ବ୍ୟାଙ୍କ ବୁଡ଼ିଗଲେ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ଏହାକୁ ନେଇ ଜମାକାରୀ, ଋଣ ନେଇଥିବା ବ୍ୟକ୍ତି ଏବଂ ନିବେଶକମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି। ଏଠାରେ କେତେକ ସାଧାରଣ ପ୍ରଶ୍ନ ଏବଂ ସେ ସମ୍ପର୍କିତ ଉତ୍ତର ରଖାଯାଇଛି।

କୌଣସି ପରିସ୍ଥିତିରେ ଯଦି ୟେସ୍‌ ବ୍ୟାଙ୍କ ବୁଡ଼ିଯାଏ ତା’ହେଲେ ଜମାକାରୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ମିଳିବ। ଭାରତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଆଣ୍ଡ ଇନସ୍ୟୁରାନ୍ସ କର୍ପୋରେସନର ନିୟମ ଅନୁଯାୟୀ ଏହି ରାଶି ମିଳିବ। ପୂର୍ବରୁ ବ୍ୟାଙ୍କ ବୁଡ଼ିଲେ ଏହି ନିୟମ ଅନୁଯାୟୀ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମିଳିବା ନିୟମ ରହିଥିଲା। କିନ୍ତୁ ଚଳିତବର୍ଷ ଫେବ୍ରୁଆରିରେ ଉପସ୍ଥାପିତ ବଜେଟରେ ଅର୍ଥମନ୍ତ୍ରୀ ଏହି ରାଶିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପିଏମ୍‌ସି ବ୍ୟାଙ୍କ ସଙ୍କଟ ପଦାକୁ ଆସିବା ପରେ ସରକାର ଏହି ନିୟମ ବଦଳାଇଛନ୍ତି। ଫଳରେ ୟେସ୍‌ ବ୍ୟାଙ୍କ ବୁଡ଼ିଲେ ଜମାକାରୀମାନେ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପାଇପାରିବେ। ଏହାଠାରୁ ଅଧିକ ରାଶି ଯେଉଁମାନଙ୍କର ରହିଛି ତାହା ମିଳିବ ନାହିଁ।

ଦରମା ଆକାଉଣ୍ଟ ଥିଲେ
ଯଦି ୟେସ ବ୍ୟାଙ୍କରେ ସାଲାରି ଆକାଉଣ୍ଟ ଥିଲେଏବଂ ବେତନ ୫୦ ହଜାର ଟଙ୍କାରୁ କମ୍ ହୋଇଥିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବେତନ ୫୦ ହଜାରରୁ ଅଧିକ ହୋଇଥିଲେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ କର୍ମଚାରୀମାନେ ସାଲାରି ଆକାଉଣ୍ଟ ଅନ୍ୟ ବ୍ୟାଙ୍କକୁ ନେଇପାରିବେ।

ବୀମା, ଋଣ କିସ୍ତି ରାଶି ୫୦ ହଜା‌େରରୁ ଅଧିକ ହୋଇଥିଲେ
ବୀମା, ଋଣ ଏବଂ ମୁଚ୍ୟୁଆଲ ଫଣ୍ଡରେ ନିବେଶ ସମ୍ପର୍କିତ ଏସଆଇପି ବାବଦରେ ଜଣେ ଯଦି ମାସିକ ୫୦ ହଜାର ଟଙ୍କାରୁ ଅଧିକ ପୈଠ କରୁଥାନ୍ତି ତାହେଲେ ଅସୁବିଧା ସୃଷ୍ଟି ହେବ। ଚେକ୍ ବାଉନ୍ସ ହୋଇଯିବ। ଏହା ହେଲେ ସିବିଲ୍‌ ଉପରେ ଖରାପ ପ୍ରଭାବ ପଡ଼ିବ। ତେଣୁ ଇଏମଆଇ, ଏସଆଇପି ଏବଂ ବୀମା ରାଶି ବାବଦ ରାଶି ଅନ୍ୟ ବ୍ୟାଙ୍କରୁ କାଟିବା ବ୍ୟବସ୍ଥା କରାଯାଇ ପାରିବ। ୫୦ ହଜାର ଟଙ୍କାକୁ କମ୍ ପୈଠ କରିବାକୁ ଥିଲେ ‌ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର