ବ୍ୟାଙ୍କର ୪୯% ଅଂଶଧନକୁ କିଣିବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଏଲ୍‌ଆଇସିକୁ ସରକାର କହିଥିବା ସମ୍ପର୍କରେ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ତରଫରୁ ୟେସ୍‌ ବ୍ୟାଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ନିୟମ ରହିଛି ଯେ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା କୌଣସି କଂପାନି ଷ୍ଟକ ବଜାରକୁ ଅବଗତ ନକରି କୌଣସି ବିଷୟରେ ସାର୍ବଜନୀନ ଘୋଷଣା କରିପାରିବେ ନାହିଁ। ୟେସ୍‌ ବ୍ୟାଙ୍କ ଅଂଶଧନ ବିକ୍ରି ବିଷୟରେ ଷ୍ଟକ ବଜାର ପାଖରେ କୌଣସି ସୂଚନା ନଥିବା ବେଳେ ଗଣମାଧ୍ୟମରେ କେଉଁ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି ତାହା ଜଣାଇବା ଲାଗି ୟେସ୍‌ ବ୍ୟାଙ୍କକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କହିଛି। ୟେସ୍‌ ବ୍ୟାଙ୍କର ପ୍ରତିଟି ଅଂଶଧନକୁ ଦୁଇ ଟଙ୍କା ହିସାବରେ ଷ୍ଟେଟ୍‌ ବ୍ୟାଙ୍କ ଓ ଏଲ୍‌ଆଇସି କିଣିବେ ବୋଲି କୁହାଯାଉଛି।

କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି
ନିଜର ପୁଞ୍ଜି ସ୍ବଚ୍ଛଳତାରେ ଉନ୍ନତି ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ୟେସ୍‌ ବ୍ୟାଙ୍କ ଅନେକ ସମସ୍ୟା ଦେଇ ଗତି କରୁଛି। ଏହା ଋଣ ଆକାରରେ ପ୍ରଦାନ କରିଥିବା କୋଟି କୋଟି ଟଙ୍କା ବୁଡ଼ିଯାଇଛି। ରେଟିଂ ଏଜେନ୍ସିଗୁଡ଼ିକ ଏହାର ରେଟିଂ ହ୍ରାସ କରିଛନ୍ତି। ନିୟମିତ ବ୍ୟବଧାନରେ ବ୍ୟାଙ୍କରୁ ପାଣ୍ଠି ବାହାରକୁ ଚାଲିଯିବାରୁ ଏହାର ଆର୍ଥିକ ସ୍ଥିତି ଦୋହଲିଯାଇଛି। ନୂତନ ପୁଞ୍ଜି ହାସଲ କରିବା ଲାଗି ଉଦ୍ୟମ କରିବାକୁ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କର ପରିଚାଳନା କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ସେଥିପାଇଁ ଯଥେଷ୍ଟ ସମୟ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେହି ସମୟ ଭିତରେ ପାଣ୍ଠି ଯୋଗାଡ଼ କରିବାରେ ୟେସ୍‌ ବ୍ୟାଙ୍କ ବିଫଳ ହୋଇଛି। ପାଣ୍ଠି ହାସଲ କରିବାର ସବୁ ବିକଳ୍ପ ଶେଷ ହୋଇଯିବା ପରେ ଏହାର ଟଙ୍କା ଉଠାଣ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। କିଛି ମାସ ତଳେ ପିଏମ୍‌ସି ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯିବାରୁ ତାହାର ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ଉପରେ କଟକଣା ଜାରି କରାଯାଇଥିଲା। କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଆଖିବୁଜା ଋଣ ପ୍ରଦାନ କରିବା ମଧ୍ୟ ୟେସ୍‌ ବ୍ୟାଙ୍କ ସଙ୍କଟର ଅନ୍ୟତମ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର